fbpx

‘ମନ୍ କି ବାତ୍’ରେ ମନେ ପଡ଼ିଲା ୨୬/୧୧: ବୀର ସହୀଦଙ୍କୁ ସଲାମ କଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisement

ନୂଆଦିଲ୍ଲୀ: ଆଜି ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୦୭ ତମ ଏପିସୋଡ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସକାଳ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ସେ ୧୫ ବର୍ଷ ତଳର ମୁମ୍ବାଇ ଆକ୍ରମଣକୁ ମନେ ପକାଇଛନ୍ତି । ୨୦୦୮ ମସିହା ୨୬/୧୧ ଆକ୍ରମଣକୁ ମନେ ପକାଇ ଘଟଣାରେ ବୀର ସହିଦମାନଙ୍କୁ ସଲାମ କରିଛନ୍ତି ପ୍ରଧାନମନ୍ତ୍ରୀ । ଆତଙ୍କବାଦ ବିରୋଧରେ ବୀରପୁତ୍ରମାନଙ୍କର ସେହି ଅତୁଳନୀୟ ଅବଦାନକୁ ମନେ ପକାଇଛନ୍ତି ପି.ଏମ ନରେନ୍ଦ୍ର ମୋଦୀ ।

ଆଜି ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସ୍ଥାନ ପାଇଛି ଭାରତ ଇତିହାସର ସବୁଠାରୁ ବଡ଼ କାହାଣୀ ୨୬/୧୧ । ଏହି ଆକ୍ରମଣରେ ପ୍ରାଣବଳୀ ଦେଇ ଆତଙ୍କୀମାନଙ୍କୁ ମାତ୍ ଦେଇଥିବା ବୀର ସୁରକ୍ଷା କର୍ମୀମାନଙ୍କୁ ସଲାମ କରିଛନ୍ତି ପ୍ରଧାନମନ୍ତ୍ରୀ । ନିଜ ଜୀବନକୁ ବାଜି ଲଗାଇ ଭୟଙ୍କର ଆତଙ୍କବାଦୀ ଗୋଷ୍ଠୀକୁ ଧରିବାରେ ସଫଳ ହୋଇଥିଲା ଭାରତର ସୁରକ୍ଷାବାହିନୀ । ମୁମ୍ବାଇ ବ୍ଲାଷ୍ଟରେ ଶତାଦିକ ଲୋକେ ପ୍ରାଣ ହରାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ତେବେ ଏହାର ପ୍ରତିଶୋଧ ସ୍ୱରୂପ ଭାରତର ଏନଏସଜି ମଧ୍ୟ ଆତଙ୍କବାଦୀଙ୍କୁ ମୃତ୍ୟୁଦଣ୍ଡ ଦେଇଛି । ମୁମ୍ବାଇର ତାଜ୍ ହୋଟେଲରେ ଆକ୍ରମଣ କରିଥିବା ୧୦ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୯ ଜଣଙ୍କୁ ଢେର କରିଥିବା ବେଳେ ଅଜମଲ କସାବ ଖସିବାରେ ସଫଳ ହୋଇଥିଲା । କିନ୍ତୁ ଜୁହୁଠାରେ ତୁକାରାମ ଓମ୍ବଲେଙ୍କ ଆଖିରୁ କିମ୍ବା ତାଙ୍କ ହାତରୁ ଖସି ନ ପାରି ଧରା ପଡ଼ିଥିଲା କସାବ । ତେବେ ତାକୁ ଧରିବା ପାଇଁ ତୁକାରାମଙ୍କୁ ୪୦ଟି ଗୁଳି ଖାଇବାକୁ ପଡ଼ିଥିଲା । ଏହାପରେ ମଧ୍ୟ ଦେଶର ଶତ୍ରୁକୁ ଛାଡ଼ି ନଥିଲେ ତୁକାରାମ ।

ଆଜିର ଦିନରେ ଏଭଳି ବୀର ତଥା ସାହସୀ ଯବାନମାନଙ୍କୁ ସଲାମ କରି ସମ୍ମାନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କିଛି ସମୟ ମଧ୍ୟରେ ମୁମ୍ବାଇ ସମେତ ସାରା ଦେଶକୁ ଆତଙ୍କିତ କରି ଦେଇଥିଲା ଏହି ଘଟଣା । ତେବେ ଏହି ଦୁଃଖରୁ ବାହାରି ଭାରତ ସେମାନଙ୍କୁ ସାମ୍ନା କରିବା ସହ ଉଚିତ ଦଣ୍ଡ ଦେବାରେ ସକ୍ଷମ ହୋଇଥିଲା । ଭାରତର ବୀର ଯବାନ ଏବଂ ପୋଲିସ ସୁରକ୍ଷା ପାଇଁ ଏହା ସମ୍ଭବ ହୋଇପାରିଛି । ତେଣୁ ସେମାନଙ୍କୁ ଶତ ସଲାମ ବୋଲି କହି ନତମସ୍ତକ ଭାବରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

Get real time updates directly on you device, subscribe now.