fbpx

ରାତି ପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ପୁରୀରେ ମୁତୟନ ହେବେ ୬୫ ପ୍ଲାଟୁନ ଫୋର୍ସ

ପୁରୀ, (ଓଡ଼ିଶା ଭାସ୍କର): ଚଳିତ ମାସ ୧୨ ତାରିଖ ଅର୍ଥାତ ସୋମବାର ଅନୁଷ୍ଠିତ ହେବ । ବଡ଼ଦାଣ୍ଡକୁ ଓହ୍ଲାଇବେ ଶ୍ରୀବିଗ୍ରହ । ତେବେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ଯୋଗୁଁ ଭକ୍ତଶୂନ୍ୟ ରଥଯାତ୍ରା ହେବ ଏବଂ କେବଳ ପୁରୀରେ ରଥଯାତ୍ରା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଶନିବାର ରଥଯାତ୍ରା ନେଇ ସୁରକ୍ଷା ସମୀକ୍ଷା କରାଯାଇଛି । ରଥଯାତ୍ରା ସମୟରେ ପୁରୀ ସହରରେ ମୁତୟନ ହେବେ ୬୫ ପ୍ଲାଟୁନ ଫୋର୍ସ । ସହରକୁ ୧୨ଟି ଜୋନ୍‌ରେ ବିଭକ୍ତ କରାଯିବ । ସହରର ମୁଖ୍ୟ ପ୍ରବେଶ ପଥ ଓ ବଡ଼ଦାଣ୍ଡ ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ ହେବେ ।

ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ୪ଜୋନ୍‌ ଓ ସହର ଚତୁଃପାଶ୍ୱର୍କୁ ୮ଟି ଜୋନରେ ବିଭକ୍ତ କରାଯାଇଥିବା ସୂଚନା ଦିଆଯାଇଛି । ରଥଯାତ୍ରା ପାଇଁ ପୁରୀ ସହରରେ ରବିବାର ସଂନ୍ଧ୍ୟାଠାରୁ ମଙ୍ଗଳବାର ସଂନ୍ଧ୍ୟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯିବ । ରାଜ୍ୟର ୧୦ଟି ଜିଲ୍ଲାରେ ଶନିବାର ଓ ରବିବାର ସଟ୍‌ଡାଉନ୍‌ କଟକଣା ଲାଗୁ ହୋଇଛି । ତେବେ ରଥଯାତ୍ରା ଦୃଷ୍ଟିରୁ କେବଳ ପୁରୀ ସହର ପାଇଁ ଲୋକଙ୍କ ସୁବିଧା ନିମନ୍ତେ ଶନିବାର ଓ ରବିବାର ସଟ୍‌ଡାଉନ୍‌ କଟକଣାରେ କୋହଳ ପାଇଁ ଏସ୍‌ଆର୍‌ସି ବିଜ୍ଞପ୍ତି ପ୍ରକାଶ କରିଥିଲେ । ଶନିବାର ସହରବାସୀ ଦୋକାନ ବଜାରକୁ ଯାଇ ପନିପରିବା ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଛି ।

ଶ୍ରୀଗୁଣ୍ଡିଚା ଯାତ୍ରା ପରଦିନ ଅର୍ଥାତ ଚଳିତ ମାସ ୧୩ ତାରିଖରେ ଶ୍ରୀମନ୍ଦିରରେ ଲେଜର୍‌ ସ୍କାନିଂ କରାଯିବ । ଲେଜର ସ୍କାନିଂ ପରେ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ରହିଥିବା ଦୁର୍ବଳ ପଥରର ସ୍ଥିତି ଜାଣି ହେବ ଓ ଏସବୁରେ ରହିଥିବା ଫାଟର ମରାମତି କରାଯିବ । ନାଟ ମଣ୍ଡପ, ଗର୍ଭଗୃହ ଓ ଜଗମୋହନର ଲେଜର୍‌ ସ୍କାନିଂ ହେବ । ଏଥି ନିମନ୍ତେ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ଏକ ସ୍ୱତନ୍ତ୍ର ବୈଷୟିକ ଟିମ୍‌ ନିୟୋଜିତ ହେବେ ବୋଲି ଜଣାପଡିଛି ।

