ଏଣିକି ସର୍ବସାଧାରଣ ସ୍ଥାନରେ ଖୋଲାଯିବ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଏଣିକି ସପିଙ୍ଗ ମଲରେ ଖୋଲାଯିବ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର । ବିଶ୍ଵ ସ୍ତନପାନ ସପ୍ତାହ ଉପଲକ୍ଷେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଭୁବନେଶ୍ୱର : ଏଣିକି ସପିଙ୍ଗ ମଲରେ ଖୋଲାଯିବ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର । ବିଶ୍ଵ ସ୍ତନପାନ ସପ୍ତାହ ଉପଲକ୍ଷେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।  ବିଶ୍ଵ ସ୍ତନପାନ ସପ୍ତାହ ଉପଲକ୍ଷେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨ ଟି ୱେବ୍ ସାଇଟ୍ ଲଞ୍ଚ ହୋଇଛି। ମହିଳା କମିଶନର ବ୍ରେଷ୍ଟ ଫିଡ଼ିଂ ସେଣ୍ଟର୍ ରାଜ୍ୟର ପ୍ରଥମ ସେଣ୍ଟର୍ ଭାବେ ଖୋଲାଗଲା । ସେହିଭଳି ମହିଳା ସମାଜକଲ୍ୟାଣ ବୋର୍ଡରେ ସମାଜସେବୀ ଯୋଡ଼ି ହେବା ପାଇଁ ଲୋକକଲ୍ୟାଣ ଆପ ଉନ୍ମୋଚନ କରାଗଲା ।

ସାରା ରାଜ୍ୟରେ ସର୍ବସାଧାରଣ ସ୍ଥାନ ଗୁଡିକରେ ଏହି ସେଣ୍ଟର ଖୋଲାଯିବ। ଯେପରିକି ବସ ଷ୍ଟାଣ୍ଡ, ରେଳ ଷ୍ଟେସନ, ପରିବା ହାଟ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ସେଣ୍ଟର ଖୋଲାଯିବ। ଏହା ସହ ରେଳ ଷ୍ଟେସନରେ ଜଣେ ମହିଳା ଆଟେନଡାଣ୍ଟ ରହିବେ। ବ୍ରେଷ୍ଟ ଫିଡ଼ିଂ ଦ୍ଵାରା ବ୍ରେଷ୍ଟ କ୍ୟାନ୍ସର, ଟାଇପ ୨ ଡାଇବେଟିସ ଭଳି ରୋଗ ମା’କୁ ହେବନି ଏବଂ ପିଲାଟି ମଧ୍ୟ ଅପପୁଷ୍ଟିର ଶିକାର ହେବନି। ଏହା ସହ ଆଗକୁ ସରକାରୀ ଅଫିସ ଓ ଅଭିଯୋଗ ଶୁଣାଣୀ ସ୍ଥାନରେ ଏହି ସେଣ୍ଟର ଖୋଲାଯିବ।

ମହିଳା ଓ ଶିଶୁ ବିକାଶ ବିଭାଗ  ପକ୍ଷରୁ ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।

ସପିଂ ମଲ୍ ଯେଉଁଗୁଡିକରେ ମହିଳା ଗ୍ରାହକ ୭୫ ପ୍ରତିଶତରୁ ଅଧିକ । ସେମାନେ ମହିଳା ମାନଙ୍କ ପାଇଁ ଶୌଚାଳୟ ଓ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ନିହାତି କରିବା କଥା । ଏହା ନହେଲେ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିବ । ପିଇବା ପାଇଁ ପାଣି, ଶୌଚାଳୟ ଓ ବ୍ରେଷ୍ଟ ଫିଡ଼ିଂ ବ୍ୟବସ୍ଥା ନ ହେଲେ ଆଗକୁ ତା ପାଇଁ   ସରକାର ବ୍ୟବସ୍ଥା କରିବେ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ।