fbpx

ଟ୍ରାକ୍ଟର ନେଇ ସଂସଦ ପହଞ୍ଚିଲେ ରାହୁଲ ଗାନ୍ଧୀ, କହିଲେ- କୃଷକଙ୍କୁ ଆତଙ୍କୀ ଭାବୁଛି ମୋଦୀ ସରକାର

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଟ୍ରାକ୍ଟର ଧରି ସଂସଦ ପହଞ୍ଚିଛନ୍ତି। ମୌସୁମି ଅଧିବେଶନରେ ଯୋଗ ଦେବାକୁ ପହଞ୍ଚିଥିବା ରାହୁଲ କହିଛନ୍ତି, ମୁଁ କୃଷକଙ୍କ ସନ୍ଦେଶ ନେଇ ସଂସଦ ଆସିଛି। ସରକାର କୃଷକଙ୍କ ସ୍ଵରକୁ ଚାପି ଦେବାକୁ ପ୍ରୟାସ କରୁଛନ୍ତି। ସେମାନଙ୍କ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବାକୁ ଦେଉ ନାହିଁ। ତିନି ନୂତନ କୃଷକ ଆଇନକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି, ଏହା କଳା ଆଇନ ଏବଂ ସରକାରଙ୍କୁ ଏହା ପ୍ରତ୍ୟାହାର କରିବା ଉଚିତ୍। ସମଗ୍ର ଦେଶ ଏହା ଜାଣୁଛି ଯେ, ଏହି ତିନି ଆଇନ ଦେଶର ୨ ରୁ ୩ ଉଦ୍ୟୋଗପତିଙ୍କୁ ଫାଇଦା ଦେବା ପାଇଁ ଲାଗୁ କରାଯାଉଛି।

କଂଗ୍ରେସ ନେତା କେନ୍ଦ୍ର ସରକାରଙ୍କୁ ଶାଣିତ ସ୍ଵରରେ ହମଲା କରି କହିଛନ୍ତି, ସରକାରଙ୍କ ଅନୁଯାୟୀ କୃଷକ ବହୁତ ଖୁସିରେ ଅଛନ୍ତି। ସଂସଦ ବାହାରେ ପ୍ରଦର୍ଶନ କରୁଥିବା ଲୋକେ ଆତଙ୍କବାଦୀ ବୋଲି ମୋଦୀ ସରକାର ଭାବୁଛନ୍ତି। ମାତ୍ର ବାସ୍ତବରେ ସରକାର କୃଷକଙ୍କ ଅଧିକାର ଛଡାଇବାରେ ଲାଗିଛି।

 

ହେଲେ ରାହୁଲ ଗାନ୍ଧୀଙ୍କୁ ଟ୍ରାକ୍ଟର ନେଇ ସଂସଦ ଭିତରକୁ ଯିବାକୁ ଦିଆଯାଇ ନାହିଁ। ତାଙ୍କ ସହ ସାମିଲ ଏସି ଗାଡିକୁ ସଂସଦରେ ପ୍ରବେଶ ଅନୁମତି ମିଳିଥିଲା। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଶିରୋମଣୀ ଅକାଳି ଦଳ ଓ ବହୁଜନ ସମାଜ ପାର୍ଟିର ସାଂସଦ ମଧ୍ୟ ତିନି ନୂତନ କୃଷି ଆଇନ ବିରୋଧରେ ସଂସଦ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି।

ଟ୍ରାକ୍ଟର ରାଲି ବାହାର କରିବା ନେଇ ଦିଲ୍ଲୀ ପୋଲିସ କଂଗ୍ରେସ ସାଧାରଣ ସଂପାଦକ ରଣଦୀପ ସୁରଜେଓ୍ଵାଲା, ଯୁବ କଂଗ୍ରେସ  ସଭାପତି ବିଭି ଶ୍ରୀନିବାସ ଓ ଅନେକ ନେତାଙ୍କୁ ଅଟକ ରଖିଛି। ଏହି ନେତାଙ୍କ ଉପରେ ପୋଲିସ ଧାରା ୧୪୪ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି। ସୂଚନାଯୋଗ୍ୟ, ଏହି ସବୁ ନେତା ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଟ୍ରାକ୍ଟର ରାଲି କରୁଥିଲେ। ଆଜି ସକାଳେ ରାହୁଲ ଟ୍ରାକ୍ଟର ନେଇ ସଂସଦ ପହଞ୍ଚିଥିଲେ ଏବଂ ସେ କୃଷକଙ୍କ ସନ୍ଦେଶ ନେଇ ଆସିଥିବା କହିଥିଲେ।

Get real time updates directly on you device, subscribe now.