‘ମୋଦୀ ସରନେମ୍’ ବିବାଦୀୟ ମନ୍ତବ୍ୟ ପାଇଁ ଦୋଷୀ ସାବ୍ୟସ୍ତ ହେଲେ ରାହୁଲ ଗାନ୍ଧୀ, ସୁରତ ଅଦାଲତର ରାୟ

News across the Earth, news close to your heart, Read Odisha Bhaskar English

ଗୁଜରାଟ: ମୋଦୀ ସରନେମ୍ କୁ ନେଇ କରାଯାଇଥିବା ବିବାଦୀୟ ଟିପ୍ପଣୀ ମାମଲାରେ ଗୁଜରାଟ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଖୁବ ଶୀଘ୍ର ଜିଲ୍ଲା କୋର୍ଟ ଏହି ଦଣ୍ଡ ଘୋଷଣା କରିବେ । ରାହୁଲ ଗାନ୍ଧୀ ଏହି ଅଦାଲତର ଶୁଣାଣି ସମୟରେ ଉପସ୍ଥିତ ରହିବେ । ରାହୁଲଙ୍କ ବିରୋଧରେ ମାନହାନୀ ମକଦ୍ଦମା ରୁଜୁ କରାଯାଇଛି ।

ଏହି ମାମଲା ୨୦୧୯ ମସିହାର ଲୋକସଭା ନିର୍ବାଚନ ପୂର୍ବରୁ ଘଟିଥିଲା । ଅଭିଯୋଗ ହୋଇଛି ଯେ, କର୍ଣ୍ଣାଟକ କୋଲାରରେ ଏକ ରାଲୀରେ ରାହୁଲଗାନ୍ଧୀ କହିଥିଲେ ଯେ, ‘କିପରି ସମସ୍ତ ୪ଜଣଙ୍କ ସରନେମ୍ ମୋଦୀ ଅଟେ’ । ତାଙ୍କର ଏହି ବୟାନ ଉପରେ ବିଜେପି ବିଧାୟକ ଏବଂ ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଅଭିଯୋଗ ଦାଖଲ କରିଛନ୍ତି । ଅଭିଯୋଗକାରୀ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଏହି ଟିପ୍ପଣୀରେ ସଂପୂର୍ଣ୍ଣ ମୋଦୀ ସଂପ୍ରଦାୟକୁ ବଦନାମ କରିଛନ୍ତି ।

ପୂର୍ଣ୍ଣେଶ ମୋଦୀ ସୁରତରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଥିଲେ। ତାଙ୍କ ଅଭିଯୋଗ ଉପରେ ସୁରଟ ସହରର ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଏଚ୍ ଏଚ୍ ଭୋରାଙ୍କ କୋର୍ଟରେ ଏକ ଦୀର୍ଘ ଶୁଣାଣି ଚାଲିଥିଲା। ଉଭୟ ପକ୍ଷର ଦୀର୍ଘ ବିତର୍କ ଶୁକ୍ରବାର ଦିନ ଶେଷ ହୋଇଛି।

ରାହୁଲଗାନ୍ଧୀ ଗତ ଅକ୍ଟୋବର ୨୦୨୧ ରେ ଏହି ମାମଲାରେ କୋର୍ଟରେ ହାଜର ହୋଇଥିଲେ, ଯାହା ପରେ ତାଙ୍କୁ କୋର୍ଟରେ ହାଜର ହେବାକୁ ଛାଡି ଦିଆଯାଇଥିଲା। ରାହୁଲ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ସେ ଏହା ଜାଣି ନାହାଁନ୍ତି ଏବଂ ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଅଟନ୍ତି। ଏଥି ସହିତ ରାହୁଲଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ, କଂଗ୍ରେସ ନେତାଙ୍କ ବିରୋଧରେ କୌଣସି ଡକ୍ୟୁମେଣ୍ଟାରୀ ପ୍ରମାଣ ନାହିଁ ଏବଂ ୧୩ କୋଟି ଜନସଂଖ୍ୟା ବିଶିଷ୍ଟ ସମାଜ ବିଷୟରେ କୌଣସି ରାଜନେତା ମିଥ୍ୟା ବିବୃତ୍ତି କରିବେ ନାହିଁ। ରାହୁଲଙ୍କ ଓକିଲ ସ୍ପଷ୍ଟ କରିଛନ୍ତି ଯେ, ସେ ନରେନ୍ଦ୍ର ମୋଦୀ, ଲଲିତ ମୋଦୀ, ନିରାଭ ମୋଦୀ ଏବଂ ଅନ୍ୟମାନଙ୍କ ନାମ ଉପରେ ଟିପ୍ପଣୀ କରିଥିଲେ, ହେଲେ ସମାଜକୁ ନେଇ ନୁହେଁ।

Get real time updates directly on you device, subscribe now.