fbpx

T-20 କ୍ରିକେଟରୁ ଅବସର ନେଲେ ରବୀନ୍ଦ୍ର ଜାଡେଜା

Advertisement

ନୂଆଦିଲ୍ଲୀ: ଦୀର୍ଘ ୧୭ ବର୍ଷ ପରେ ଭାରତ ଟି-୨୦ ବିଶ୍ୱକପରେ ବିଜୟୀ ହେବା ପରେ ଦୁଇ ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ବିରାଟ କୋହଲି ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ତେବେ ଏହା ମଧ୍ୟରେ ଟିମ୍ ଇଣ୍ଡିଆର ପୁଣି ଜଣେ ଷ୍ଟାର ଖେଳାଳି ଅନ୍ତର୍ଜାତୀୟ ଟି-୨୦ କ୍ରିକେଟକୁ ଅଲବିଦା କହିଛନ୍ତି । ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଟି-୨୦ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ରୋହିତ, ବିରାଟଙ୍କ ପରେ ଅବସର ଘୋଷଣା କରି ଏବେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ସାର ଜାଡେଜା ।

୨୦୦୯ ମସିହା ଫେବୃଆରୀ ୧୦ ତାରିଖରେ ଜାଡେଜା ଟି-୨୦ ଇଣ୍ଟରନ୍ୟାସନାଲରେ ଡେବ୍ୟୁ କରିଥିଲେ । ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ ମ୍ୟାଚରେ ସେ ୪ ଓଭର ବୋଲିଂ କରି ୨୯ ରନ୍ ଦେଇଥିଲେ । ଏଥିସହିତ ବ୍ୟାଟିଂରେ ୭ଟି ବଲ ଖେଳି ୫ ରନ୍ ସଂଗ୍ରହ କରିଥିଲେ । ଗତକାଲି ଖେଳାଯାଇଥିବା ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚରେ ଜାଡେଜା ୨ ରନ୍ କରିବା ସହ କୌଣସି ୱିକେଟ ନେଇନଥିଲେ । ଅର୍ଥାତ ଜାଡେଜାଙ୍କର ଡେବ୍ୟୁ ଓ ଅନ୍ତିମ ମ୍ୟାଚର ପ୍ରଦର୍ଶନ ପାଖାପାଖି ସମାନ ରହିଥିଲା ।

ଜାଡେଜା ମୋଟ ୭୨ଟି ଟେଷ୍ଟ ମ୍ୟାଚ ଖେଳି ୩୦୩୬ ରନ୍ ସଂଗ୍ରହ କରିଥିବା ବେଳେ ସେଥିମଧ୍ୟରେ ୪ଟି ଶତକ ଓ ୨୦ଟି ଅର୍ଦ୍ଧଶତକ ରହିଥିଲା । ଏଥିସହିତ ସେ ୨୯୪ଟି ୱିକେଟ ଅକ୍ତିଆର କରିଥିଲେ । ସେହିପରି ଦିନିକିଆରେ ସେ ୧୯୭ଟି ମ୍ୟାଚ ଖେଳି ୨୭୫୬ ରନ୍ ସଂଗ୍ରହ କରିଥିବା ବେଳେ ସେଥିରେ ୧୩ଟି ଅର୍ଦ୍ଧଶତକ ରହିଥିଲା । ସେ ଦିନିକିଆରେ ୨୨୦ଟି ୱିକେଟ ନେଇଥିଲେ । ଟି-୨୦ କ୍ରିକେଟରେ ସେ ୭୪ଟି ମ୍ୟାଚ ଖେଳି ୫୧୫ ରନ୍ ସଂଗ୍ରହ କରିଥିଲେ ।

Get real time updates directly on you device, subscribe now.