ସରିଲା ରାଜୀବଙ୍କ କାର୍ଯ୍ୟକାଳ, କିଏ ହେବେ ନୂଆ ନିର୍ବାଚନ କମିଶନର
କାହାକୁ ବାଛିବେ ମୋଦୀ-ରାହୁଲ। କିଏ ସମ୍ଭାଳିବ ଦେଶର ନିର୍ବାଚନ ଦାୟିତ୍ୱ। ରାଜୀବଙ୍କ ପରେ କାହା ମୁଣ୍ଡରେ ରହିବ ଦେଶର ନିର୍ବାଚନ ଭାର?
ନୂଆଦିଲ୍ଲୀ: କିଏ ହେବେ ନିର୍ବାଚନ କମିଶନଙ୍କ ମୁଣ୍ଡିଆଳ। କାହା କାନ୍ଧରେ ରହିବ ଦେଶର ନିର୍ବାଚନ ଦାୟିତ୍ୱ। ଯାହାକୁ ନେଇ ଏବେଠୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। କାରଣ ଆସନ୍ତା ମଙ୍ଗଳବାର ସରିବାକୁ ଯାଉଛି ବର୍ତ୍ତମାନର ନିର୍ବାଚନ କମିଶନର ରାଜୀବ କୁମାରଙ୍କ କାର୍ଯ୍ୟକାଳ।
ରାଜୀବଙ୍କ ପରେ କିଏ ହେବେ ନିର୍ବାଚନ କମିଶନର ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା। ଆଉ ଏହାରି ଭିତରେ ସୋମବାର ବସିବାକୁ ଯାଉଛି ନିଯୁକ୍ତି କମିଟିର ବୈଠକ। ଯେଉଁଥିରେ ସାମିଲ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ।
ନିଷ୍ପତ୍ତି ନେବେ ମୋଦୀ-ରାହୁଲ: ୨୦୨୨ ମସିହାରୁ ମୁଖ୍ୟ ନିର୍ବାଚନ କମିଶନର ଭାବରେ ଦାୟିତ୍ୱ ବହନ କରିଆସୁଥିଲେ ରାଜୀବ କୁମାର। ହେଲେ ଏହି ମଙ୍ଗଳବାର ତାଙ୍କର କାର୍ଯ୍ୟକାଳ ସରୁଛି।
ତେଣୁ ଆସନ୍ତା ସୋମବାର ନିଯୁକ୍ତି କମିଟିର ବୈଠକ ବସିବାକୁ ଯାଉଛି। ଯେଉଁଥିରେ ନୂଆ ନିର୍ବାଚନ କମିଶନର କିଏ ହେବେ ତା ଉପରେ ହେବ ଆଲୋଚନା। ଯେଉଁ ବୈଠକରେ ସାମିଲ ରହିବେ ମୋଦୀ ଏବଂ ରାହୁଲ।
ନିର୍ବାଚନ କମିଶନର ଚୟନ: ଯଦି ଦେଖିବା ପୂର୍ବରୁ କମିଟିରେ ପ୍ରଧାନମନ୍ତ୍ରୀ ଓ ବିରୋଧୀ ଦଳର ନେତାଙ୍କ ବ୍ୟତୀତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହୁଥିଲେ। ହେଲେ କେନ୍ଦ୍ର ସରକାର ନୂଆ ଆଇନ ଆଣି ପ୍ରଧାନ ବିଚାରପତିଙ୍କୁ ହଟାଇ କମିଟିରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ଥାନ ଦେଇଛନ୍ତି।
ତେଣୁ ଏହି କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ପରମ୍ପରା ଅନୁସାରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ରହିବେ।
ବିହାର ନିର୍ବାଚନ ପୂର୍ବରୁ ଘୋଷଣା: ଯଦି ଦେଖିବା ଆଗକୁ ଅର୍ଥାତ୍ ୨୦୨୫ରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସେହିପରି ୨୦୨୬ରେ ବେଙ୍ଗଲ ଓ ତାମିଲନାଡୁ ସମେତ ଆସାମ ଓ କେରଳରେ ମଧ୍ୟ ଭୋଟିଂ ହେବାର ଅଛି।
ତେଣୁ ବିହାର ନିର୍ବାଚନ ପୂର୍ବରୁ ନୂଆ ନିର୍ବାଚନ କମିଶନରଙ୍କ ନାଁ ଘୋଷଣା ହେବ ବୋଲି ଆଶା କରାଯାଉଛି। ଆଉ ଏହି ଚର୍ଚ୍ଚା ଭିତରେ ଜ୍ଞାନେଶ କୁମାରଙ୍କ ନାଁ ନିର୍ବାଚନ କମିଶନର ଭାବରେ ଆଗରେ ରହିଛି।