fbpx
BSKY SKY
BSKY SKY

RBI ଜାରି କରିବ ଡିଜିଟାଲ୍ କରେନ୍ସି, ସୂଚନା ଦେଲେ ଡେପୁଟି ଗଭର୍ଣ୍ଣର

BSKY

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଡିଜିଟାଲ୍ କରେନ୍ସି ଜାରି କରାଯିବ । ଏନେଇ ସୂଚନା ଦେଇଛନ୍ତି ଆରବିଆଇର ଜଣେ ଡେପୁଟି ଗଭର୍ଣ୍ଣର । ତେବେ ଯୋଜନା ମୁତାବକ ପ୍ରଥମେ ଟ୍ରାଏଲ୍ ବେସିସରେ ହୋଲସେଲ ଓ ରିଟେଲ କ୍ଷେତ୍ରରେ ଡିଜିଟାଲ କରେନ୍ସିର ଶୁଭାରମ୍ଭ ନେଇ ପ୍ରସ୍ତୁତି ଚାଲିଛି ।
ଆରବିଆଇ ଡେପୁଟି ଗଭର୍ଣ୍ଣର ଟି ରବି ଶଙ୍କର କହିଛନ୍ତି ଯେ, ବର୍ତ୍ତମାନ ସମୟରେ ବିଟକଏନ୍ ପରି ଅଣପଞ୍ଜୀକକୃତ ଡିଜିଟାଲ କରେନ୍ସିର ପ୍ରଚଳନ ବଢ଼ିବାରେ ଲାଗିଛି । ତେଣୁ ଏପରି ବିନା ଗ୍ୟାରେଣ୍ଟିଯୁକ୍ତ ଡିଜିଟାଲ କରେନ୍ସିର ପ୍ରଭାବରୁ ସାଧାରଣ ଲୋକଙ୍କୁ ଦୂରେଇବା ଦରକାର । ଏହି ବିଷୟ ଉପରେ ବିଶ୍ୱରେ ଅନେକ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କ ବର୍ତ୍ତମାନ ପ୍ରସ୍ତୁତି ଜାରି ରଖିଛନ୍ତି । ସ୍ୱତନ୍ତ୍ର ରଣନୀତି ଆପଣାଇ ଆରବିଆଇ ନିଜର ଡିଜିଟାଲ କରେନ୍ସି ଜାରି କରିବା ପାଇଁ କାର୍ଯ୍ୟ ଜାରି ରଖିଛି । ତେବେ ଏହି ଡିଜିଟାଲ କରେନ୍ସି ଲାଗୁ ହେବା ପରେ ଏହାର ପ୍ରଭାବ ଦେଶର ବ୍ୟାଙ୍କ କିମ୍ବା ଅର୍ଥନୀତି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କର ଅଧିନିୟମରେ ମୁଦ୍ରାକୁ ଧ୍ୟାନରେ ରଖି ସମସ୍ତ ବ୍ୟବସ୍ଥା ପ୍ରଚଳନ କରାଯାଇଥିବାରୁ ଡିଜିଟାଲ କରେନ୍ସି ପାଇଁ ଆଇନରେ ପରିବର୍ତ୍ତନ କରିବାକୁ ପଡ଼ିବ । ଏଥିପାଇଁ ମୁଦ୍ରା ଅଧିନିୟମ, ବୈଦେଶିକ ବିନିମୟ ଓ ସୂଚନା, ପ୍ରଯୁକ୍ତିବିଦ୍ୟା ଅଧିନିୟମରେ ପରିବର୍ତ୍ତନ କରିବାକୁ ହେବ ବୋଲି ଡେପୁଟି ଗଭର୍ଣ୍ଣ ଶ୍ରୀ ଶଙ୍କର କହିଛନ୍ତି ।

ଡିଜିଟାଲ୍ କରେନ୍ସି କ’ଣ?

ଯେ କୌଣସି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଡିଜିଟାଲ କରେନ୍ସି ଜାରି କରାଯାଇଥାଏ । ଏହି କରେନ୍ସିକୁ ଉକ୍ତ ଦେଶର କେନ୍ଦ୍ରୀୟ ବ୍ୟାଙ୍କର ବାଲାନ୍ସସିଟରେ ମଧ୍ୟ ସାମିଲ୍ କରାଯାଇଥାଏ । ତେବେ ଏହି କରେନ୍ସିର ଫାଇଦା ଏହା ଯେ, ଏହି କରେନ୍ସିକୁ ଦେଶର ମୁଦ୍ରାରେ ପରିବର୍ତ୍ତନ କରାଯାଇପାରିବ । ସାଧାରଣତଃ ଡିଜିଟାଲ କରେନ୍ସି ଦୁଇ ପ୍ରକାରର ହୋଇଥାଏ, ଗୋଟିଏ ହେଲା ରିଟେଲ ଓ ଅନ୍ୟଟି ହୋଲସେଲ୍ । ରିଟେଲ ଡିଜିଟାଲ କରେନ୍ସି ସାଧାରଣ ଜନତା ଓ କମ୍ପାନୀମାନେ ବ୍ୟବହାର କରୁଥିବା ବେଳେ ହୋଲସେଲ ଡିଜିଟାଲ କରେନ୍ସି ଆର୍ଥିକ ସ୍ଥଂସ୍ଥାମାନେ କରିଥାନ୍ତି ।

Get real time updates directly on you device, subscribe now.