fbpx
BJD SKY
BJD SKY

ଦ୍ଵିତୀୟ ଦିନ ଇଡିରେ ପହଞ୍ଚିଲେ ରାହୁଲ ଗାନ୍ଧୀ, ସେପଟେ ଅଭିଷେକ ବାନାର୍ଜୀଙ୍କ ଘରେ ସିବିଆଇର ଜେରା

BJD

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ସୋମବାର ଆଠ ଘଣ୍ଟାର ପଚରା ଉଚୁରା ପରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ। ଇଡି ଲଗାତାର ଦ୍ଵିତୀୟ ଦିନ ରାହୁଲଙ୍କୁ ପଚରା ଉଚୁରା କରୁଥିବା ବେଳେ ଅନ୍ୟପଟେ କୋଲକାତାରେ ସିବିଆଇ ରୁଜିରା ବାନାର୍ଜୀଙ୍କ ଘରେ ପହଞ୍ଚିଛି। କୋଇଲା ଦୁର୍ନୀତି ମାମଲାରେ ପଚରା ଉଚୁରା ପାଇଁ ସିବିଆଇ ତାଙ୍କ ବାସଭବନରେ ପହଞ୍ଚିଛି। ରୁଜିରା ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ପତ୍ନୀ। ଏହି କେସରେ ରୁବିରାଙ୍କୁ ସିବିଆଇ ୨୦୨୧ ଫେବୃଆରୀରେ ପଚରା ଉଚୁରା କରିଥିଲା। ସେହି ସମୟରେ ସିବିଆଇ ତାଙ୍କୁ ଚାରି ଘଣ୍ଟା ଧରି ତାଙ୍କ ବାସଭବନରେ ପଚରା ଉଚୁରା କରିଥିଲା।

ସିବିଆଇ ଅଧିକାରୀ ରୁଜିରା ବାନାର୍ଜୀଙ୍କୁ ପଚରା ଉଚୁରା ନେଇ କହିଛନ୍ତି, ଆମକୁ ଏହି କେସ୍ ସଂପର୍କିତ କିଛି ନୂତନ ତଥ୍ୟ ମିଳିଛି। ଏଥିପାଇଁ ରୁଜିରାଙ୍କୁ ପୁଣି ଥରେ ପଚାର ଉଚୁରାର ଆବଶ୍ୟକତା ରହିଛି। ମଙ୍ଗଳବାର ପୂର୍ବାହ୍ନ ୧୧ଟା ୩୦ରେ ସିବିଆଇର ୮ ଅଫିସର ହରିଶ ଚାଟାର୍ଜୀ ରୋଡ୍ ସ୍ଥିତ ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଛନ୍ତି। ଅନ୍ୟପଟେ ନୂଆଦିଲ୍ଲୀରେ ଇଡି ରାହୁଲ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ଧନଶୋଧନ ମାମଲାରେ ପଚରା ଉଚୁରା କରୁଛି।

ସୂଚନାଯୋଗ୍ୟ, ଗତକାଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଇଡି ଅଧିକାରୀ ଦୁଇଟି ପର‌୍ୟ୍ୟାୟରେ ପଚରା ଉଚୁରା କରିଛନ୍ତି। ପ୍ରାୟ ଆଠ ଘଣ୍ଟାର ଜେରା ପରେ ରାହୁଲ ରାତି ପ୍ରାୟ ୯ଟା ୩୦ରେ ଇଡି କାର‌୍ୟ୍ୟାଳୟରୁ ବାହାରିଥିଲେ। ଗତକାଲି ରାହୁଲଙ୍କୁ ଇଡି ପଚରା ଉଚୁରା କରୁଥିବା ବେଳେ ସଡକରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଥିଲା। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଦଳର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ରାହୁଲଙ୍କ ସମର୍ଥନରେ ସଡକକୁ ଓହ୍ଲାଇଥିଲେ।

Get real time updates directly on you device, subscribe now.