fbpx

ସୀମାରେ ଆଉ ଚାଲିବନି ଚୀନ୍‌ର ଦାଦାଗିରି, ଡ୍ରାଗନ ସେନାକୁ ଚକ୍‌ମା ଦେବାକୁ ସୀମାରେ ମୁତୟନ ହେବ ଅଧିକ ରାଫେଲ୍‌

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): ସୀମାରେ ଆଉ ଚାଲିବନି ଚୀନ୍‌ର ଦାଦାଗିରି । ଚୀନ୍‌ର ଚାଲ୍‌କୁ ଚକ୍‌ମା ଦେଇ କଡ଼ା ଜବାବ୍‌ ଦେବାକୁ ଭାରତ ପକ୍ଷରୁ ଯୋରଦାର୍‌ ପ୍ରସ୍ତୁତି କରାଯାଉଛି । ଚୀନ୍‌ର ସଂଲଗ୍ନ ଭାରତର ପୂର୍ବ ସୀମାରେ ଅଧିକ ରାଫେଲ୍‌ ମୁତୟନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ପଶ୍ଚିମବଙ୍ଗସ୍ଥିତ ହାସିମାରା ଏୟାରବେସ୍‌ରେ ଆକାଶର ବାହୁବଳୀ କୁହାଯାଉଥିବା ରାଫେଲ୍‌ ଯୁଦ୍ଧବିମାନ ଔପଚାରିକଭାବେ ମୁତୟନ କରାଯିବା ପୂର୍ବରୁ ଭାରତୀୟ ବାୟୁସେନା ପକ୍ଷରୁ ଦ୍ୱିତୀୟ ସ୍କ୍ୱାର୍ଡନ୍‌ ପ୍ରସ୍ତୁତ କରିନେଇଛି । ଏହି ସ୍କ୍ୱାର୍ଡନ୍‌ର ନାମ “୧୦୧ ଫାଲକନ୍‌ସ୍‌ ଅଫ୍‌ ଛମ୍ବ୍‌ ଆଣ୍ଡ୍‌ ଅଖନୁର୍‌’ ଦିଆଯାଇଛି ।

ପୂର୍ବରୁ ଅମ୍ବାଲାରେ ୧୮ଟି ରାଫେଲ୍‌ ଯୁଦ୍ଧ ବିମାନ ସହ ପ୍ରଥମ ସ୍କ୍ୱାର୍ଡନ୍‌ ୧୭ ଗୋଲ୍ଡେନ୍‌ ଆରୋଜ୍‌ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ୧୦୧ ସ୍କ୍ୱାର୍ଡନ୍‌ ନିକଟରେ ଏବେ ୫ଟି ରାଫେଲ୍‌ ରହିଛି । ଏଗୁଡ଼ିକ ନିକଟରେ ଫ୍ରାନ୍ସରୁ ଅଣାଯାଇଥିଲା ।

୨୦୧୬ ସେପ୍ଟେମ୍ବରରେ ଭାରତ ସରକାର ଓ ଫ୍ରାନ୍ସ ସରକାର ମଧ୍ୟରେ ୩୬ଟି ଡବଲ୍‌ ଇଞ୍ଜିନ୍‌ ରାଫେଲ୍‌ ଯୁଦ୍ଧବିମାନ ୫୯ ହଜାର କୋଟି ଟଙ୍କାରେ କ୍ରୟ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଭାରତକୁ ୨୩ଟି ରାଫେଲ୍‌ ମିଳିଛି । ତେଣୁ ବାକି ଥିବା ୧୩ଟି ରାଫେଲ୍‌ ଯୁଦ୍ଧବିମାନ ଗୁଡ଼ିକ ଆଗାମୀ ବର୍ଷ ଏପ୍ରେଲ୍‌ ସୁଦ୍ଧା ଫ୍ରାନ୍ସରୁ ଭାରତ ଆସିଯିବ ବୋଲି ଅନୁମାନ କରାଯାଉଛି ।

ଭାରତୀୟ ବାୟୁସେନା ମୁଖ୍ୟ ଏୟାର୍‌ ଚିଫ୍‌ ମାର୍ଶଲ୍‌ ଆର୍‌.କେ.ଏସ୍‌. ଭଦୌରିଆ ଗତ ଶନିବାର କହିଥିଲେ ଯେ ରାଫେଲ୍‌ଗୁଡ଼ିକର ମୁତୟନ ଭାରତୀୟ ବାୟୁସେନା ନିଜ ଲକ୍ଷ୍ୟସ୍ଥଳରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କରିବାକୁ ଯୋଜନା ରଖି କାର୍ଯ୍ୟ କରୁଛି । ୧୦୧ ସ୍କ୍ୱାର୍ଡନ୍‌ର ଔପଚାରିକ ସେରିମନି କରୋନା ସଂକ୍ରମଣ ଜନିତ ସ୍ଥିତି ଯୋଗୁଁ ବିଳମ୍ବ ହୋଇଛି । କିନ୍ତୁ ଏବେ ଆଗାମୀ ୧ ମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ଗ୍ରୁପ୍ କ୍ୟାପଟେନ୍‌ ରୋହିତ୍‌ କଟାରିଆ ୧୭ ସ୍କ୍ୱାର୍ଡନ୍‌ର କମାଣ୍ଡିଂ ଅଫିସର ହୋଇଥିବା ବେଳେ ୧୦୧ ସ୍କ୍ୱାର୍ଡନ୍‌ର ଦାୟିତ୍ୱ ଗ୍ରପ୍ କ୍ୟାପଟେନ୍‌ ନୀରଜ ଝାମ୍ବେଙ୍କୁ ଦିଆଯାଇଛି । ଭାରତୀୟ ବାୟୁସେନା ଚୀନ୍‌ର ଯୋଜନାକୁ ମାତ୍‌ ଦେବାକୁ ଲକ୍ଷ୍ୟ ରଖି ଅମ୍ବାଲା ଓ ହସିମାରାରେ ରାଫେଲ୍‌ ମୁତୟନ କରିବାକୁ ପ୍ରସ୍ତୁତି ଚଳାଇଛି । ତେବେ ରାଫେଲ୍‌ର କ୍ଷମତା ଅନୁସାରେ ଏହି ଅତ୍ୟାଧୁନିକ ଯୁଦ୍ଧବିମାନ ଭାରତର ଯେ କୌଣସି ସ୍ଥାନରୁ ବି ଶତ୍ରୁକ୍ଷର ଚାଲ୍‌କୁ ଚକ୍‌ମା ଦେବାରେ ସମର୍ଥ ।

Get real time updates directly on you device, subscribe now.