fbpx

ସୋମବାର ଦିଲ୍ଲୀ ପହଞ୍ଚିବେ ରୁଷ ରାଷ୍ଟ୍ରପତି ପୁଟିନ୍, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହେବ ଶିଖର ବାର୍ତ୍ତା

ନୂଆଦିଲ୍ଲୀ : ସୋମବାର ଦିଲ୍ଲୀ ପହଞ୍ଚୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଦୁଇ ଦେଶର ରାଷ୍ଟ୍ରାଧ୍ୟକ୍ଷ ଶିଖର ବାର୍ତ୍ତାରେ ସାମିଲ୍ ହେବେ। ଶିଖର ବାର୍ତ୍ତାରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ ଏବଂ ନିବେଶ, ଉର୍ଜା ଏବଂ ପ୍ରଯୁକ୍ତିବିଦ୍ୟା ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରରେ ଅନେକ ରାଜିନାମା ଉପରେ ହସ୍ତାକ୍ଷର କରିବାର ସମ୍ଭାବନା ରହିଛି। ସରକାରୀ ସୂତ୍ର ଅନୁଯାୟୀ, ପ୍ରଥମ ଟୁ ପ୍ଲସ୍ ଟୁ ଶିଖର ବାର୍ତ୍ତାରେ ଆଫଗାନିସ୍ତାନ ପ୍ରସଙ୍ଗ ଏବଂ ଲସ୍କର ଇ ତୋଇବା, ଜୈଶ ଇ ମହମ୍ମଦ ପରି ଗୋଷ୍ଠୀ ସମେତ ଆତଙ୍କବାଦର ବଢୁଥିବା ବିପଦ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।
ରବିବାର ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଓ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋୟଗୁ ଭାରତ ପହଞ୍ଚି ସାରିଛନ୍ତି। ସୋମବାର ପୁଟିନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରସ୍ପରକୁ ସାକ୍ଷାତ କରିବେ। ପ୍ରତିବର୍ଷ ଦୁଇ ଦେଶ ମଧ୍ୟରେ ଶିଖର ବାର୍ତ୍ତା ଆୟୋଜନ ହୋଇଥାଏ। ହେଲେ କରୋନା କାରଣରୁ ୨୦୨୦ରେ ଶିଖର ବାର୍ତ୍ତା ହୋଇପାରିନଥିଲା। କରୋନା କାଳ ଏବଂ ଚୀନର ସୀମା ବିବାଦ ସମେତ ଆଫଗାନିସ୍ତାନରେ ତାଲିବାନ ସରକାର ସମେତ ଅନେକ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏଥର ରୁଷ ଏବଂ ଭାରତ ଟୁ ପ୍ଲସ୍ ଟୁ ଶିଖର ବାର୍ତ୍ତାକୁ ବହୁତ ଗୁରୁତ୍ଵପୂର୍ଣ୍ଣ କୁହାଯାଉଛି।
ବୈଦେଶିକ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଓ ରୁଷ ରାଷ୍ଟ୍ରପତି ପୁଟିନ ସୋମବାର ସନ୍ଧ୍ୟା ୫ଟା ୩୦ରେ ଶିଖର ବାର୍ତ୍ତା ଆରମ୍ଭ କରିବେ। ଏହା ପରେ ରାତି ୯ଟା ୩୦ରେ ଦିଲ୍ଲୀରୁ ରୁଷ ଅଭିମୁଖେ ଉଡାଣ ଭରିବେ। ଶିଖର ବାର୍ତ୍ତାରେ ଦୁଇ ପକ୍ଷ ସାମଗ୍ରୀ ସହଯୋଗ ରାଜିନାମା ପାଇଁ ଆଲୋଚନାକୁ ଅନ୍ତିମ ରୂପ ଦେବାର ପୂରା ସମ୍ଭାବନା ରହିଛି। ଏହି ରାଜିନାମା ଉପରେ ଦୁଇ ରାଷ୍ଟ୍ରାଧ୍ୟକ୍ଷ ହସ୍ତାକ୍ଷର ମଧ୍ୟ କରି ପାରନ୍ତି।

Get real time updates directly on you device, subscribe now.