ବଦଳିବ ପାଗ: ୨୦ରୁ ୨୩ ମଧ୍ୟରେ ଉତ୍ତର ଓଡ଼ିଶାର ଏହି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଆଜିଠୁ ଉତ୍ତର ଓଡ଼ିଶାରେ ପାଗ ବଦଳିବ

ଭୁବନେଶ୍ବର: ଆସନ୍ତା ୨୦ରୁ ୨୩ ତାରିଖ ମଧ୍ୟରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜରେ ସବୁଠାରୁ ଅଧିକ ବର୍ଷା ହେବାକୁ ଥିବା ବେଳେ ଯାଜପୁର, କେନ୍ଦୁଝର ଓ ଢେଙ୍କାନାଳରେ ୩୦ ମିମି, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା ସମେତ ଆଭ୍ୟନ୍ତରୀଣ କଟକରେ ୫ରୁ ୧୫ ମିମି ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାର ଆଭ୍ୟନ୍ତରୀଣ ଗଞ୍ଜାମ, ଗଜପତି ଓ ଫୁଲବାଣୀରେ କାଁଭାଁ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ପ୍ରଫେସର ପଶୁପାଳକଙ୍କ ଆକଳନ ଅନୁଯାୟୀ ୧୯ ତାରିଖରେ ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ଅଳ୍ପ କିଛି ସ୍ଥାନରେ ପାଗ ମେଘୁଆ ସହ ବିନ୍ଦୁ ବର୍ଷା ହେବ। ୨୦ ତାରିଖରେ ଭଦ୍ରକ, ବା‌ଲେଶ୍ବର ଓ ମୟୂରଭଞ୍ଜର ବିସ୍ତୃତ ଅଞ୍ଚଳରେ ୨୦ରୁ ୨୫ ମିମି, ଢେଙ୍କାନାଳ, କେନ୍ଦୁଝର ଓ ଯାଜପୁରରେ ୧୦ରୁ ୨୦ ମିମି, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ ଓ ଆଭ୍ୟନ୍ତରୀଣ କଟକରେ ୫ରୁ ୧୦ ମିମି ବର୍ଷା ହେବ।

୨୧ ତାରିଖରେ ବର୍ଷାର ବିସ୍ତୃତି ହ୍ରାସ ପାଇ ଭଦ୍ରକ, ଯାଜପୁର ଓ ବାଲେଶ୍ବରର ଅନେକ ସ୍ଥାନରେ ୧୦ରୁ ୧୫ ମିମି ଓ କେନ୍ଦ୍ରାପଡ଼ା, ‌ଢେଙ୍କାନାଳରେ ୫ରୁ ୧୦ ମିମି ବର୍ଷା ହୋଇପାରେ। ୨୨ରେ ଭଦ୍ରକ ଓ ବାଲେଶ୍ବରର ବିସ୍ତୃତ ଅଞ୍ଚଳରେ ୧୦ରୁ ୧୫ ମିମି ଏବଂ ମୟୂରଭଞ୍ଜର ଅନେକ ସ୍ଥାନରେ ୫ରୁ ୧୦ ମିମି ବର୍ଷା ହେବାର ସମ୍ଭାବନା ରହିଛି। ୨୨‌ ମଧ୍ୟରାତି ପରେ ଭଦ୍ରକ ଓ କେନ୍ଦ୍ରାପଡ଼ାର ବିସ୍ତୃତ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହେବ ଏବଂ ୨୩ ତାରିଖ ସନ୍ଧ୍ୟା ପରେ ବର୍ଷା ଛାଡ଼ିଯିବାର ସମ୍ଭାବନା ରହିଛି।