fbpx

ଓଡ଼ିଶାର ଆଉ ଏକ ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ସୁବାସ ସିଂଙ୍କ ସ୍ଥାନରେ ହେବ ଉପନିର୍ବାଚନ: ଆଶାୟୀଙ୍କ ଲମ୍ବା ଲାଇନ୍, ପ୍ରାର୍ଥୀ ଚୟନ ନିଷ୍ପତ୍ତି ନେବେ ସୁପ୍ରିମୋ

ନୂଆଦିଲ୍ଳୀ/ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ପାଇଁ ଜୁନ୍‌ ୧୦ ତାରିଖରେ ଭୋଟ୍‌ ଗ୍ରହଣ କରାଯିବା ନେଇ ଗୁରୁବାର ଦେଶର ନିର୍ବାଚନ କମିଶନରଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଥିବାବେଳେ ଶୁକ୍ରବାର ଓଡ଼ିଶାର ଆଉ ଏକ ଆସନ ପାଇଁ ଭୋଟ୍‌ ଗ୍ରହଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଓଡ଼ିଶାରୁ ଖାଲି ହେଉଥିବା ୩ ରାଜ୍ୟ ସଭା ଆସନ ପାଇଁ ତାରିଖ ଘୋଷଣା କରାଯାଇଥିଲା । ତେବେ ଶୁକ୍ରବାର ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଭୋଟ୍‌ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଚଳିତ ମାସ ୨୬ ତାରିଖରୁ ଜୁନ୍‌ ୨ ତାରିଖ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ । ଜୁନ୍‌ ୩ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ୬ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ସେହିପରି ଆବଶ୍ୟକ ହେଲେ ଜୁନ୍‌ ୧୩ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ କରାଯିବ । ସେହିଦିନ ଅପରାହ୍ଣ ୫ଟାରେ ଭୋଟ୍‌ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ । କଟକର ମେୟର ଭାବେ ନିର୍ବାଚିତ ହେବା ପରେ ଏହି ଆସନରୁସୁବାସ ସିଂହ ଇସ୍ତଫା ଦେଇଥିଲେ ।

ଅନ୍ୟପକ୍ଷରେ ଓଡ଼ିଶାରୁ ଖାଲି ହେଉଥିବା ୪ଟି ଆସନ ପାଇଁ ଆଶାୟୀମାନଙ୍କ ଭିଡ଼ ବଢ଼ିବାରେ ଲାଗିଛି । ଏହି ୪ ଜଣଙ୍କ ସ୍ଥାନରେ ବିଜେଡ଼ି କାହାକୁ ରାଜ୍ୟସଭାକୁ ପଠାଇବ ସେ ନେଇ ଚର୍ଚ୍ଚା ମଧ୍ୟ ଜୋର୍‌ ଧରିଛି । ବିରୋଧୀ ଦଳ ପ୍ରାର୍ଥୀ ଦେଲେ ମଧ୍ୟ ବିଧାନସଭାରେ ବିଜେଡ଼ିର ଏବେ ଯେତିକି ବିଧାୟକ ଅଛନ୍ତି ସେମାନଙ୍କ ପ୍ରଥମ ପସନ୍ଦ ଭୋଟ୍‌ରେ ୩ ଜଣ ରାଜ୍ୟସଭାକୁ ନିର୍ବାଚିତ ହେବା ସୁନିଶ୍ଚିତ ବୋଲି କୁହାଯାଉଛି । ୩ଟି ଆସନ ପାଇଁ ଜୁନ୍‌ ୧୦ରେ ଭୋଟ୍‌ ହେବାକୁ ଥିବାବେଳେ ଅନ୍ୟ ଆସନ ପାଇଁ ୧୩ ତାରିଖରେ ଭୋଟ୍‌ ଗ୍ରହଣ କରାଯିବ । ତେବେ ୧୦ ତାରିଖରେ ହେବାକୁ ଥିବା ଭୋଟ୍‌ ପାଇଁ କେଉଁ ୩ ଜଣଙ୍କୁ ପ୍ରାର୍ଥୀ କରାଯିବ ସେନେଇ ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ରାଜ୍ୟସଭାକୁ ଯିବା ପାଇଁ ବିଜେଡ଼ି ସୁପ୍ରିମୋଙ୍କ ଠାର ପ୍ରତିଶ୍ରୁତି ପାଇ ଅପେକ୍ଷାରେ ରହିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ଏମାନଙ୍କ ବ୍ୟତୀତ ଆହୁରି ୩୦ରୁ ଅଧିକ ନେତା ଦୌଡ଼ରେ ରହିଛନ୍ତି । ଏପରିକି କିଛି ଶିଳ୍ପପତିଙ୍କ ନାମ ମଧ୍ୟ ଚର୍ଚ୍ଚାର ପରିସରରେ ରହିଛି ।

