fbpx

ଶ୍ରୀକ୍ଷେତ୍ରରେ ‘ସୁଜଳ’ ଧାରା, ଦେଶରେ ପ୍ରଥମ ‘ବିକାଶ’ର ନାରା

ପୁରୀ(ଓଡ଼ିଶା ଭାସ୍କର): ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ । ପୁରୀରେ Drink from Tap ପ୍ରକଳ୍ପ ତଥା ସୁଜଳ ମିସନ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପୁରୀ ହେଉଛି ଦେଶର ପ୍ରଥମ ସହର । ଏହାଦ୍ୱାରା ପୁରୀର ଜନସାଧାରଣ ଟ୍ୟାପରୁ ସିଧାସଳଖ ଉଚ୍ଚମାନର ପିଇବା ପାଣି ପାଇଲେ । ପିଇବା ପାଣିକୁ ଗଚ୍ଛିତ କରି ରଖିବା ଦରକାର ନାହିଁ, କିମ୍ବା ଫିଲଟର୍ କରିବା ମଧ୍ୟ ଆବଶ୍ୟକ ନାହିଁ । ବିଶ୍ୱର କେବଳ ବଡ଼ ବଡ଼ ସହରରେ ଏଭଳି ସୁବିଧା ମିଳେ । ଏହାଦ୍ୱାରା ପୁରୀର ଅଢ଼େଇ ଲକ୍ଷ ଜନସାଧାରଣଙ୍କ ସହିତ ବର୍ଷକୁ ଆସୁଥିବା ୨ କୋଟି ପର୍ଯ୍ୟଟକ ଉପକୃତ ହେବେ ।

  • ୫-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ମଡେଲ, ୯ ମାସରେ ପ୍ରକଳ୍ପ ହେଲା କାର୍ଯ୍ୟକ୍ଷମ
  • ଅଢ଼େଇ ଲକ୍ଷ ପୁରୀବାସୀ ଓ ଦୁଇ କୋଟି ପର୍ଯ୍ୟଟକ ଉପକୃତ ହେବେ
  • ଲଣ୍ଡନ-ଟୋକିଓ-ନ୍ୟୁୟର୍କ-ସିଙ୍ଗାପୁର ପରି ପୁରୀ ସହରବାସୀ ପାଇବେ ବିଶୁଦ୍ଧ ପିଇବା ପାଣି
  • ଚାରି ଶହ ମେଟ୍ରିକ ଟନ୍ ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତ ହେବ ପୁରୀ
  • ଫନି ପରେ ପୁରୀକୁ ବିଶ୍ୱ ଐତିହ୍ୟ ନଗର କରିବା ପାଇଁ ନେଇଥିଲି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଦିନଟି କେବଳ ପୁରୀ ନୁହେଁ, ସାରା ଓଡ଼ିଶାର ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ମହାପ୍ରଭୁଙ୍କ ଧାମ ପୁରୀରେ ସବୁ ପରିବାରକୁ ଆଜିଠାରୁ ଟ୍ୟାପରେ ଭଲ ପିଇବା ପାଣି ମିଳିଲା । ଦିନରାତି ୨୪ ଘଣ୍ଟା ଏହି ସେବା ମିଳିବ । ଏଥିସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ । ଆମର ମେଟ୍ରୋ ସହରମାନଙ୍କରେ ମଧ୍ୟ ଏ ସୁବିଧା ନାହିଁ । ଏ ଯୋଜନା ପାଇଁ ପୁରୀ ବିଶ୍ୱର ବଡ଼ ବଡ଼ ସହର ମଧ୍ୟରେ ସାମିଲ ହୋଇପାରିଛି । ଏଥିପାଇଁ ରାଜ୍ୟ ନଗର ଉନ୍ନୟନ ଓ ଗୃହନିର୍ମାଣ ବିଭାଗକୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ୯ ମାସ ମଧ୍ୟରେ ପୁରୀର ୨.୫ ଲକ୍ଷ ଲୋକଙ୍କ ପାଇଁ ଏହି ସୁବିଧା ମିଳିପାରିଛି । ଏହି ପ୍ରକଳ୍ପରେ ବଡ଼ଦାଣ୍ଡ ସହିତ ସହରର ୪୦୦ଟି ଜାଗାରେ ଟ୍ୟାପ୍ ସଂଯୋଗ କରାଯାଇଛି ବୋଲି ପ୍ରକାଶ କରିଥିଲେ । ସ୍ୱାସ୍ଥ୍ୟ, ଜୀବନଧାରଣର ମାନ ଓ ଅର୍ଥନୀତି ସହ ଭଲ ପିଇବା ପାଣି ଗଭୀର ସମ୍ପର୍କ ରହିଛି । ତେଣୁ ପାଣିକୁ କେବେ ନଷ୍ଟ କିମ୍ବା ଦୂଷିତ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଭଲ ପିଇବା ପାଣି ପାଇଁ ବଜେଟକୁ ୫ ବର୍ଷରେ ୨୦ ଗୁଣ ବୃଦ୍ଧି କରାଯାଇଛି ଓ ୨୦୦ କୋଟିର ବଜେଟ ଆଜି ୪ ହଜାର କୋଟି ଟଙ୍କାରେ ପହଞ୍ଚିଛି ବୋଲି ସେ ପ୍ରକାଶ କରିଥିଲେ । ସେହିପରି ଚସୁଜଳ ପ୍ରକଳ୍ପର ସଫଳତା ପାଇଁ ଜଳ ସାଥି ଭାବରେ ମିଶନ ଶକ୍ତିର ମା ମାନଙ୍କର ଗୁରୁଦାୟିତ୍ୱ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ସାରା ଓଡ଼ିଶାର ୧୬ଟି ସହରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ସହରମାନଙ୍କରେ ଉଚ୍ଚମାନର ସୁବିଧା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି ବୋଲି ସେ ପ୍ରକାଶ କରିଥିଲେ । ଅନୁରୂପ ଭାବେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ସଚିବ ଦୁର୍ଗାଶଙ୍କର ମିଶ୍ର ଶ୍ରାବଣ ମାସର ପ୍ରଥମ ସୋମବାର ମହାପ୍ରଭୁ ଜଗନ୍ନାଥଙ୍କ ସହର ପୁରୀରେ ଦେଶର ସର୍ବପ୍ରଥମ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଗୌରବର କଥା ବୋଲି କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ମନ୍ତ୍ରୀ ସମୀର ଦାଶ, ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଉମା ସାମନ୍ତରାୟ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପିକେ ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାତନନ୍ ସ୍ୱାଗତ ଭାଷଣ ଏବଂ WATCOe ର ପରିଚାଳନା ନିର୍ଦ୍ଦେଶକ ପିକେ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.