fbpx

ଶିଖର ଧାଓ୍ଵନଙ୍କୁ ଫୋନ କରିଥିଲେ ରାହୁଲ ଦ୍ରାବିଡ, ଜଣାଇଲେ କ’ଣ ପାଇଁ ଟି-୨୦ ଦଳରେ ଚୟନ କରାଗଲା ନାହିଁ !

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୨ ପରେ ଭାରତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜ ଜୁନ ୯ରୁ ଆରମ୍ଭ ହେବ। ଏଥିପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଥିବା ବେଳେ କେଏଲ ରାହୁଲଙ୍କୁ ଦଳର ଅଧିନାୟକ କରାଯାଇଛି।

ଟି-୨୦ ଦଳରେ ଅନେକ ବଡ ବଡ ଖେଳାଳି ପ୍ରତ୍ୟାବର୍ତ୍ତନ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲଙ୍କ ପରି ଖେଳାଳିଙ୍କ ଦଳରେ ପ୍ରତ୍ୟାବର୍ତ୍ତନ ଘଟିଛି। ସେହି ପରି ଆଇପିଏଲ ୨୦୨୨ରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳିଛି। ଅର୍ଶଦୀପ ସିଂହ ଏବଂ ଉମରାନ ମଲିକଙ୍କୁ ପ୍ରଥମ ଥର ଭାରତୀୟ ଦଳରେ ସାମିଲ୍ କରାଯାଇଛି।

ସବୁଠୁ ଆଶ୍ଚର‌୍ୟ୍ୟକର କଥା ଶିଖର ଧାଓ୍ଵନଙ୍କୁ ଦଳରେ ସାମିଲ୍ କରାଯାଇ ନାହିଁ। ସେ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିବା ସହ ଭଲ ଫର୍ମରେ ଅଛନ୍ତି। ତଥାପି ଚୟନକର୍ତ୍ତା ତାଙ୍କୁ ଦଳରେ ନେଇ ନାହାନ୍ତି। ଏହାକୁ ନେଇ ଅଧିକାଂଶ ପୂର୍ବତନ ବରିଷ୍ଠ ଖେଳାଳି ଏବଂ ପ୍ରଶଂସକ ଚକିତ। ଏବେ ଏହି ମାମଲାରେ ନୂତନ ଖୁଲାସା ହୋଇଛି। ଦଳ ଘୋଷଣା ପୂର୍ବରୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ନିଜେ ଧାଓ୍ଵନଙ୍କୁ ଫୋନ କରି ତାଙ୍କୁ କଣ ପାଇଁ ଟି-୨୦ ଦଳରେ ସାମିଲ୍ କରାଯାଇନି ଜଣାଇଥିଲେ।

ଦ୍ରାବିଡଙ୍କ ନିଷ୍ପତ୍ତିରେ ସମସ୍ତେ ସହମତ

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଶିଖର ଧାଓ୍ଵନ ଏକ ଦଶନ୍ଧି ଧରି ଭାରତୀୟ ଦଳ ପାଇଁ ଭଲ ଖେଳି ଆସିଛନ୍ତି। ମାତ୍ର ଟି-୨୦ରେ ଯେଉଁ ଯୁବ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ସୁଯୋଗ ମିଳିବା ଉଚିତ୍। ରାହୁଲ ଏହି ମୁସ୍କିଲ ନିଷ୍ପତ୍ତି ନେବାକୁ ଚାହୁଁଥିଲେ ଏବଂ ସମସ୍ତେ ତାଙ୍କ ସହ ସହମତ ଥିଲେ। ଦଳ ଘୋଷଣା ପୂର୍ବରୁ ନିଜେ ରାହୁଲ ଦ୍ରାବିଡ ଶିଖରଙ୍କୁ ଫୋନ କରି ଏହାର ସୂଚନା ଦେଇଥିଲେ।

ଅଧିକାରୀ କହିଛନ୍ତି, ଯୋଜନା ସଂପୂର୍ଣ୍ଣ ସରଳ। ଯେବେ ଆପଣଙ୍କ ପାଖରେ ଋତୁରାଜ ଗାଏକଓ୍ଵାଡ, ଇଶାନ କିଷନ, କେଏଲ ରାହୁଲ ଏବଂ ସଞ୍ଜୁ ସାମସନଙ୍କ ପରି ଟପ୍ ଅର୍ଡର ବ୍ୟାଟସମ୍ୟାନ ଅଛନ୍ତି, ତେବେ ଆପଣଙ୍କ ପାଇଁ ବରିଷ୍ଠ ଖେଳାଳିଙ୍କୁ ସାମିଲ୍ କରିବା ମୁସ୍କିଲ ହୋଇଥାଏ। ରାହୁଲ ଦ୍ରାବିଡ କଣ କରିବାକୁ ଚାହାନ୍ତି ଏହାର ସ୍ପଷ୍ଟ ଆଇଡିଆ ତାଙ୍କ ପାଖରେ ଅଛି। ଆମେ ସମସ୍ତେ ଶିଖର ଧାଓ୍ଵନ ଖୁବ୍ ସମ୍ମାନ କରୁ। ଏହି କାରଣରୁ ଦ୍ରାବିଡ ନିଜେ ଫୋନ କରି ଶିଖରଙ୍କ ସହ କଥା ହୋଇଥିଲେ। ଶିଖର ଟି-୨୦ ଯୋଜନାରେ କେବେ ନଥିବା ଅଧିକାରୀ କହିଛନ୍ତି।

Get real time updates directly on you device, subscribe now.