ଓଡ଼ିଶାରୁ ଯାଇଥିବା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ଏନ୍‌. ଭାସ୍କର ରାଓ ୬ ବର୍ଷ କାର୍ଯ୍ୟକାଳ ପୂର୍ଣ୍ଣ କରିଥିବାବେଳେ ସସ୍ମିତ ପାତ୍ର ୩ ବର୍ଷ ପାଇଁ ରାଜ୍ୟସଭାକୁ ଯାଇଥିଲେ । ୨୦୧୯ରେ ପ୍ରତାପ ଦେବ ଆଳିରୁ ବିଧାୟକ ହେବା ପରେ ତାଙ୍କ ସ୍ଥାନରେ ସସ୍ମିତଙ୍କୁ ରାଜ୍ୟସଭାକୁ ପଠାଯାଇଥିଲା । ସେ ରାଜ୍ୟସଭାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ବିଜେଡ଼ିର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଦଳର ଆଭିମୁଖ୍ୟ ଜାତୀୟସ୍ତରରେ ଠିକଣା ଢଙ୍ଗରେ ଉପସ୍ଥାପିତ କରି ନିଜର ଦକ୍ଷତାର ପ୍ରମାଣ ଦେଇଛନ୍ତି । ଏହାସହ ସଂଖ୍ୟାଲଘୁ ନେତା ଭାବେ ତାଙ୍କର ପ୍ରଭାବ ରହିଛି । ତେଣୁ ବିଜେଡ଼ି ପୁଣି ଥରେ ତାଙ୍କୁ ରାଜ୍ୟସଭା ପଠାଇବା ସମ୍ଭାବନା ଅଧିକ ରହିଛି । ସେହିଭଳି ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ଥାନରେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅସିତ ତ୍ରିପାଠୀ ଓ ଇଂ. ନଳିନୀକାନ୍ତ ପ୍ରଧାନଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସୁଛି ।

ସେହିପରି ଅନ୍ୟ ଆଶାୟୀଙ୍କ ମଧ୍ୟରେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜୟପୁରର ପୂର୍ବତନ ବିଧାୟକ ରବି ନାରାୟଣ ନନ୍ଦ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ, ଅବସରପ୍ରାପ୍ତ ଆଇପିଏସ୍‌ ତଥା ମୁମ୍ବାଇର ପୂର୍ବତନ ପୋଲିସ କମିଶନ ଅରୂପଟ୍ଟନାୟକ, ମୋ ସ୍କୁଲ୍‌ ଅଧ୍ୟକ୍ଷ ସୁସ୍ମିତା ବାଗ୍‌ଚୀ, ଶ୍ରୀମୟୀ କର, ମାନସ ମଙ୍ଗରାଜ ଇତ୍ୟାଦିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ସୁପ୍ରିମୋଙ୍କ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରୁଛି । ସବୁବେଳେ ବିରୋଧୀଙ୍କୁ ଚକ୍‌ମା ଦେବାରେ ମାହିର ନବୀନ ଏଥର ବି ସର୍ପରାଇଜ୍‌ କାର୍ଡ ଖେଳିବାର ସମ୍ଭାବନା ରହିଛି । ଆଦୌ ଚର୍ଚ୍ଚାରେ ନଥିବା ମୁହଁକୁ ବି ରାଜ୍ୟସଭା ପଠାଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି ।

Get real time updates directly on you device, subscribe now.