fbpx

(VIDEO) ପ୍ରେମର ଶକ୍ତି ଅସୀମିତ: ସୁମିତ-ତପସ୍ୱିନୀଙ୍କୁ ଯୋଡ଼ିଦେଲା ସାତ ଦିନର ସମ୍ପର୍କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଇ ସାତ ଦିନ ସତେ ଯେପରି ସୁମିତ ସାହୁ ଆଉ ତପସ୍ୱିନୀ ଦାଶଙ୍କ ପୁରୁଣା ପ୍ରେମକୁ ଫେରାଇ ଆଣିବାରେ ସହାୟକ ହୋଇଛି । ପୂର୍ବରୁ ସାତ ଦିନ ପାଇଁ ଏକାଠି ରହିବାକୁ କୋର୍ଟ ଦୁହିଁଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ଆଉ ୭ ଦିନ ପାଇଁ ଏକାଠି ରହିବେ । ସୁମିତଙ୍କ ପକ୍ଷ ଆଉ ୭ ଦିନ ସମୟ କୋର୍ଟଙ୍କୁ ମାଗିଥିବାରୁ କୋର୍ଟ ସେନେଇ ଅନୁମତି ପ୍ରଦାନ କରିଛନ୍ତି । ପୂର୍ବପରି ଏଣିକି ଆଉ ତପସ୍ୱିନୀ-ସୁମିତଙ୍କ ଉପରେ କଟକଣା ରହିବ ନାହିଁ । ଦୁହେଁ ସେମାନଙ୍କର ପରିବାର ସଦସ୍ୟଙ୍କ ସହ ମିଳାମିଶା କରିପାରିବେ । ନୂଆ ଭଡ଼ାଘର ଖୋଜିବା ଓ ତପସ୍ୱିନୀଙ୍କ ପ୍ରତିପୋଷଣ ଖର୍ଚ୍ଚ ଦାୟିତ୍ୱ ସୁମିତ ବହନ କରିବେ ବୋଲି କୋର୍ଟ କହିଛନ୍ତି ।

ତେବେ ଗତକାଲି ୭ ଦିନିଆ ଅବଧି ସରୁଥିବା ବେଳେ ସମସ୍ତେ କୋର୍ଟଙ୍କ ରାୟକୁ ଅପେକ୍ଷା କରି ଚାହିଁ ରହିଥିଲେ । ମାତ୍ର ଉକ୍ତ ଅବଧି ଏବେ ଆଉ ୭ ଦିନ ବଢ଼ିଯାଇଥିବାରୁ ପୁଣି ଏକାଠି ରହିବାର ସୁଯୋଗ ପାଇବେ ତପସ୍ୱିନୀ ଓ ସୁମିତ । ଦମ୍ପତିଙ୍କ ସମ୍ପର୍କରେ ଉନ୍ନତି ଘଟୁଥିବା କହିଛନ୍ତି ତପସ୍ୱିନୀଙ୍କ ଓକିଲ । ତେବେ ଆସନ୍ତା ୧୭ ତାରିଖରେ ପରବର୍ତ୍ତୀ ତାରିଖ ରହିଥିବା ବେଳେ ଇତି ମଧ୍ୟରେ ସ୍ୱାମୀ-ସ୍ତ୍ରୀଙ୍କ ସହିତ ଦୁଇ ପରିବାର ମଧ୍ୟରେ ସମ୍ପର୍କରେ ଉନ୍ନତି ଘଟିବ ବୋଲି ଆଶା କରାଯାଉଛି । ପୂର୍ବର ସମସ୍ତ ମାନ ଅଭିମାନକୁ ଭୁଲି ଶାଶୂ, ଶ୍ୱଶୁର ପୁଣି ଥରେ ତାଙ୍କର ବୋହୂକୁ ନିଜ ଘରକୁ ଫେରାଇନେବେ । ଆଉ ପୁଣି ଥରେ ତପସ୍ୱିନୀ-ସୁମିତ ନିଜର ଦୁଃଖଭରା ଅତୀତକୁ ଭୁଲି ନୂଆ ସକାଳର ନୂଆ ଖୁସିକୁ ଖୋଜିବାରେ ବ୍ୟସ୍ତ ରହିବେ ।

Get real time updates directly on you device, subscribe now.