ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ରାଜ୍ୟର ସମସ୍ତ କୃଷକଙ୍କୁ ୨୦୨୫ ଖରିଫ୍ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ରେ ପଞ୍ଜିକରଣ କରିବାକୁ ଆହ୍ୱାନ ଦେଇଛି। ଏହି ଯୋଜନାରେ ପଞ୍ଜିକରଣର ଶେଷ ତାରିଖ ୩୧ ଜୁଲାଇ ୨୦୨୫ ରହିଛି। କୃଷକମାନଙ୍କୁ ପ୍ରାକୃତିକ ବିପଦ ଯଥା ବନ୍ୟା, ଖରା ଓ ପୋକମାଛି ଜନିତ କ୍ଷୟକ୍ଷତିରୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏହି ଯୋଜନା ଅଧୀନରେ ବିଜ୍ଞାପିତ ଅଞ୍ଚଳରେ ଚାଷ ହେଉଥିବା ୮ଟି ଫସଲ—ଧାନ, ମକା, ଚିନାବାଦାମ, ମାଣ୍ଡିଆ, କପା, ହରଡ଼, ଅଦା ଓ ହଳଦୀ—ପାଇଁ ବୀମା କରାଯାଇପାରିବ। ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଫସଲ ନଷ୍ଟ ହେଲେ ଚାଷୀମାନେ କ୍ଷତିପୂରଣ ପାଇପାରିବେ। ଭାଗଚାଷୀମାନେ ମଧ୍ୟ ଜମି ମାଲିକଙ୍କଠାରୁ ନିର୍ଦ୍ଦିଷ୍ଟ ଫର୍ମରେ ସହମତି ଆଣି ନିଜ ଫସଲର ବୀମା ପଞ୍ଜିକରଣ କରିପାରିବେ।
ଋଣୀ ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତି (PACS), ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି (LAMPCS) କିମ୍ବା ବ୍ୟାଙ୍କ ଶାଖାରେ ପଞ୍ଜିକରଣ କରାଇପାରିବେ। ଅଣ-ଋଣୀ ଚାଷୀମାନେ ଜନସେବା କେନ୍ଦ୍ର (CSC), ସମବାୟ ବ୍ୟାଙ୍କ ଶାଖା କିମ୍ବା ଅନ୍ୟାନ୍ୟ ବ୍ୟାଙ୍କ ଶାଖାରେ ଆବଶ୍ୟକୀୟ କାଗଜପତ୍ର ଯଥା ଆଧାର କାର୍ଡ ଓ ଜମି ସମ୍ବନ୍ଧୀୟ ଦଲିଲ ପ୍ରଦାନ କରି ପଞ୍ଜିକରଣ କରିପାରିବେ। ଆଧାର କାର୍ଡ ଏହି ପଞ୍ଜିକରଣ ପାଇଁ ବାଧ୍ୟତାମୂଳକ ଅଟେ।
ଜଣେ ଚାଷୀଙ୍କ ପାଇଁ ସର୍ବାଧିକ ୫ ଏକର ଚାଷ ଜମିର ପଞ୍ଜିକରଣ ବିନା କୌଣସି ଦେୟରେ କରାଯିବ। କେବଳ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପାଇଁ ଆବେଦନ ପତ୍ର ପିଛା ୧ ଟଙ୍କା ଦେୟ ଦେବାକୁ ପଡ଼ିବ।
ସମବାୟ ବିଭାଗ କୃଷକମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପଞ୍ଜିକରଣ ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ କରିଛି। ଅଧିକ ସୂଚନା ପାଇଁ ନିକଟସ୍ଥ PACS, LAMPCS, ବ୍ୟାଙ୍କ ଶାଖା, ARCS, DRCS କିମ୍ବା CDAO ଅଫିସରେ ଯୋଗାଯୋଗ କରିପାରିବେ।