କମିବ ରେଟ୍, ଏଥର ୟୁପିରୁ ଆସିଗଲା ଆଳୁ: ଓଡ଼ିଶାରେ ପହଞ୍ଚିଲା ୩୦୦ ଟ୍ରକ ଆଳୁ ଗାଡ଼ି

ଭୁବନେଶ୍ୱର: ଟ୍ରକରେ ଭର୍ତ୍ତି ହୋଇ ଓଡ଼ିଶାକୁ ଆସିଛି ଖୁସିର ଖବର । ପଶ୍ଚିମବଙ୍ଗ ଧୋକା ଦେବା ପରେ ଆଳୁ ପାଇଁ ନୂଆ ସାଥୀ ପାଇଛନ୍ତି ଓଡ଼ିଶା ସରକାର । ଏଣିକି ଉତ୍ତରପ୍ରଦେଶରୁ ଆସିବ ଟ୍ରକ ଟ୍ରକ ଆଳୁ । ଗତ କିଛି ଦିନରୁ ଆଳୁ ରେଟ୍ ବଢିଥିବା ବେଳେ ଆଜି ଏହାର ସମାଧାନ ଆସିଛି । ଉତ୍ତରପ୍ରଦେଶରୁ ଶହ ଶହ ଟ୍ରକରେ ଆଳୁ ଆଜି ଓଡ଼ିଶାରେ ପହଞ୍ଚିଛି । ଭୁବନେଶ୍ୱର ଏବଂ କଟକ ସମେତ ରଜ୍ୟର ବିଭିନ୍ନ ସ୍ଥାନରେ ପହଞ୍ଚିଛି ଆଳୁ ।

ଉତ୍ତରପ୍ରଦେଶରୁ ପ୍ରାୟ ୩୦୦ ଟ୍ରକରେ ଆଳୁ ମଗାଇଛନ୍ତି ରାଜ୍ୟ ସରକାର । ତେବେ ଓଡ଼ିଶାରେ ଉତ୍ତପ୍ରଦେଶର ଆଳୁ ଟ୍ରକ ପହଞ୍ଚିବା ପରେ ଖାଉଟିଙ୍କ ମନରେ ଖୁସି ଭରିଯାଇଛି । ଖୁଚୁରା ବଜାରରେ ବର୍ତ୍ତମାନ ଆଳୁ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଗତ କିଛି ଦିନରୁ ଆଳୁର ମୂଲ୍ୟ ବୃଦ୍ଧି ହୋଇଥିବାରୁ ସାଧାରଣ ଜନତାଙ୍କୁ ଚିନ୍ତା ଘାରିଛି ।

ଉତ୍ତର ପ୍ରଦେଶରୁ ୩୦୦ ଆଳୁ ଟ୍ରକ୍ ଓଡ଼ିଶାରେ ପହଞ୍ଚିଛି । ବଜାରରେ ଆଳୁ ମହଜୁଦ ହେବାପରେ, ଦର ନିୟନ୍ତ୍ରଣକୁ ଆସିବ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗରେ ବର୍ତ୍ତମାନ ୭ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଗଚ୍ଛିତ ଅଛି । ତାଙ୍କ ଚାହିଦା ଅତିବେଶୀରେ ୫ ଲକ୍ଷ ମେଟ୍ରିକ୍ ଟନ୍ । ବାକି ୨ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ସେମାନେ ଅନ୍ୟ ରାଜ୍ୟକୁ ଦେଇପାରିବେ । ଯଦି ଅନ୍ୟ ରାଜ୍ୟକୁ ରପ୍ତାନୀ ନ କରିବେ ଆଳୁ ପଚିଯିବ ଏବଂ ରାଜ୍ୟ କ୍ଷତି ସହିବ ।

ପଶ୍ଚିମବଙ୍ଗ ସରକାର ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି । ଯାହାଫଳରେ କୋଲକାତାରୁ ଆଳୁ ଓଡ଼ିଶା ଆସିପାରୁ ନାହିଁ । ଆଳୁ ଆମଦାନୀ କମିବାରୁ ଓଡ଼ିଶା ବଜାରରେ ଆଳୁ ଦର ଘୋ ଘୋ ହୋଇ ବଢ଼ିବାରେ ଲାଗିଛି । ଯେଉଁ କାରଣରୁ କିଛିଦିନ ତଳେ ସରକାର ଅନ୍ୟ ରାଜ୍ୟରୁ ଆଳୁ ଆଣିବା ପାଇଁ ଯୋଜନା ଚଳାଇଥିବା କହିଥିଲେ ଯୋଗାଣ ମନ୍ତ୍ରୀ । ଆଳୁ ଆମଦାନୀ ପାଇଁ ୟୁପି ଓ ପଞ୍ଜାବ ସହ ଆଲୋଚନା ଜାରିଥିବା ମଧ୍ୟ ସେ କହିଥିଲେ । ତେବେ ଆଗାମୀ ଦିନରେ ୩୦୦ ଟ୍ରକ୍ ଆଳୁ ଓଡ଼ିଶା ଆସିବ ବୋଲି ଖୋଦ୍ ମନ୍ତ୍ରୀ ରବିବାର ସୂଚନା ଦେଇଛନ୍ତି । ୟୁପିରୁ ଆଳୁ ଆସି ପହଞ୍ଚିବା ପରେ ଆଳୁ ଦର କମିଯିବ ।