fbpx

ରଣଜୀ ଟ୍ରଫି: ସେମିଫାଇନାଲ ଲାଇନ୍ଅପ୍ ଚୂଡାନ୍ତ, ଜାଣନ୍ତୁ କେବେ ଏବଂ କେଉଁଠାରେ ହେବ ସଂଘର୍ଷ

ରାଜକୋଟ(ଗୁଜରାଟ) : ଘରୋଇ ରଣଜୀ ଟ୍ରଫି କ୍ରିକେଟ ପ୍ରତିଯୋଗିତାର ଶେଷ କ୍ୱାର୍ଟର ଫାଇନାଲ୍ ମ୍ୟାଚରେ ପଞ୍ଜାବକୁ ୭୧ ରନରେ ପରାସ୍ତ କରି ସୌରାଷ୍ଟ୍ର ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି। ଏଠାରେ ଅନୁଷ୍ଠିତ ଏହି ମ୍ୟାଚରେ ସୌରାଷ୍ଟ୍ର ପ୍ରଥମ ପାଳିରେ ୩୦୩ ରନ୍ ଓ ଦ୍ୱିତୀୟ ପାଳିରେ ୩୭୯ ରନ୍ କରିଥିଲା। ସେହିପରି ପ୍ରଥମ ପାଳିରେ ୪୩୧ ରନ୍‌କରିଥିବା ପଞ୍ଜାବ ସମ୍ମୁଖରେ ୨୫୨ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋିଥିବାବେଳେ ଶୁକ୍ରବାର ଚତୁର୍ଥ ଦିବସ ଶେଷସୁଦ୍ଧା ଅସମାପ୍ତ ଦ୍ୱିତୀୟ ପାଳିରେ ୨ୱିକେଟ୍ ହରାଇ ୫୨ ରନ୍ କରିଥିଲା। ପଞ୍ଚମ ତଥା ଅନ୍ତିମ ଦିବସରେ ବିଜୟପାଇଁ ୨୦୦ ରନ୍ ଆବଶ୍ୟକ କରୁଥିବା ପଞ୍ଜାବ ଦ୍ୱିତୀୟ ଇନିଂସରେ ୧୮୦ ରନ କରି ଅଲଆଉଟ ହୋଇ ଯାଇଥିଲା ।

ଗତକାଲି ଫଇସଲା ହୋଇଥିବା ଅନ୍ୟ ତିନି କ୍ୱାର୍ଟରଫାଇନାଲ ମ୍ୟାଚରେ ୮ ଥର ବିଜେତା କର୍ଣ୍ଣାଟକ, ଗତଥର ବିଜେତା ମଧ୍ୟପ୍ରଦେଶ ଏବଂ ଗତଥରର ସେମିଫାଇନାଲିଷ୍ଟ ବେଙ୍ଗଲ ବିଜୟ ଲାଭ କରି ଚଳିତ ବର୍ଷର ରଣଜୀ ଟ୍ରଫି ସେମିଫାଇନାଲ୍ ସ୍ଥାନ ପକ୍କା କରିନେଇଥିଲେ। ବେଙ୍ଗାଲୁରୁରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲ୍‌ରେ ଘରୋଇ କର୍ଣ୍ଣାଟକ ଏକ ପାଳି ଓ ୨୮୧ ରନ୍‌ରେ ଉତ୍ତରାଖଣ୍ଡକୁ ପରାସ୍ତ କରିଛି। ଏମ୍ ଭେଙ୍କଟେଶ୍‌ଙ୍କ ୫ ୱିକେଟ୍‌ ସଫଳତା ବଳରେ ଉତ୍ତରାଖଣ୍ଡ ପ୍ରଥମ ପାଳିକୁ ୧୧୬ ରନ୍‌ରେ ସଫା କରିଦେବା ପରେ କର୍ଣ୍ଣାଟକ ପ୍ରଥମ ପାଳିରେ ଶ୍ରେୟସ ଗୋପାଳ (୧୬୧)ଙ୍କ ଶତକ ସାଙ୍ଗକୁ ରବିକୁମାର ସମର୍ଥ (୮୨), ଅଧିନାୟକ ମୟଙ୍କ ଅଗ୍ରୱାଲ (୮୩), ଦେବଦତ୍ତ ପଡ଼ିକଲ (୬୯) ଓ ନିକିନ ଜୋସେ (୬୨)ଙ୍କ ଅର୍ଦ୍ଧଶତକ ସହାୟତାରେ ୬୦୬ ରନ୍‌ କରିନେଇଥିଲା। ଜବାବରେ ଶ୍ରେୟସ ଗୋପାଳ (୩/୨୬), ବିଜୟ କୁମାର ବ୍ୟାସକ (୩/୫୫), ଏମ୍ ଭେଙ୍କଟେଶ୍‌ (୨/୪୪) ଓ ବିଦ୍ୱତ କାବେରେପ୍ପା (୨/ ୩୦)ଙ୍କ ଘାତକ ବୋଲିଂ ନିକଟରେ ତିଷ୍ଠି ନପାରି ଉତ୍ତରାଖଣ୍ଡ ଦ୍ୱିତୀୟ ପାଳି ୨୦୯ ରନ୍‌ରେ ଶେଷ ହୋଇଯାଇଥିଲା।

