fbpx
BSKY
BJD MC SKY
BJD YOUTH SKY

ମଣିଷ ମନର କଥା ବୁଝୁଛନ୍ତି କୁକୁର-ବିଲେଇ: ଏକାଠି ଖାଉଛନ୍ତି, ଏକାଠି ଶୋଉଛନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ରବିବାର ଦିନ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳନ କରାଯାଉଛି । ଏହି ଅବସରରେ ସମସ୍ତେ ମନ ଓ ହୃଦୟରୁ ଭଲ ପାଉଥିବା ବନ୍ଧୁକୁ ମନେପକାଇଥାନ୍ତି । ଦିନକୁ ଦିନ ଆଜିର ସମାଜରେ ଘୃଣା, ଦ୍ୱେଷ, ଈର୍ଷା, ନିନ୍ଦା ଆଦି ଭାବନା ବଢ଼ିଚାଲିଥିବା ବେଳେ ଏହା ମଧ୍ୟରେ ବନ୍ଧୁତ୍ୱ ବଞ୍ଚି ରହିଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଦିବସକୁ ବେଶ୍ ଖୁସିରେ ପାଳନ କରିଥାନ୍ତି ।

ତେବେ ଏହି ବନ୍ଧୁତା କେବଳ ମଣିଷଙ୍କ ମଧ୍ୟରେ ସୀମିତ ରହିନାହିଁ, ପଶୁପକ୍ଷୀଙ୍କ ଭିତରେ ମଧ୍ୟରେ ଏହି ଭଲ ପାଇବା ଲୁଚି ରହିଛି । ଗୃହପାଳିତ ପ୍ରାଣୀଙ୍କର ଭଲପାଇବାର ଏକ ନିଚ୍ଛକ ନିଦର୍ଶନ ଦେଖିବାକୁ ମିଳିଛି ଜଟଣୀ ବିଡିଏ କଲୋନୀରେ । କପିଳେଶ୍ୱର ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘରେ ବିଲେଇ ଓ କୁକୁରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଏକ ନିଆରା ବନ୍ଧୁତ୍ୱ । କପିଳେଶ୍ୱରଙ୍କ ଘରେ ମୋଟ ୮ଟି ବିଲେଇ ଓ ଗୋଟିଏ କୁକୁର ରହିଥିବା ବେଳେ ସେମାନେ ସମସ୍ତେ ଏକାଠି ଖିଆପିଆ କରିବା ସହିତ ଶୋଇଥାନ୍ତି ଓ ବୁଲାବୁଲି କରିଥାନ୍ତି ।

କୁକୁର ଆଉ ବିଲେଇଙ୍କର ଏଇ ନିବିଡ଼ ସମ୍ପର୍କକୁ କେହି ସହଜରେ ବିଶ୍ୱାସ କରିପାରନ୍ତି ନାହିଁ । ବିଲେଇକୁ ଦେଖିବା ମାତ୍ର ଆକ୍ରମଣ କରୁଥିବା କୁକୁର ଏବେ ବିଶ୍ୱସ୍ତ ବନ୍ଧୁ ପାଲଟି ଯାଇଛି । ସେମାନେ ପରସ୍ପରକୁ ସ୍ନେହ, ଆଦର କରିବା ସହିତ ଅଧିକାଂଶ ସମୟ ଏକାଠି ବିତାଇଥାନ୍ତି । ଏହି ନିଆରା ଦୃଶ୍ୟକୁ ଦେଖିବାକୁ ପାଖ ସାହି ପଡ଼ିଶାର ଲୋକମାନେ ଧାଇଁ ଆସିଥାନ୍ତି । କୁକୁର ଓ ବିଲେଇଙ୍କର ନାମକରଣ କରାଯାଇଛି । ଥରେ ନାଁ ଧରି ଡାକିଦେଲେ ଯିଏ ଯୁଆଡ଼େ ଥିଲେ ବି ପାଖକୁ ଧାଇଁ ଆସିଥାନ୍ତି । କପିଳେଶ୍ୱରଙ୍କ ପରିବାରର କେହି ସକାଳୁ ଉଠିବାରେ ବିଳମ୍ବ ହେଲେ ଏହି ଗୃହପାଳିତ ପ୍ରାଣୀମାନେ ଶୋଇବା ସ୍ଥାନରେ ପହଞ୍ଚି ଯାଇଥାନ୍ତି । ଭଲପାଇବା ଦେଲେ ପଶୁମାନେ ହିଂସ୍ର ଆଚରଣ କରିବେ ନାହିଁ । ବନ୍ଧୁତ୍ୱର ପ୍ରକୃତ ମୂଲ୍ୟ ଏହି ସମସ୍ତ ଗୃହପାଳିତ ପ୍ରାଣୀମାନେ ଭଲଭାବେ ବୁଝି ପାରିଛନ୍ତି ।

Get real time updates directly on you device, subscribe now.