ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା; ନିୟମକୁ ମାନୁନି ଇସ୍କନ, ଶ୍ରୀମନ୍ଦିର ପରମ୍ପରା ଭାଙ୍ଗିବା ଅନୁଚିତ କହିଲେ ଗଜପତି ମହାରାଜା
ପୁରୀ: ବିଦେଶରେ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ପ୍ରେସମିଟ କରି ବର୍ଷିଲେ ଗଜପତି ମହାରାଜା କଷ୍ଣଚନ୍ଦ୍ର ଗଜପତି । ଇସ୍କନର ଅଦିନିଆ ରଥ ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ କହିଲେ ଗଜପତି । 9 ତାରିଖରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜିତ ହେଉଛି । ଚିଠି ଲେଖିବା ସତ୍ତ୍ବେ ଇସ୍କନ ନମାନି ରଥଯାତ୍ରା ଆୟୋଜନ କରୁଥିବା ନେଇ କ୍ଷୋଭ ପ୍ରକାଶ କରିଥଛନ୍ତି ଗଜପତି ।
ପ୍ରେସମିଟ୍ କରି କହିଛନ୍ତି, “ପୂର୍ବରୁ 3 ତାରିଖରେ ସ୍ନାନଯାତ୍ରା କରିବା ନେଇ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ଏହାକୁ ଇସ୍କନ ବାତିଲ କରିଛି । ହେଲେ ରଥଯାତ୍ରା ଆୟୋଜନ କରୁଛନ୍ତି । ଶ୍ରୀମନ୍ଦିରର ପରମ୍ପରା ଭାଙ୍ଗିବା ଠିକ୍ କଥା ନୁହେଁ । 1969 ମସିହାରୁ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରିଆସୁଛି । ତେବେ ବାରମ୍ବାର ବାରଣ କରିବା କାରଣରୁ 2021 ମସିହାରୁ ଏହା ହେଉନଥିଲା । କିନ୍ତୁ ବିଦେଶରେ ଇସ୍କନ ଏହି ନିୟମ ଭାଙ୍ଗି ରଥଯାତ୍ରା କରୁଛି । ବହୁତ ହୋଇଗଲା ଏଥର ଆଉ ଛଡାଯିବନି । ଆଇନର ରାସ୍ତା ନେବୁ ।” ଅଦିନିଆ ରଥଯାତ୍ରାର ଆୟୋଜନ ଜଗନ୍ନାଥ ସଂସ୍କୃତି ଓ ଶ୍ରୀମନ୍ଦିରର ପରମ୍ପରା ଭାଙ୍ଗିବା ଭଳି । ତେବେ ମାର୍ଚ୍ଚରେ ଇସ୍କନର ଗଭର୍ଣ୍ଣିଂ କାଉନସିଲ ବୈଠକ ରହିଛି । ଆମେ ସେତିକି ଦିନ ଯାଏଁ ଅପେକ୍ଷା କରିବୁ । ଯଦି ସେଠାରେ ସେମାନେ ମାନିଯାଆନ୍ତି ତାହେଲେ ଭଲ କଥା, ନଚେତ୍ ଏଥର ଛଡାଯିବନି ବୋଲି ମହାରାଜା କହିଛନ୍ତି ।