ରାଜଧାନୀରେ ବାଣ ଧୂଆଁ ଭୟଙ୍କର, ବଞ୍ଚାଇଦେଲା ବର୍ଷା: ‘ଦିୱାଲୀ’ ପ୍ରଦୂଷଣକୁ ରୋକିଲା ବର୍ଷା

ଭୁବନେଶ୍ୱର: ଅକ୍ଟୋବର ୩୧ ତାରିଖରେ ଭୁବନେଶ୍ୱରରେ ଦୀପାବଳି ଧୁମଧାମରେ ପାଳନ ହୋଇଯାଇଛି । ଗୁରୁବାର ଅପରାହ୍ନରୁ ବିଭିନ୍ନ ପ୍ରକାରର ବାଣ ଫୁଟାଇ ଦିୱାଲୀ ପାଳନ କରିଛନ୍ତି ରାଜଧାନୀ ବାସୀ । ଯାହାର ପ୍ରଭାବ ରାଜଧାନୀର ଆକାଶରେ ଦେଖିବାକୁ ମିଳିଛି । ପ୍ରବଳ ମାତ୍ରାରେ ବାଣ ଫୁଟିବା ପରେ ଭୁବନେଶ୍ୱରର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ଖରାପ ହୋଇଥିଲା । ତେବେ ଏଭଳି ଏକ ବିପଦରୁ ଭୁବନେଶ୍ୱରକୁ ମୁକ୍ତି ଦେଇଛି ଦିୱାଲୀ ରାତିର ଅଦିନିଆ ବର୍ଷା । ବିଳମ୍ବିତ ରାତିରେ(ଶୁକ୍ରବାର ସକାଳ) ହୋଇଥିବା ବର୍ଷା ଯୋଗୁଁ ରାଜଧାନୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ନିୟନ୍ତ୍ରଣକୁ ଆସିପାରିଛି ।

ବାଣ ବିଗାଡ଼ି ଦେଇଥିଲା, କିନ୍ତୁ ବର୍ଷା ବଞ୍ଚାଇଦେଲା । ଗୁରୁବାର ବାଣ ଫୁଟା ଯୋଗୁଁ ଭୁବନେଶ୍ୱରର ବାୟୁମଣ୍ଡଳ ଉପରେ ଏହାର ଭୟାନକ ପ୍ରଭାବ ଦେଖିବାକୁ ମିଳିଥିଲା । ୩୧ ତାରିଖ ସକାଳ ସମୟରେ ଭୁବନେଶ୍ୱରର AQI ୬୦-୭୦ ରହିଥିବା ବେଳେ ସନ୍ଧ୍ୟାରେ ଏହା ୧୦୦ ପାର୍ କରିଥିଲା । ଏହାପରେ ଧିରେ ଧିରେ ଏହି ପରିମାଣ ୨୩୦-୨୪୦ରେ ପହଞ୍ଚିଥିବା କହିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ କେ. ମୁରୁଗେସନ । ତେବେ ଶୁକ୍ରବାର ସକାଳୁ ବର୍ଷା ହେବାରୁ ଭୁବନେଶ୍ୱର ବାୟୁମଣ୍ଡଳରେ ସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି । ରାଜଧାନୀରେ ପ୍ରଦୂଷଣର ମାତ୍ରା ମଧ୍ୟ ହ୍ରାସ ପାଇଥିବା ରେକର୍ଡ କରାଯାଇଛି । ୨୪୦ରେ ପହଞ୍ଚିଥିବା ଏୟାର କ୍ୱାଲିଟି ଇଣ୍ଡେକ୍ସ ବର୍ଷା ପରେ ୧୩୩କୁ ଖସି ଆସିଛି ଏବଂ ଆଗକୁ ଏହା ଆହୁରି କମ୍ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ତେବେ ଦିୱାଲୀ ବାଣ ଫୁଟା ଯୋଗୁଁ ବାଲେଶ୍ୱର, ତାଳଚେର ଏବଂ ରାଉରକେଲାରେ ମଧ୍ୟ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଥିଲା । ଏହିସବୁ ସ୍ଥାନରେ ପ୍ରଦୂଷଣର ମାତ୍ରା ୧୦୦ ଉପରକୁ ଯାଇଥିବା ବେଳେ ବର୍ତ୍ତମାନ ଏହା ଧିରେ ଧିରେ ହ୍ରାସ ପାଉଛି । ତେବେ ବର୍ତ୍ତମାନ ରାଉରକେଲାରେ ପ୍ରଦୂଷଣ ମାତ୍ରା ୧୩୦-୧୪୦ ରହିଥିବା ବେଳେ ଅଧିକ ସନ୍ତୋଷ ଜନକ ରହିଛି ତାଳଚେରର ପ୍ରଦୂଷଣ । ତାଳଚେରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବର୍ତ୍ତମାନ ୨୫୬ ଥିବା ରେକର୍ଡ କରାଯାଇଛି । ପାୱାର ପ୍ଲାଣ୍ଟ ଏବଂ ଖଣି କାମ ଜାରି ରହିଥିବାରୁ ଏହା ପରିମାଣ ଅଧିକ ରହିଛି । ତେବେ ଆସନ୍ତ ୧-୨ ଦିନ ଭିତରେ ଏହା ମଧ୍ୟ ନିୟନ୍ତ୍ରଣକୁ ଆସିବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ କେ. ମୁରୁଗେସନ କହିଛନ୍ତି ।