fbpx

(Video) ରାମ ମନ୍ଦିର ପରିସରରେ ପହଞ୍ଚିଲା ରାମଲଲାଙ୍କ ପ୍ରତିମୂର୍ତ୍ତି: ଆଜି ଗର୍ଭଗୃହରେ ସ୍ଥାପନ କରାଯିବ

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି । ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସମସ୍ତ ନୀତିକାନ୍ତି ସହିତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ରାମଲଲାଙ୍କ ସାଙ୍କେତିକ ପ୍ରତିମୂର୍ତ୍ତି କ୍ରେନ ସାହାଯ୍ୟରେ ମନ୍ଦିର ପରିସରରେ ପହଞ୍ଚିଛି । ଆଜି ପ୍ରଭୁଙ୍କ ଦିବ୍ୟ ପ୍ରତିମୂର୍ତ୍ତିକୁ ମନ୍ଦିର ଗର୍ଭଗୃହରେ ସ୍ଥାପନ କରାଯିବ ।

ତେବେ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯିବା ପୂର୍ବରୁ ତାହାକୁ ରାମ ମନ୍ଦିର ପରିସରରେ ଭ୍ରମଣ କରାଯାଇଛି । ଏହି ସମସ୍ତ କାର୍ଯ୍ୟର ଏକ ଭିଡିଓ ସାମ୍ନାକୁ ଆସିଛି । ଗତକାଲି ରାତିରେ କ୍ରେନ ସହାୟତାରେ ରାମଲଲାଙ୍କ ସାଙ୍କେତିକ ପ୍ରତିମୂର୍ତ୍ତିକୁ ମନ୍ଦିରରେ ଭିତରକୁ ଅଣାଯାଇଥିଲା । ତା’ର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି । ରାମଲଲାଙ୍କ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଆସନକୁ ପ୍ରସ୍ତୁତ କରାଯାଇଛି । ରାମଲଲାଙ୍କ ଆସନର ଉଚ୍ଚତା ୩.୪ ଫୁଟ ହୋଇଥିବା ବେଳେ ମକରାନା ପଥରରେ ତାହାକୁ ନିର୍ମାଣ କରାଯାଇଛି । ମୂର୍ତ୍ତିକୁ ଫୁଲରେ ସଜ୍ଜାଯାଇ ପାଲିଙ୍କିରେ ଅଣାଯାଇଥିଲା ।

ରାମ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ସମାପ୍ତ ହୋଇଯାଇଥିବା ନେଇ ଗତ ୧୬ ତାରିଖ ଦିନ ସକାଳେ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ସୂଚନା ଦେଇଥିଲେ । ରାମଲଲାଙ୍କ ମନ୍ଦିରରେ ଗର୍ଭଗୃହ ହେବ ଓ ସେଠାରେ ପାଞ୍ଚଟି ମଣ୍ଡପ ରହିବ । ମନ୍ଦିର ଗ୍ରାଉଣ୍ଡ ଫ୍ଲୋରରରେ ହେବା ସହିତ ମନ୍ଦିରର ଅନ୍ୟ ଫ୍ଲୋର ଅନୁଷ୍ଠାନ ପାଇଁ ରହିବ । ସେଠାରେ ଅଲଗା ଅଲଗା ପ୍ରକାରର ଯଜ୍ଞ ଓ ଅନୁଷ୍ଠାନ ହେବ । ୨୨ ତାରିଖ ଦ୍ୱିପ୍ରହର ପାଖାପାଖି ୧୨.୩୦ ସମୟରେ ମୁହୂର୍ତ୍ତ ରହିଛି । ତା’ ପୂର୍ବରୁ ପୂଜା ବିଧି କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ନେଇ ହଜାର ହଜାର ଅତିଥିଙ୍କୁ ନିମନ୍ତ୍ରଣ ପତ୍ର ପଠାସରିଛି । ଦେଶ ବିଦେଶର ବିଶିଷ୍ଟ ବ୍ୟକ୍ତିବିଶେଷ ଅଯୋଧ୍ୟାରେ ପହଞ୍ଚିବା ପରେ ସେମାନଙ୍କୁ ଏକ ଖାସ୍ ଉପହାର ପ୍ରଦାନ କରାଯିବ ।

Get real time updates directly on you device, subscribe now.