ପୂର୍ବତନ ମନ୍ତ୍ରୀ ବଡିଗାର୍ଡଙ୍କ ଦବଙ୍ଗଗିରି, ବାରରେ ଭୋଜପୁରୀ ଗୀତ ନ ବାଜିବାରୁ କଲେ ଗୁଳି ବର୍ଷା

ବାରରେ ଫୁଟିଲା ଗୁଳି । ଭୋଜପୁରୀ ଗୀତ ନ ବାଜିବାରୁ ଝାଡ଼ଖଣ୍ଡର ଜଣେ ପୂର୍ବତନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ବାରରେ ଗୁଳି ଚଳାଇଛନ୍ତି ।

ରାଞ୍ଚି: ବାରରେ ଫୁଟିଲା ଗୁଳି । ଭୋଜପୁରୀ ଗୀତ ନ ବାଜିବାରୁ ଝାଡ଼ଖଣ୍ଡର ଜଣେ ପୂର୍ବତନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ବାରରେ ଗୁଳି ଚଳାଇଛନ୍ତି । ଗୁଳିକାଣ୍ଡ ଘଟଣା ବାରରେ ଆତଙ୍କ ଖେଳି ଯାଇଛି ।

ବାର୍ ମାଲିକ ଅଭିଯୁକ୍ତ ଅଙ୍ଗରକ୍ଷୀ ରାହୁଲ ସିଂହଙ୍କ ବିରୋଧରେ କୋତୱାଲି ଥାନାରେ ଅଭିଯୋଗ କରିଥିଲେ । ରାତୁ ରୋଡ୍ ସ୍ଥିତ ଗ୍ରାଭିଟି ନାମକ ଏକ ଲାଉଞ୍ଜ ଏବଂ ବାରରେ ଏହି ଘଟଣା ଘଟିଥିଲା। ସୌଭାଗ୍ୟର କଥା ଯେ, କେହି ଏହି ଗୁଳିର ଶିକାର ହୋଇନାହାନ୍ତି । ନଚେତ୍ ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା।

ଏହି ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଞ୍ଚିର ଡୋରାଣ୍ଡା ଥାନା ଅଞ୍ଚଳର ହିନୁରେ ଅବସ୍ଥିତ ପିଏଚଡି କଲୋନିର ବାସିନ୍ଦା ରାହୁଲ ସିଂହଙ୍କୁ ଗିରଫ କରିଛି। ଏହା ସହିତ ଏକ ଲାଇସେନ୍ସପ୍ରାପ୍ତ ପିସ୍ତଲ ଏବଂ 21ଟି କାର୍ଟ୍ରିଜ୍ ମଧ୍ୟ ଜବତ କରାଯାଇଛି।

ବାରରେ ଆଖିବୁଜା ଗୁଳି ବର୍ଷା

ସୂଚନା ଅନୁଯାୟୀ, ବୁଧବାର ରାତିରେ, ଝାଡ଼ଖଣ୍ଡ ସରକାରଙ୍କ ଜଣେ ପୂର୍ବତନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ଥିବା ଅଭିଯୁକ୍ତ ରାହୁଲ ସିଂହ ତାଙ୍କର ଜଣେ ବନ୍ଧୁଙ୍କ ସହିତ ପାର୍ଟି କରିବାକୁ ‘ବାର’ରେ ପହଞ୍ଚିଥିଲେ। ଏହି ସମୟରେ, ଅଭିଯୁକ୍ତ ରାହୁଲ ସିଂହ ବାରମ୍ବାର ଅଶ୍ଳୀଳ ଭୋଜପୁରୀ ଗୀତ ବଜାଇବାକୁ ଦାବି କରିବାକୁ ଲାଗିଲେ। ଏହାକୁ ନେଇ ବିବାଦ ଆରମ୍ଭ ହେଲା। ଏହି ବିବାଦ ପରେ, ରାହୁଲ ସିଂହ ରାଗିଯାଇ ତାଙ୍କ ପିସ୍ତଲ ବାହାର କରି ଗୁଳି ଚଳାଇଥିଲେ।