fbpx

ଏଣ୍ଡ୍ ହେବ ଗ୍ୟାଙ୍ଗଷ୍ଟର ରାଜ୍! ହାଇଦର ଏନକାଉଣ୍ଟର ପରେ ଆଶଙ୍କାରେ ଅନ୍ୟ ଦୁର୍ଦ୍ଦାନ୍ତ ଅପରାଧୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ୟାଙ୍ଗଷ୍ଟର ହାଇଦରର ଏନକାଉଣ୍ଟର ପରେ ଏବେ ଅନ୍ୟ ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଲାଣି । ପୋଲିସ ଗୁଳିରେ ହାଇଦର ନିହତ ହେବା ପରେ ସଂପ୍ରତି ଜେଲରେ ଥିବା ଅନ୍ୟ ଅପରାଧୀମାନେ ସେମାନଙ୍କର ଏନକାଉଣ୍ଟର ହୋଇପାରେ ବୋଲି ଆଶଙ୍କା କରୁଛନ୍ତି । ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜେଲରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସ, ରାଜା ଆଚାର୍ଯ୍ୟ, ଟିଟୋ, ସକିଲ ଆଦି ବନ୍ଦୀ ଜୀବନ ବିତାଉଛନ୍ତି । ତେବେ ବିଭିନ୍ନ ଅପରାଧରେ ସେମାନଙ୍କୁ ବାରମ୍ବାର ଗୋଟିଏ ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଉଥିବାରୁ ସେମାନଙ୍କ ଅବସ୍ଥା ବି ହାଇଦର ପରି ହୋଇପାରେ ବୋଲି ଏହି ଗ୍ୟାଙ୍ଗଷ୍ଟରମାନେ ଆଶଙ୍କା କରୁଛନ୍ତି ।

ଜଣାପଡ଼ିଛି ଯେ, ରାଜ୍ୟର ପ୍ରାୟ ୧୫୦ ଖତରନାକ ଅପରାଧୀ ବିଭିନ୍ନ ଜେଲରେ ରହିଛନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ଗୋଟିଏ ଜେଲରେ ଅତିବେଶୀରେ ୩ରୁ ୪ ଜଣ ଅପରାଧୀଙ୍କୁ ରଖାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତ ୧୬ ବର୍ଷ ମଧ୍ୟରେ ରାଜ୍ୟରେ ୫ ଜଣ ଅପରାଧୀ ପୋଲିସ ଗୁଳିରେ ମରିଛନ୍ତି । ବର୍ତ୍ତମାନ ବଲାଙ୍ଗିରରେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ, ବାଲେଶ୍ୱରରେ ସୁଶୀଲ ଧଳସାମନ୍ତ, ବାରିପଦାରେ ସକିଲ ସହଯୋଗୀ ସେକ୍ ରାହୁଲ, ରାଜନ ମିଶ୍ର, ବ୍ରହ୍ମପୁରରେ ସକିଲ, ଝାରପଡ଼ାରେ ରାଜା ଆଚାର୍ଯ୍ୟ, ବ୍ରହ୍ମପୁରରେ ଟିଟୋ, ଚୌଦ୍ୱାରରେ ଆତଙ୍କବାଦୀ ଅବଦୁଲ ରହେମାନ୍, ପୁରୀରେ ରାଜୁ ସାହୁ, ନିହାର ରଞ୍ଜନ ପ୍ରଧାନ ଭଳି ଦୁର୍ଦ୍ଦାନ୍ତ ଅପରାଧୀମାନେ ରହିଥିବା ଜଣାପଡ଼ିଛି ।

ଶୁଣାଯାଉଛି, ଜେଲରେ ଥିବା ଏହି ଭୟଙ୍କର ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବାକୁ ସ୍ପାଏ ରଖାଯାଇଛି । ବଡ଼ ବଡ଼ ଅପରାଧୀଙ୍କ ବିଷୟରେ ଖବର ଦେବାକୁ ଛୋଟ ଅପରାଧୀଙ୍କୁ ଦାୟିତ୍ୱ ଦିଆଯାଇଛି । ଅନେକ ସମୟରେ ଜେଲ ୱାର୍ଡ ସହ ଏହି ଦୁର୍ଦ୍ଦାନ୍ତ ଅପରାଧୀମାନେ ହାତ ମିଳାଇ ବିଭିନ୍ନ ଅପରାଧୀକ ଷଡ଼ଯନ୍ତ୍ର ରଚିବା ସହ ଖସିବାରେ ସକ୍ଷମ ହେଉଛନ୍ତି । ତେଣୁ ଜେଲ ବିଭାଗ ରାଜ୍ୟର ୧୫୦ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରି ଅପରାଧ ହ୍ରାସ ନିମନ୍ତେ ବିଭିନ୍ନ ପ୍ରକାର ରଣନୀତି ଆପଣାଇଥିବା କୁହାଯାଉଛି ।

Get real time updates directly on you device, subscribe now.