fbpx

ରାହୁଲଙ୍କ କମନ ମ୍ୟାନ୍ ଚିତ୍ର ପଛରେ କଣ ରହିଛି ରହସ୍ୟ, ପରିବର୍ତ୍ତିତ ଛବି ତାଙ୍କୁ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଯୋଗ୍ୟ କରିପାରିବ କି?

Advertisement

ନୂଆଦିଲ୍ଲୀ:ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନ ଓ ଆମେରିକା ଯାତ୍ରା କରିବାକୁ କାହିଁକି ନିଷ୍ପତ୍ତି ନେଇଛନ୍ତି । କଣ ଏହା ପଛରେ କଂଗ୍ରେସର କୌଣସି ଗେମ୍ ପ୍ଲାନ ରହିଛି କିମ୍ବା ରାହୁଲ ଗାନ୍ଧୀଙ୍କ ମନରେ ୨୦୨୪ ଲୋକସଭା ନିର୍ବାଚନକୁ ନେଇ କିଛି ଚାଲୁଛି । ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।

ଆମେରିକାର ସାନ୍ ଫ୍ରାନସିସକୋ ଏୟାରପୋର୍ଟରେ ଯେତେବେଳେ ଇମିଗ୍ରେସନ୍ କ୍ଲିୟରାନ୍ସ ଲାଗି ରାହୁଲ ଗାନ୍ଧୀଙ୍କୁ ୨ ଘଣ୍ଟା ଅପେକ୍ଷା କରିବାକୁ ପଡିଲା ସେତେବେଳେ ତାଙ୍କ ମୁଖମଣ୍ଡଳରେ କୌଣସି ଚିନ୍ତା ବା କ୍ରୋଧ ପରିଲକ୍ଷିତ ହୋଇ ନ ଥିଲା । ସେ ଜଣେ ସାଧାରଣ ଯାତ୍ରୀ ପରି ଏୟାରପୋର୍ଟରୁ ବାହାରକୁ ଯିବାକୁ ନିଜ ପାଳିକୁ ଅପେକ୍ଷା କରି ରହିଥିଲେ । ଏୟାରପୋର୍ଟର ଅନ୍ୟ ଯାତ୍ରୀଙ୍କୁ ରାହୁଲଙ୍କ ବିଷୟରେ ଜଣାପଡିବା ପରେ ସେମାନେ ତାଙ୍କ ପାଖୁ ଆସିଥିଲେ । ଏହି ସମୟରେ ରାହୁଲ ସେମାନଙ୍କ ସହ ଖୁସିରେ ଖୁସିରେ ସେଲଫି ନେଇଥିଲେ ।

ରାହୁଲଙ୍କ ଏହି କମନ ମ୍ୟାନ ଚିତ୍ର ବହୁ ସମୟରେ ଦେଖିବାକୁ ମିଳିଥାଏ । ଭାରତ ଯୋଡ ଯାତ୍ରା ହେଉ କି କର୍ଣ୍ଣାଟକରେ ନିର୍ବାଚନୀ ପ୍ରଚାର ହେଉ ସେ ପୁୁରୁଣା ଧାରାରୁ ହଟି କିଛି ଅଲଗା ନଜର ଆସିଥାନ୍ତି । ବ୍ରିଟେନ ଓ ଆମେରିକାରେ ବି ବେଳେ ବେଳେ ସେ ଏହିପରି ଭିନ୍ନ ଅବତାରରେ ନଜର ଆସିଛନ୍ତି । ଆମେରିକା ଏୟାରପୋର୍ଟରେ ସାଧାରଣ ଯାତ୍ରୀଙ୍କ ପରି ଅପେକ୍ଷା, ଟ୍ରକରେ ଯାତ୍ରା ଓ ଟ୍ରକ ଡ୍ରାଇଭରଙ୍କ ସହ ଆଳାପ ସବୁଥିରେ ରାହୁଲ ଗାନ୍ଧୀଙ୍କ ଏକ ଭିନ୍ନ ଚିତ୍ର ପ୍ରତିଫଳିତ ହେଉଛି । ଏବେ ପ୍ରଶ୍ନ ଉଠୁଛି ଏହି ଭିନ୍ନ ଚିତ୍ର କଣ ରାହୁଲଙ୍କ ୨୦୨୪ ନିର୍ବାଚନ ରଣନୀତିର ଏକ ଅଂଶ । ଆଗାମୀ ଲୋକସଭା ନିର୍ବାଚନରେ କଣ ଏହାର କିଛି ପ୍ରଭାବ ପଡିବ । ବିରୋଧୀ ଦଳରେ ଏବେ ବି ପ୍ରଧାନମନ୍ତ୍ରୀ ପଦର ଦାବିଦାର କିଏ ସେଥିନିମନ୍ତେ ମନ୍ଥନ ଚାଲିଛି । ତେବେ ରାହୁଲଙ୍କ ଏହି ପରିବର୍ତ୍ତିତ ଛବି କ’ଣ ତାଙ୍କୁ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଯୋଗ୍ୟ କରିପାରିବ ।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ରାହୁଲ ଗାନ୍ଧୀ ଆମେରିକା ଯାତ୍ରା ସାରି ଯେଉଁ ସମୟରେ ଭାରତ ଫେରୁଛନ୍ତି ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାକୁ ରାଜକୀୟ ଯାତ୍ରାରେ ଯାଉଛନ୍ତି । ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ମୋଦୀଙ୍କ ଲୋକପ୍ରିୟତା କାହାକୁ ଅଛପା ନାହିଁ । ଯେତେବେଳେ ଲୋକସଭା ନିର୍ବାଚନକୁ ଆଉ ଏକ ବର୍ଷ ବାକି ଅଛି ସେତେବେଳେ ରାହୁଲ ଆମେରିକା ଓ ବ୍ରିଟେନ ଗସ୍ତ କରିବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି । ଆଗାମୀ କିଛି ମାସ ମଧ୍ୟରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ସହିତ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ବି ହେବାକୁ ଯାଉଛି ।

