ପୁଣେ : ଝିମିଟି ଖେଳରୁ ମହାଭାରତ । ଏହି ଉକ୍ତିଟି ଆମର ଦୈନନ୍ଦୀନ ଜୀବନରେ ସାଧାରଣ କଥାରେ ପରିଣତ ହୋଇଗଲାଣି । ଛୋଟ ଛୋଟ କଥାକୁ ନେଇ ବଡ ଘଟଣା ଘଟିଯିବା ନିତିଦିନିଆ କଥାରେ ପରିଣତ ହୋଇଗଲାଣି । ଏମିତି ଏକ ଘଟଣା ଯେଉଁଠି ଗୁପଚୁପକୁ ନେଇ ଝଗଡା ପରେ ସ୍ତ୍ରୀ ଆତ୍ମହତ୍ୟା କରିଛି । ଏମିତି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ । ୨୩ ବର୍ଷୀୟ ମହିଳା ଗୁପଚୁପକୁ ନେଇ ସ୍ୱାମୀ ସହ ଝଗଡା କରିବା ପରେ ନିଜ ଜୀବନ ହାରିଛନ୍ତି ।
ପୋଲିସ ବୁଧବାର ଘଟଣାର ସୂଚନା ଦେଇ କହିଛିି ଯେ, ସ୍ୱାମୀ କିଛି ନଜଣାଇ ଗୁପଚୁପ୍ ଘରକୁ ନେଇ ଆସିଥିଲେ । ହେଲେ ମହିଳା ଘରେ ରୋଷେଇ କରି ସାରିଥିଲେ । ଯାହାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ମହିଳାଙ୍କ ନାମ ପ୍ରତୀକ୍ଷା ସରବଡେ । ସେ ୨୦୧୯ରେ ଗହିନିନାଥ ସରବଡେଙ୍କ ସହ ବିବାହ କରିଥିଲେ । ଉଭୟଙ୍କ ମଧ୍ୟରେ ଘର କଥାକୁ ନେଇ ସର୍ବଦା ଝଗଡା ହେଉଥିଲା ।
ଭାରତୀ ବିଦ୍ୟାପୀଠ ଥାନାର ଜଣେ ଅଧିକାରୀ କହିଛନ୍ତି, ଗତ ଶୁକ୍ରବାର ପତ୍ନୀକୁ ନଜଣାଇ ସ୍ୱାମୀ ଘରକୁ ଗୁପଚୁପ୍ ନେଇ ଆସିଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହେଲା । କାରଣ ମହିଳା ଘରେ ଖାଦ୍ୟ ରୋଷେଇ କରି ସାରିଥିଲେ । ଏହାର ପରବର୍ତ୍ତୀ ଦିନ ମହିଳା ବିଷ ପିଇ ଦେଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମହିଳାଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ମୋମବାର ମହିଳାଙ୍କ ସ୍ୱାମୀଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲା ରୁଜୁ କରିଛି ।
ଉଭୟଙ୍କ ୧୮ ମାସର ଶିଶୁ ରହିଛି । ସ୍ୱାମୀ-ସ୍ତ୍ରୀ ପଠାର ସ୍ଥିତ ଘରେ ରହୁଥିଲେ । ମହିଳାଙ୍କ ବାପା ନିଜ ଜ୍ୱାଇଁ ବିରୋଧରେ ଆତ୍ମହତ୍ୟା ପାଇଁ ଝିଅକୁ ଉସୁକାଇବା ମାମଲା ରୁଜୁ କରିଥିଲେ । ଏହା ପରେ ପୋଲିସ ସୋମବାର ଗହିନିନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଉଭୟଙ୍କ ବିବାହ ୨୦୧୯ରେ ହୋଇଥିଲା । ହେଲେ ଛୋଟ ଛୋଟ କଥାକୁ ନେଇ ଦମ୍ପତ୍ତିଙ୍କ ମଧ୍ୟରେ ଝଗଡା ହେଉଥିଲା ବୋଲି ସିନିୟର ଇନ୍ସପେକ୍ଟର ଜଗନ୍ନାଥ କାଲସକର କହିଛନ୍ତି ।