fbpx
BJD SKY
BJD SKY

କୋଟି କୋଟି ଗ୍ରାହକଙ୍କୁ ଆଲର୍ଟ କଲା ଆରବିଆଇ, ମେ ୨୩ରେ ଅନଲାଇନ ଟ୍ରାନଜେକ୍ସନ କରିବା ପୂର୍ବରୁ ଜାଣି ନିଅନ୍ତୁ ଏହି ଜରୁରୀ କଥା

BJD

ନୂଆଦିଲ୍ଲୀ ୧୭ ।୦୫: ଯଦି ଆପଣ ଡିଜିଟାଲ ଟ୍ରାନଜେକ୍ସନ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏହି ସଂଦର୍ଭରେ କୋଟି କୋଟି ଗ୍ରାହକଙ୍କ ପାଇଁ ଆଲର୍ଟ ଜାରି କରିଛି । ଆରବିଆଇ କହିଛି ମେ ୨୩ରେ କିଛି ଘଂଟା ପାଇଁ ଏନଇଏଫଟି ସର୍ଭିସ କାମ କରିବ ନାହିଁ । ତେଣୁ ଆପଣ ଏହା ପୂର୍ବରୁ ବାକି ଥିବା କାମ ତୁଟାଇ ଦିଅନ୍ତୁ । କାହାକୁ ଡିଜିଟାଲରେ ଟଙ୍କା ଦେବାର ଅଛି ତେବେ ସେହି କାମ ଆଗେ କରି ଦିଅନ୍ତୁ ବୋଲି ଆରବିଆଇ ଗ୍ରାହକଙ୍କୁ ଅପିଲ୍ କରିଛି । ଆରବିଆଇ ଟ୍ୱିଟ୍ କରି ସୋମବାର ଏହି ବିଷୟରେ ସୂଚନା ଦେଇଛି।

ସୂଚନାଯୋଗ୍ୟ, ନ୍ୟାସନାଲ ଇଲେକଟ୍ରୋନିକ ଫଣ୍ଡ ଟ୍ରାନ୍ସଫର ସିଷ୍ଟମ(ଏନଇଏଫଟି) ସମଗ୍ର ଦେଶରେ ପ୍ରଚଳନ ହେଉଥିବା ଏକ ପେମେଂଟ ସିଷ୍ଟମ । ଏଥିରେ କୌଣସି ବ୍ୟାଙ୍କର ଆକାଉଂଟରୁ ଅନ୍ୟ ଆକାଉଂଟକୁ ଟଙ୍କା ନେଣଦେଣ କରାଯାଇଥାଏ । ଏନଇଏଫଟି ଜରିଆରେ ଗ୍ରାହକ ମିନିଟରେ ଟଙ୍କା ଯେ କୌଣସି ବ୍ୟକ୍ତି ପାଖକୁ ପଠାଇ ପାରିବେ । ଆପଣ ଦେଶର ଯେ କୌଣସି ବ୍ୟାଙ୍କର ଶାଖାରେ ଏହି ସୁବିଧା ଜରିଆରେ ଟଙ୍କା ପଠାଇ ପାରିବେ ।

ଆରବିଆଇ ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁଯାୟୀ, ମେ ୨୨ରେ ବ୍ୟାଙ୍କରେ କାମ ସରିବା ପରେ ଟେକ୍ନିକାଲ ଅପଗ୍ରେଡେସନ ପାଇଁ ଏନଇଏଫଟି ମେ ୨୩ ତାରିଖ ରାତି ୧୨ଟାରୁ ଦିନ ୨ଟା ଯାଏଁ କାମ କରିବ ନାହିଁ । ମାତ୍ର ଆରଟିଜିଏସ ସୁବିଧା ସୂଚାରୁ ଭାବେ କାମ କରିବ ।

ଉଲ୍ଲେଖନୀୟ, ଏନଇଏଫଟି ଜରିଆରେ ଟଙ୍କା ନେଣଦେଣ କରିବାର କୌଣସି ସର୍ବନିମ୍ନ ସୀମା ନାହିଁ । ଅର୍ଥାତ ଆପଣ ଯେତେ ଚାହିଁବେ ଟଙ୍କା ନେଣଦେଣ କରି ପାରିବେ । ଯଦି ସର୍ବାଧିକ ଲିମିଟ୍ ଉପରେ ଆଲୋଚନା କରାଯାଏ, ତେବେ ଅଲଗା ଅଲଗା ବ୍ୟାଙ୍କର ଅଲଗା ଅଲଗା ନିୟମ ରହିଛି ।

Get real time updates directly on you device, subscribe now.