fbpx

ଆଫଗାନିସ୍ତାନରେ ମହିଳା, ପିଲାଙ୍କ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି: ମିଳିତ ଜାତିସଂଘ

କାବୁଲ: ଆଫଗାନିସ୍ତାନରେ ୨୦୨୧ର ପ୍ରଥମ ୬ ମାସ ଅନ୍ୟ ବର୍ଷ ତୁଳନାରେ ସବୁଠାରୁ ମହିଳା ଓ ପିଲାଙ୍କର ମୃତ୍ୟୁ ଏବଂ ଆହତ ହୋଇଛନ୍ତି । ଏନେଇ ଜାତିସଂଘ ତରଫରୁ ସୋମବାର ସୂଚନା ଦିଆଯାଇଛି । ଜାତିସଂଘ ତରଫରୁ ୨୦୦୯ ମସିହାରେ ବ୍ୟବସ୍ଥାଗତ ଭାବରେ ଏହାର ରେକର୍ଡ ରଖାଯାଇଥିଲା । ରିପୋର୍ଟରେ କୁହାଯାଇଛି ଯେ, ଯୁଦ୍ଧଗ୍ରସ୍ତ ଦେଶରେ ପ୍ରଥମ ୬ ମାସରେ ଆଫଗାନିସ୍ତାନରେ ହିଂସା ସମୟରେ ସର୍ବାଧିକ ମହିଳା ଓ ପିଲା ଆହତ ଓ ପ୍ରାଣ ହରାଇଛନ୍ତି । ତେବେ ଏହାର ହାର ଗତ ବର୍ଷ ତୁଳନାରେ ୪୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି ।

ଏନେଇ ଜାତିସଂଘର ମହାସଚିବଙ୍କ ପ୍ରତିନିଧି କହିଛନ୍ତି ଯେ, “ମୁଁ ତାଲିବାନ ଓ ଆଫଗାନିସ୍ତାନର ନେତା ମାନଙ୍କୁ କହିବାକୁ ଚାହୁଁଛି ଯେ, ସଂଘର୍ଷର ଭୟାବହତା ଓ ନାଗରିକଙ୍କ ଉପରେ ପଡ଼ୁଥିବା ଏହି ଭୟଙ୍କର ପ୍ରଭାବ ଉପରେ ଧ୍ୟାନ ଦିଅନ୍ତୁ” । ପ୍ରକାଶିତ ରିପୋର୍ଟରେ ସ୍ପଷ୍ଟ ରୂପେ ଚେତାବନୀ ଦିଆଯାଇଛି ଯେ, ବୃଦ୍ଧି ପାଉଥିବା ହିଂସା ଉପରେ ଏବେ ଠାରୁ ଲଗାମ୍ ନ ଲଗାଇଲେ ଆଗାମୀ ଭବିଷ୍ୟତରେ ଆଫଗାନିସ୍ତାନର ଅନେକଙ୍କ ଜୀବନ ଯିବା ସହିତ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଆହତ ହେବେ ।

ତାଲିବାନ୍ ବର୍ତ୍ତମାନ ଆଫଗାନିସ୍ତାନର ଅନେକ ସ୍ଥାନ ନିଜର କବଜାକୁ ନେଇସାରିଲାଣି । ଏଥିସହ ପଡୋଶୀ ଦେଶ ସହିତ ଲାଗି ରହିଥିବା ସୀମାଞ୍ଚଳ ଉପରେ ମଧ୍ୟ କବଜା କରିସାରିଲାଣି । ଆମେରିକା ସେନା ଓ ନାଟୋ ସେନା, ଆଫଗାନିସ୍ତାନ ଛାଡ଼ିବା ପରେ ପରେ ହିଁ ତାଲିବାନ ମାନେ ଆଫଗାନିସ୍ତାନ ଉପରେ କବଜା କରିବାକୁ ଲାଗିଛନ୍ତି । ଆଉ ଏବେ ଠାରୁ ସେମାନେ ଅନେକ ଲୋକଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଛନ୍ତି । ଆଫଗାନିସ୍ତାନ ଏବେ ଯୁଦ୍ଧ କ୍ଷେତ୍ର ପାଲଟିଛି ।

ମିଳିତ ଜାତିସଂଘର ରିପୋର୍ଟ ମୁତାବକ, ୨୦୨୧ ରେ ଏପର୍ଯ୍ୟନ୍ତ ୧୬୫୯ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଓ ୩୨୫୪ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ପିଲା ରହିଥିବା ଜଣାପଡ଼ିଛି । ପ୍ରାଣ ହରାଇଥିବା ଲୋକମାନଙ୍କ ମଧ୍ୟରେ ୩୭ ପ୍ରତିଶତ ପିଲା ଅର୍ଥାତ୍ ୪୬୮ ପ୍ରାଣ ହରାଇଛନ୍ତି । ସେପଟେ ୧୨୧୪ ଜଣ ପିଲା ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୧୪ ପ୍ରତିଶତ ମହିଳା ରହିଥିବା ବେଳେ ଏହାର ସଂଖ୍ୟା ହେଉଛି ୨୧୯ ଏବଂ ଆହତ ହୋଇଥିବା ମହିଳାଙ୍କ ସଂଖ୍ୟା ହେଉଛି ୫୦୮ । ବର୍ତ୍ତମାନ ଆମେରିକା-ନାଟୋ ସେନା ପ୍ରତ୍ୟାହାର ୯୫ ପ୍ରତିଶତ ପର୍ଯ୍ୟନ୍ତ ପୂରା ହୋଇଯାଇଛି । ଅଗଷ୍ଟ ୩୧ ଭିତରେ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ହୋଇଯିବେ ବୋଲି କୁହାଯାଉଛି ।

Get real time updates directly on you device, subscribe now.