fbpx

ପ୍ରେରଣା ସାଜିଲେ ନିକିତା: ପୁଲୱାମାରେ ସହିଦ ହୋଇଥିଲେ ପତି, ମେ ୨୯ରେ ସମ୍ଭାଳିବେ ଲେଫ୍ଟନାଂଟ ପଦ

ନୂଆଦିଲ୍ଲୀ : ୨୦୧୯ ମସିହା ପୁଲୱାମା ଆତଙ୍କୀ ହମଲା ଏବେ ମଧ୍ୟ ମନରେ ସତେଜ ରହିଛି । ଏହି ଆକ୍ରମଣରେ ଦେଶର ୪୦ ଜଣ ବୀର ସିଆରପିଏଫ ଯବାନ ସହିଦ ହୋଇଥିଲେ । ସହିଦଙ୍କ ମଧ୍ୟରେ ଥିଲେ ମେଜର ବିଭୂତି ଶଙ୍କର ଧୌଣ୍ଡିଆଲ । ସେ ୫୫ ରାଷ୍ଟ୍ରୀୟ ରାଇଫଲ୍ସରେ କାର୍ଯ୍ୟରତ ଥିଲେ । ହେଲେ ସବୁଠୁ ବଡ ଦୁଃଖଦ ଘଟଣା ଏହା ଥିଲା ଯେ, ଆତଙ୍କୀ ହମଲାର ମାତ୍ର ନଅ ମାସ ପୂର୍ବେ ତାଙ୍କର ବିବାହ ହୋଇଥିଲା । ଦେଶ ପାଇଁ ଲଢୁ ଲଢୁ ସେ ନିଜର ନବ ବିବାହିତ ୨୭ ବର୍ଷୀୟ ପତ୍ନୀ ନିକିତା କୌଲ ଧୌଣ୍ଡିଆଲଙ୍କୁ ଛାଡି ଆର ପାରିକୁ ଚାଲିଗଲେ ।

ହେଲେ ମେଜର ବିଭୂତିଙ୍କ ବଳିଦାନକୁ ବ୍ୟର୍ଥ କରି ନାହାନ୍ତି ତାଙ୍କ ପତ୍ନୀ ନିକିତା । ଦୁଃଖ ଏବଂ ପରିତାପର ସହ ନବସି ସେ ଭାରତୀୟ ସେନାରେ ଯୋଗ ଦେଇ ନିଜ ପତିଙ୍କୁ ଗୌରବାନ୍ୱିତ କରିବାର ପ୍ରେରଣାଦାୟୀ ନିର୍ଣ୍ଣୟ ନେଇଥିଲେ ନିକିତା ।

ପତିଙ୍କ ସହିଦର ଠିକ ଛଅ ମାସ ପରେ ନିକିତା ସର୍ଟ ସର୍ଭିସ କମିଶନ(ଏସଏସପି)ର ଫର୍ମ ଭରିଥିଲେ । ସେ ପରୀକ୍ଷାରେ ଉତୀର୍ଣ୍ଣ ହେବା ସହ ସେବା ଚୟନ ବୋର୍ଡ(ଏସଏସବି)ର ସମସ୍ତ ଇଂଟରଭ୍ୟୁରେ ସଫଳତା ହାସଲ କରିଥିଲେ । ଏହା ପରେ ଟ୍ରେନିଂ ପାଇଁ ଚେନ୍ନାଇ ସ୍ଥିତ ଅଧିକାରୀ ପ୍ରଶିକ୍ଷଣ ଏକାଡେମୀ(ଓଟିଏ)ରେ ଯୋଗ ଦେଇଥିଲେ । ଏବେ ସେ ମେ ୨୯ରେ ଲେଫ୍ଟନାଂଟ ନିକିତା କୌଲ ଧୌଣ୍ଡିଆଲ ଭାବେ ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛନ୍ତି ।

 

କେବଳ ଏତିକି ନୁହେଁ ନିକିତା ଗତ ବର୍ଷ ହରିୟାଣା ପୋଲିସକୁ ୧୦୦୦ ପ୍ରୋଟେକ୍ଟିଭ୍ କିଟ୍ ମଧ୍ୟ ଦାନ କରିଥିଲେ । ତାଙ୍କର ଏହି କାର୍ଯ୍ୟକୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ପ୍ରଶଂସା କରି କୃତଜ୍ଞତା ଜଣାଇଥିଲେ । ନିକିତା ସେହି ଲୋକଙ୍କ ପାଇଁ ଏବେ ପ୍ରେରଣା ସ୍ରୋତ ପାଲଟିଛନ୍ତି ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ।

Get real time updates directly on you device, subscribe now.