fbpx

ବାଂଲାଦେଶ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତକୁ ବିପଦ ଘଣ୍ଟି: ବର୍ଷା ପାଇଁ ମ୍ୟାଚ ନହେଲେ ସେମିରୁ ବାଦ ପଡିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଟି ୨୦ ବଶ୍ୱକପ୍ ସେମି ଫାଇନାଲରେ ଭାରତର ସ୍ଥାନକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି । ଯଦି ନଭେମ୍ବର ୨ ତାରିଖରେ ଖେଳାଯିବାକୁ ଥିବା ବାଂଲାଦେଶ ବିପକ୍ଷ ମ୍ୟାଚରେ ବର୍ଷା ହୁଏ ତେବେ ଭାରତର ବିଶ୍ୱକପ୍ ସ୍ୱପ୍ନ ଧୁଳିସାତ ହୋଇଯାଇପାରେ । କାରଣ ବର୍ଷା ହେଲେ ପଏଣ୍ଟ ଟେବୁଲରେ ତଳକୁ ଖସିଯିବ ଭାରତ । ଏଭଳି ଅବସ୍ଥାରେ ପାକିସ୍ତାନ ସେମିଫାଇନାଲକୁ ଯିବାର ରହିଛି ସୁଯୋଗ ।

ସାଉଥ ଆଫ୍ରିକା ଠାରୁ ଭାରତ ହାରିବା ପରେ ଏବେ ଭାରତକୁ ଦୁଇଟି ଯାକ ମ୍ୟାଚ୍ ଜିତିବାକୁ ପଡ଼ିବ । କାରଣ ଏହି ପରାଜୟ ଭାରତକୁ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଟାଣି ଆଣିଛି । ତେଣୁ ସେମିଫାଇନାଲରେ ସ୍ଥାନ ହାସଲ କରିବାକୁ ହେଲେ ଉଭୟ ବାଂଲାଦେଶ ଏବଂ ଜିମ୍ବାୱେକୁ ମାତ ଦେବାକୁ ପଡିବ । ସବୁଠାରୁ ବଡ଼ କଥା ହେଉଛି ଯଦି ବାଂଲାଦେଶ ସହ ହେବାକୁ ଥିବା ମ୍ୟାଚ୍ ବର୍ଷା ପାଇଁ ଡ୍ର ରୁହେ ତେବେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ ଯାହା ଭାରତ ପାଇଁ ବିପଦର ଘଣ୍ଟି ବୋଲି କୁହାଯାଇପାରେ ।

୨ ନଭେମ୍ବରରେ ମେଲବର୍ଣ୍ଣରେ ବର୍ଷା ହେବାର ୭୦ ପ୍ରତିଶତ ସମ୍ଭାବନା ରହିଛି । ମଙ୍ଗଳବାର ମଧ୍ୟ ମେଲବର୍ଣ୍ଣରେ ବର୍ଷା ହୋଇଛି । ଏହି ବର୍ଷା କାରଣୁ ଭାରତୀୟ ଟିମ୍ ମଙ୍ଗଳବାର ଦିନ ଇନ୍ଡୋର ଅଭ୍ୟାସ କରିଥିଲେ । ବର୍ଷାକୁ ନେଇ ସମ୍ଭାବନା ଆଣିଛି ଅଷ୍ଟ୍ରେଲିଆ ସରକାରୀ ପାଣିପାଗ ବିଭାଗ । ସକାଳ ଏବଂ ଦ୍ୱିପ୍ରହରରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ସନ୍ଧ୍ୟା ସମୟରେ ହେବାକୁ ଥିବା ମ୍ୟାଚରେ ବର୍ଷା ହେବାର ସମ୍ଭାବନା ୬୦ ପ୍ରତିଶତ ରହିଛି । ଯଦି ବର୍ଷା କାରଣରୁ ଏହି ମ୍ୟାଚ୍ ଡ୍ର ରୁହେ ତେବେ ଭାରତ ପାଖରେ ୫ ପଏଣ୍ଟ ହେବ । ବାଂଲାଦେଶର ମଧ୍ୟ ସମାନ ପରିସ୍ଥିତି ରହିବ ।

ଏଭଳି ସ୍ଥିତିରେ ଭାରତକୁ ତାର ଶେଷ ମ୍ୟାଚରେ ଜିମ୍ବାୱେ ଠାରୁ ଜିତିବାକୁ ପଡ଼ିବ ତାହା ବି ବଡ଼ ବ୍ୟବଧାନରେ । କାରଣ ଜିମ୍ବାୱେଠାରୁ ଜିତିବା ଭାରତ ପାଇଁ ଶେଷ ସୁଯୋଗ ରହିବ । ଜିତିବା ପରେ ଭାରତର ପଏଣ୍ଟ ୭ ଅଙ୍କକୁ ଚାଲିଯିବ । କିନ୍ତୁ ଯଦି ଭାରତ ମ୍ୟାଚ୍ ହାରିଯାଏ ତେବେ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ରହିବା ସମ୍ଭାବନା ବଢ଼ିଯିବ ।

Get real time updates directly on you device, subscribe now.