ଇନ୍ଦୋରରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲ୍‌ରେ ଘରୋଇ ମଧ୍ୟପ୍ରଦେଶ ୫ ୱିକେଟ୍‌ରେ ଆନ୍ଧ୍ର ପ୍ରଦେଶକୁ ପରାସ୍ତ କରିଛି । ରିକି ଭୂଇ (୧୪୯) ଓ କରନ ସିନ୍ଦେ (୧୧୦)ଙ୍କ ଶତକ ବଳରେ ପ୍ରଥମ ପାଳିରେ ୩୭୯ ରନ୍ କରିଥିବା ଆନ୍ଧ୍ର ଦ୍ୱିତୀୟ ପାଳିରେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୯୩ ରନ୍‌ କରିଥିଲା। ଜବାବରେ କେବଳ ଶୁଭମ ଶର୍ମା (୫୧)ଙ୍କ ଅର୍ଦ୍ଧଶତକ ସହାୟତାରେ ପ୍ରଥମ ପାଳିରେ ୨୨୮ ରନ୍ କରିଥିବା ମଧ୍ୟପ୍ରଦେଶ ୧୫୧ ରନ୍‌?ପଛୁଆ ରହିବା ପରେ ଦ୍ୱିତୀୟ ପାଳିରେ ୫ ୱିକେଟ୍‌ ବିନିମୟରେ ବିଜୟ ଲକ୍ଷ୍ୟ ୨୪୫ ରନ୍‌ରେ ପହଞ୍ଚି ଯାଇଥିଲା।

କୋଲ୍‌କାତାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲ୍‌ରେ ବେଙ୍ଗଲ ୯ ୱିକେଟ୍‌ରେ ଝାଡ଼ଖଣ୍ଡକୁ ପରାସ୍ତ କରିଛି। ଝାଡ଼ଖଣ୍ଡ ପ୍ରଥମ ପାଳିରେ ୧୭୩ ଏବଂ ଦ୍ୱିତୀୟ ପାଳିରେ ୨୨୧ ରନ୍‌ରେ ଅସୀମିତ ହୋଇ ଯାଇଥିଲା । ବେଙ୍ଗଲ ପ୍ରଥମ ପାଳିରେ ୩୨୮ ରନ୍ କରିଥିବା ବେଳେ ବିଜୟ ପାଇଁ ମାତ୍ର ୬୭ ରନ୍‌ କେବଳ ୧ ୱିକେଟ ହରାଇ ସଂଗ୍ରହ କରି ନେଇ ଥିଲା ।

Get real time updates directly on you device, subscribe now.