fbpx

ଆସନ୍ତାକାଲି ମାଘ ସପ୍ତମୀ; ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ୱର: ପବିତ୍ର ମାଘ ସପ୍ତମୀ ଅବସରରେ ଆସନ୍ତାକାଲି କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ ବୁଡ ପକାଇବେ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ପାରମ୍ପରିକରୀତି ମତେ ମାଧିପୁରର ତ୍ରିବେଣୀଶ୍ୱର, ସନ୍ଥପୁରର ଈଶାନେଶ୍ୱର ଏବଂ କୁରଜଙ୍ଗର ଦକ୍ଷିଣେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମାଙ୍କୁ ପୂର୍ବ ରାତି ୮ଟା ୧୦ରୁ ୧୦ଟା ୪୦ ମିନିଟ୍‍ ମଧ୍ୟରେ ବିମାନକୁ ବିଜେ କରାଯିବ ।

ଏହାପରେ ଭୋର ୩ଟା ୫୦ ମିନିଟ୍‍ ବେଳକୁ ଠାକୁରମାନଙ୍କୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ସ୍ନାନ କରାଯିବ ଏବଂ ଭୋର ୪ଟା ୪୧ ମିନିଟ୍‍ ପରେ ଶ୍ରଦ୍ଧାଳୁମାନେ ବୁଡ ପକାଇବେ । ଚନ୍ଦ୍ରଭାଗା ସ୍ନାନ ପରେ ମନ୍ଦିର ପରିକ୍ରମା ପରମ୍ପରା ରହିଥିବାରୁ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ କରାଯିବ ବୋଲି ସୂଚନା ମିଳିଛି । ଭିଡକୁ ଦୃଷ୍ଟିରେ ରଖି ୩୦ ପ୍ଲାଟୁନ୍‍ ପୋଲିସ ଫୋର୍ସଙ୍କୁ ମୂତୟନ କରାଯାଇଛି ବୋଲି ଏସ୍‍ପି କେ.ବିଶାଲ ସିଂହ କହିଛନ୍ତି ।

ତେବେ ଧାର୍ମିକ ଦୃଷ୍ଟିକୋଣରୁ ମାଘ ମାସର ଏହି ସପ୍ତମୀର ବିଶେଷ ମହତ୍ବ ରହିଛି। ଏହା ମାଘ ସପ୍ତମୀ, ରଥ ସପ୍ତମୀ, ଭାନୁ ସପ୍ତମୀ, ପୁତ୍ର ସପ୍ତମୀ, ମହତି ସପ୍ତମୀ ଏବଂ ସପ୍ତ ସପ୍ତମୀ ବ୍ରତ ନାମରେ ମଧ୍ୟ ଜଣାଶୁଣା।

ପଦ୍ମ ପୁରାଣ ଏବଂ ଭବିଷ୍ୟ ପୁରାଣରେ ଏହି ସପ୍ତମୀର ମହତ୍ତ୍ବ ବିଷୟରେ କୁହାଯାଇଛି। ବିଶ୍ୱାସ କରାଯାଏ ଯେ ସୃଷ୍ଟି ଆରମ୍ଭରେ ଭଗବାନ ସୂର୍ଯ୍ୟଙ୍କ ପ୍ରଥମ କିରଣ ପୃଥିବୀକୁ କେବଳ ମାଘ ମାସର ସପ୍ତମୀ ଦିନରେ ପଡ଼ିଥିଲା। ସେଥିପାଇଁ ଏହାକୁ ସୂର୍ଯ୍ୟ ଭଗବାନଙ୍କ ଜନ୍ମଦିନ ଭାବରେ ମଧ୍ୟ ବିବେଚନା କରାଯାଏ। ଏହି ବ୍ରତ ବିଷୟରେ ଏପରି ଏକ ବିଶ୍ୱାସ ଅଛି ଯେ ଏହି ସପ୍ତମୀ ତିଥିରେ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରୁଥିବା ବ୍ୟକ୍ତି ପାପରୁ ମୁକ୍ତି ପାଇ ଉତ୍ତମ ଲୋକରେ ସ୍ଥାନ ପାଇଥାଏ।

Get real time updates directly on you device, subscribe now.