fbpx

ଆସନ୍ତା ୧ ଯାଏଁ ତାତିରୁ ନିସ୍ତାର ନାହିଁ, ୧୩ଟି ସହର ପାଇଁ ରେଡ୍ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରକୋପ । ଅସହ୍ୟ ଗରମ ଓ ଗୁଳୁଗୁଳି ଜନଜୀବନକୁ ଏକ ପ୍ରକାର ଅସ୍ତବ୍ୟସ୍ତ କରିଦେଇଛି । ଆସନ୍ତା ୧ ପର୍ଯ୍ୟନ୍ତ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ । ୨ରୁ ୪ ପର୍ଯ୍ୟନ୍ତ ତାତି ସାମାନ୍ୟ କମିବା ସମ୍ଭାବନା ରହିଛି । ଉପକୂଳ ଅଞ୍ଚଳରେ ପ୍ରାୟ ସବୁ ସ୍ଥାନରେ ଆଦ୍ରାତା ୬୫% ରହିଥିବା ବେଳେ ବାଲେଶ୍ୱର ଓ କେନ୍ଦୁଝରରେ ୩୪.୮ ଡିଗ୍ରୀ, ଝାରସୁଗୁଡ଼ାରେ ୩୪.୪ ଡିଗ୍ରୀ, ଟିଟିଲାଗଡ଼ ୩୪ ଡିଗ୍ରୀ, ଭଦ୍ରକ ୩୩.୫ ଡିଗ୍ରୀ, ଭୁବନେଶ୍ୱର ୨୪.୪ ଓ କଟକ ୩୩.୨ ଡିଗ୍ରୀ ରେକର୍ଡ଼ କରାଯାଇଛି । ତେବେ ସାଢ଼େ ୮ଟାରେ ଅନୁଗୁଳ ୩୬ ଡିଗ୍ରୀ ସହ ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତ ବର୍ଷ ଏପ୍ରିଲ ମାସରେ ତାତି ରେକର୍ଡ ଭାଙ୍ଗିଥିବା ବେଳେ ମେ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସମାନ ସ୍ଥିତି ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଗତ ୨୪ ଘଣ୍ଟାରେ ଟ୍ୱିନ ସିଟି କଟକ ଭୁବନେଶ୍ୱର ସମେତ ରାଜ୍ୟର ୩୩ ସହରର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ୪୩ ଡିଗ୍ରୀ ଉପରେ ରହିଛି ୧୪ଟି ସହରର ତାପମାତ୍ରା । ଆଗାମୀ ୨ରୁ ୩ଦିନ ମଧ୍ୟରେ ତାପାମାତ୍ରାରେ ଆହୁରି ହେବାର ସମ୍ଭାବନା ରହିଛି । ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ୧୩ ଜିଲ୍ଲା ଯଥା କଟକ, ଖୋର୍ଦ୍ଧା, ମୟୁରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢ଼େଙ୍କାନାଳ, ବୌଦ୍ଧ, ବଲାଙ୍ଗିର, ସମ୍ବଲପୁର, ନୂଆପଡ଼ା, ଅନୁଗୁଳ ଏବଂ ଯାଜପୁର ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହା ସହ କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୪ ଦିନ ଯାଏଁ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରାଯାଉଛି । ପାଣିପାଗ ବିଶେଷଜ୍ଞଙ୍କ ମତରେ ଉତ୍ତର-ପଶ୍ଚିମ ଶୁଷ୍କ ବାୟୁ ଯୋଗୁ ରାଜ୍ୟରେ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସକାଳ ୯ଟାରୁ ବାୟୁମଣ୍ଡଳ ଉତ୍ତପ୍ତ ହୋଇଯାଉଛି । ୨୮ ଓ ୨୯ ତାରିଖରେ ଭୁବନେଶ୍ୱର ସମେତ ଉପକୂଳ ଜିଲ୍ଲାମାନଙ୍କରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପବନ ଶାନ୍ତ ରହିବ, ତାତି କମିବ ନାହିଁ । ମେ’ ଦ୍ଵିତୀୟ ସପ୍ତାହରେ ଉପକୂଳ ଜିଲ୍ଲାର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବାରୁ ତାତିରୁ ସାମୟିକ ନିସ୍ତାର ମିଳିପାରେ ।

Get real time updates directly on you device, subscribe now.