Selfie ମନା, Reels କଲେ ଜବତ ହେବ ମୋବାଇଲ ଫୋନ୍: ମହାକୁମ୍ଭ ପାଇଁ ଆସିଲା ଗାଇଡଲାଇନ

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଥିବା ମହାକୁମ୍ଭ ପାଇଁ ପ୍ରସ୍ତୁତିପର୍ବ ଜାରି ରଖିଛନ୍ତି ସରକାର । ଏଥିପାଇଁ ନୂଆ ନିୟମ ଏବଂ ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି । ମହାକୁମ୍ଭ ସମୟରେ ସେଲଫି ଏବଂ ରିଲ୍ସ ଭିଡିଓ କରିବା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ଭିଡ଼ ତଥା ଯାତାୟତରେ ଘଟୁଥିବା ସମସ୍ୟାକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ନିୟୋଜିତ ପୋଲିସ ଏବଂ ସୁରକ୍ଷାକର୍ମୀ ଏହା ଉପରେ ନଜର ରକିବେ ଏବଂ ନିୟମର ଉଲ୍ଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କୁ ବିଭିନ୍ନ ସମସ୍ୟାରୁ ଦୂରେ ରଖିବା ପାଇଁ ଏହି ଘୋଷଣା କରିଛନ୍ତି ସରକାର ।

ମହାକୁମ୍ଭ-୨୦୨୫ରେ ଦେଶ-ବିଦେଶରୁ ପ୍ରାୟ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ, ସ୍ନାନାର୍ଥୀ, କଳ୍ପବାସୀ ଏବଂ ପର୍ଯ୍ୟଟକ ଆସିବା ନେଇ ଅନୁମାନ କରାଯାଉଛି । ତେଣୁ ସେମାନଙ୍କ ସୁରକ୍ଷା ସହ ସୁବିଧାର ସମ୍ପୂର୍ଣ୍ଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟ ସ୍ନାନ ମହୋତ୍ସବରେ ଆଖଡ଼ାର ଉଦଘାଟନ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି। ତେଣୁ ଏଠାରେ ସେମାନଙ୍କର ମହିମା ଏବଂ ଅନନ୍ତ ସଂସ୍କୃତି ଦେଖିବାକୁ ଭକ୍ତଙ୍କ ଭିଡ଼ ଜମା ହୋଇପାରେ । ସଙ୍ଗମ ନୋଜ୍ ସହିତ ଅନ୍ୟାନ୍ୟ ସ୍ନାନ ଘାଟ, ବଡ଼ ହନୁମାନ ମନ୍ଦିର ସମେତ ଅନ୍ୟ ଧାର୍ମିକ ଏବଂ ଦର୍ଶନୀୟ ସ୍ଥାନରେ ମଧ୍ୟ ଭିଡ଼ ରହିବ । ତେଣୁ ଏଭଳି ସ୍ଥିତିରେ ଡିଜିଟାଲ କ୍ରିଏଟର ମାନେ ରିଲ୍ ଭିଡିଓ କଲେ ,ହା ସମସ୍ୟା ସୃଷ୍ଟି କରିପାରେ ।

ବର୍ତ୍ତମାନ ସମୟରେ ଇଣ୍ଟରନେଟ ମିଡିଆରେ ରିଲ କରୁଥିବା ଯୁବପିଢୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିପାଇଁ ଗୋଟିଏ ସ୍ଥାନରେ ସେମାନେ ଅଧିକ ସମୟ ରହି ଗହଳିର ମୁଖ୍ୟ କାରଣ ହୋଇଥାନ୍ତି । ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସହ ଭିଡ଼ ମଧ୍ୟ ବୃଦ୍ଧି ପାଇଥାଏ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ମହାକୁମ୍ଭରେ ସେଲଫି ନେବା କିମ୍ବା ଇଣ୍ଟରନେଟ ମିଡିଆ ପାଇଁ ଭିଡିଓ ରେକର୍ଡ କରିବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ମହାକୁମ୍ଭର ପ୍ରଚାର-ପ୍ରସାର କରିବା ପାଇଁ ମଧ୍ୟ ଭିଡିଓ ଶୁଟ କରିବା ପାଇଁ ପୋଲିସର ଅନୁମତି ଆବଶ୍ୟକ ରହିବ । ତେବେ ଯେଉଁ ସ୍ଥାନରେ ଏହାଦ୍ୱାରା ଭିଡ଼ ନିୟନ୍ତ୍ରଣ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ, ସେହି ସ୍ଥାନରେ ସେଲଫି ନେବା ସହ ଭିଡିଓ କରିପାରିବେ କ୍ରିଏଟର୍ସ ।