ପ୍ରକାଶ ଥାଉ କି, ଏଥି ପୂର୍ବରୁ କୋଣାର୍କ ମନ୍ଦିରରେ ମଧ୍ୟ ଲେଜର ସ୍କାନିଂ ଦ୍ୱାରା ଅନେକ ଦୁର୍ବଳ ପଥରକୁ ଚିହ୍ନଟ କରାଯାଇଥିଲା । ପୁରୀ ଶ୍ରୀମନ୍ଦିରର ୮ଟି ଦ୍ୱାରରେ ରୂପା ଛାଉଣି ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଥିଲା । ସେଥିମଧ୍ୟରୁ ରଥଯାତ୍ରା ସମୟରେ ୪ଟି ଦ୍ୱାର ରୂପା ଛାଉଣି କରାଯିବ । ଏହି ୪ଟି ଦ୍ୱାର ପାଇଁ କାଠ କବାଟର ଫ୍ରେମ୍‌ ନିର୍ମାଣ ହୋଇ ନିଳାଦ୍ରୀ ଭକ୍ତ ନିବାସରେ ରଖାଯାଇଛି । ୧୭ଟି ପ୍ୟାକେଟରେ ୧.୩ ଟନ୍‌ ଓଜନର ରୂପା ଚାଦର ପୋଲିସ ସୁରକ୍ଷା ମଧ୍ୟରେ ରଖାଯାଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ପରେ ବେହରଣ ଦ୍ୱାର, କଳାହାଟ ଦ୍ୱାର, ଜୟ ବିଜୟ ଦ୍ୱାର ଓ ଭୋଗ ମଣ୍ଡପ ଦ୍ୱାର ରୂପା ଛାଉଣି କରାଯିବ ।ଦ୍ୱାରର କାଠ କବାଟ ଉପରେ ରୂପା ଛାଉଣି କରାଯାଇ ଏହାକୁ ଫିଟିଂ କରାଯିବ ।

ରଥଯାତ୍ରା ସମୟରେ କୌଣସି ପର୍ଯ୍ୟଟକ କିମ୍ବା ଅତିଥି ପୁରୀ ସହରର ହୋଟେଲ, ଲଜ୍‌, ଧର୍ମଶାଳା, ଗେଷ୍ଟ ହାଉସରେ ରହୁଥିବେ ଆଜି ସୁଦ୍ଧା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । କର୍ଫ୍ୟୁ ବଳବତ୍ତର ଥିବା ସମୟରେ ବଡ଼ଦାଣ୍ଡରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି । ଏହାବ୍ୟତୀତ ବଡ଼ଦାଣ୍ଡରେ ଥିବା କୌଣସି ଦୋକାନ ଖୋଲାଯିବ ନାହିଁ । କର୍ଫ୍ୟୁ ସମୟରେ ସହରର ଅନ୍ୟ ସ୍ଥାନଗୁଡ଼ିକରେ କେବଳ ଔଷଧ ଦୋକାନ, ମେଡ଼ିକାଲ୍‌ ଉପକରଣ ଦୋକାନ ଏବଂ ଚଷମା ଦୋକାନ ଗୁଡ଼ିକୁ ଖୋଲିବା ନିମନ୍ତେ ଅନୁମତି ମିଳିଛି । ପୁରୀ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଚଳପ୍ରଚଳକୁ ରୋକିବା ପାଇଁ ସମସ୍ତ ପ୍ରବେଶ ପଥକୁ ସିଲ୍‌ କରାଯିବା ସହ ୮ଟି ଚେକିଂ ପଏଣ୍ଟର ବ୍ୟବସ୍ଥା କରାଯିବ ।

Get real time updates directly on you device, subscribe now.