ଏହାର ଉତ୍ତରରେ ରାଜନୈତିକ ସମୀକ୍ଷକ କହିଛନ୍ତି ରାହୁଲ ଗାନ୍ଧୀ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ଥିଲେ । ଦେଶରେ ମୋଦୀଙ୍କ ପରେ ସେ ହିଁ ସବୁଠାରୁ ଲୋକପ୍ରିୟ ଜନନେତା । ଏହି ଯାତ୍ରା ବଳରେ ରାହୁଲ ନିଜ ଛବି ମଜଭୁତ କରିବାକୁ ଓ ମୋଦୀଙ୍କୁ ଟକ୍କର ଦେବାକୁ ଚେଷ୍ଟା କରିଛନ୍ତି । ରାହୁଲ ସାଧାରଣ ଜନତାଙ୍କ ସହ ଯୋଡି ହୋଇ ରହିବାର ଭଲ ଉପାୟ ଆପଣାଇଛନ୍ତି । ସେ ବିଦେଶରେ ଥିଲେ ବି ତାଙ୍କ ଟାର୍ଗେଟ୍ରେ ରହିଛନ୍ତି ଭାରତୀୟ ମତଦାତା ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି । ତେବେ ଆଉ ଏକ ପ୍ରଶ୍ନ ହେଉଛି ରାହୁଲ ବିଶ୍ୱର ଏହି ଶକ୍ତିଶାଳୀ ରାଷ୍ଟ୍ରର ଯାତ୍ରା କାହିଁକି କରିଛନ୍ତି । ଏହାର ଉତ୍ତର ରହିଛି ଏଠାରେ ରହୁଥବା ପ୍ରବାସୀ ଭାରତୀୟମାନେ ଭାରତକୁ ଭୋଟ୍ ଦେବାକୁ ଆସୁ ନ ଥିଲେ ମଧ୍ୟ ଭାରତୀୟ ଅର୍ଥନୀତିରେ ଏମାନଙ୍କର ବଡ ନିବେଶ ରହିଛି । ସାଂସ୍କୃତିକ ଓ ଆର୍ଥିକ ରୂପରେ ଏହି ପ୍ରବାସୀ ଭାରତୀୟ ମାନେ ସର୍ବଦା ନିଜ ଜନ୍ମମାଟି ସହ ଯୋଡି ହୋଇ ରହିଥାନ୍ତି । ଏଠାରେ ସୂଚାଇ ଦିଆଯାଇପାରେ ଯେ, କର୍ଣ୍ଣାଟକରେ ଦଳର ବିଜୟ ପରେ କଂଗ୍ରେସର ଉତ୍ସାହ ବଢିଯାଇଛି । କଂଗ୍ରେସ ଏବେ ଆଗାମୀ ଲୋକସଭା ନିର୍ବାଚନରେ ଏନଡିଏ ବିରୁଦ୍ଧରେ ଏକଜୁଟ ହୋଇ ରଣନୀତି ପ୍ରସ୍ତୁତ କରିବା ଦିଗରେ କାମ କରୁଛି ।

 

Get real time updates directly on you device, subscribe now.