ହୃଦୟ ଉପରେ କ୍ରୋଧର ଏକ ବିଷାକ୍ତ ପ୍ରଭାବ ରହିଛି! ଏପରିକି କିଛି ସେକେଣ୍ଡର କ୍ରୋଧ ଆପଣଙ୍କ ହାର୍ଟକୁ ଡ୍ୟାମେଜ୍ କରିଦେଇପାରେ- ରିସର୍ଚ୍ଚ
ନୂଆଦିଲ୍ଲୀ: ଏକ ସୁସ୍ଥ ଜୀବନ ପାଇଁ ସବୁବେଳେ ଖୁସିରେ ରହିବା ନିହାତି ଜରୁରୀ ବୋଲି ଅନେକ ପରାମର୍ଶ ଦେଇଥାନ୍ତି । ତେବେ ଅନେକ ଲୋକଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । କଥା କଥାରେ ଅନେକ ଲୋକ ଭୀଷଣ ଭାବେ କ୍ରୋଧିତ ହୋଇ ଯାଇଥାଆନ୍ତି । ତେବେ ଆପଣମାନେ ଯଦି ଅଧିକାଂଶ ସମୟରେ ରାଗୁଛନ୍ତି, ତେବେ ଆଜିଠାରୁ ସାବଧାନ ହୋଇ ଯାଆନ୍ତୁ । କାରଣ ଆପଣଙ୍କର କ୍ରୋଧ ଆପଣଙ୍କ ହୃଦୟ ଉପରେ ଏକ ବିଷାକ୍ତ ପ୍ରଭାବ ପକାଇପାରେ । ଏପରିକି ସାମାନ୍ୟ କିଛି ସେକେଣ୍ଡର କ୍ରୋଧ ହାର୍ଟର ଅନେକ କିଛି କ୍ଷତି କରିପାରେ ବୋଲି ଏକ ରିସର୍ଚ୍ଚରେ କୁହାଯାଇଛି ।
କଲମ୍ବିଆ ୟୁନିଭରସିଟି ଇରଭିଂ ମେଡିକାଲ ସେଣ୍ଟରର ଗବେଷକଙ୍କ ଦ୍ୱାରା କରାଯାଇଥିବା ରିସର୍ଚ୍ଚରୁ ଜଣାପଡ଼ିଛି ଯେ, କିଛି ସେକେଣ୍ଡର କ୍ରୋଧ ଦ୍ୱାରା ଆମର ବ୍ଲଡ ଭେସେଲକୁ ସୁସ୍ଥ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଏଣ୍ଡୋଥେଲିଆଲ ସେଲ ଭୟଙ୍କର ଭାବେ ଖରାପ ହୋଇପାରେ । ବିଶେଷ କରି ରାସ୍ତାରେ ବିବାଦ, ଘରେ କ୍ରୋଧ କରିବା, ଅଫିସ ଏପରିକି ଟ୍ରାଫିକରେ କ୍ରୋଧିତ ଆଚରଣ କରିବା ଆମର ହାର୍ଟର ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ତେଣୁ କାର୍ଡିଓଭାସ୍କୁଲାର ରୋଗକୁ ଦୂରେଇବାକୁ ହେଲେ ଆମେ ଆମର ଭାବନାକୁ ନିୟନ୍ତ୍ରଣ କରିବା ଜରୁରୀ ବୋଲି ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି ।
‘Scarce data’
ଏହି ଗବେଷଣାର ଲେଖକ କହିଛନ୍ତି, ଲୋକଙ୍କ ମଧ୍ୟରେ ଦୈନନ୍ଦିନ ଜୀବନରେ ରାଗ, ଚିନ୍ତା ଓ ଦୁଃଖ ପରି ନକାରାତ୍ମକ ଭାବନା ଦେଖାଦେବା ଏକ ସାଧାରଣ କଥା । ଏହି ସବୁ ଭାବନା ଆମର ହାର୍ଟ ସମସ୍ୟା ଆଶଙ୍କାକୁ ବଢ଼ାଇଥାଏ ବୋଲି କିଛି ରିସର୍ଚ୍ଚରୁ ଜଣାପଡ଼ିଛି । ତେଣୁ ଏହିସବୁ ଭାବନାଗୁଡ଼ିକ ବିଷୟରେ ଅଧିକ ନ ଜାଣିବା ଫଳରେ ଅନେକ ଲୋକଙ୍କର ବ୍ଲଡ ଭେସେଲର ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ । କ୍ରୋଧିତ ଆଚରଣ କଲେ ତାହା ଲୋକଙ୍କର ହୃଦୟର ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଉଛି ତାହା ଜାଣିବା ପାଇଁ ଏହି ଗବେଷଣା କରାଯାଇଥିଲା ।
ରାଗ, ଚିନ୍ତା ଓ ଦୁଃଖ ପରି ନକାରାତ୍ମକ ଭାବନା ଏକ ସାଧାରଣ କଥା ଓ ଏହା କାର୍ଡିଓଭାସ୍କୁଲାର ରୋଗ ଆଶଙ୍କା ବୃଦ୍ଧି ସହ ଜଡ଼ିତ ରହିଛି ବୋଲି ରିସର୍ଚ୍ଚରେ କୁହାଯାଇଛି । ତେବେ ଭାସ୍କୁଲାର ଏଣ୍ଡୋଥେଲିଆଲ ସ୍ୱାସ୍ଥ୍ୟ ଉପରେ କ୍ରୋଧ, ଚିନ୍ତା ଓ ଦୁଃଖର ପ୍ରଭାବକୁ ନେଇ ଏକ ସ୍କାର୍ସ ଡାଟା ଉପଲବ୍ଧ ରହିଛି । ଏହି ଷ୍ଟଡିରେ ୨୮୦ ଜଣ ସୁସ୍ଥ ବୟସ୍କଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କୁ ଏକ ଇଭେଣ୍ଟରେ କ୍ରୋଧ ପାଇଁ ପ୍ରବର୍ତ୍ତାଇବା କିମ୍ବା ଚିନ୍ତା ପାଇଁ ପ୍ରବର୍ତ୍ତାଇବା କିମ୍ବା ନିରପେକ୍ଷ ଭାବେ ୮ ମିନିଟ୍ ପାଇଁ ଅଂଶଗ୍ରହଣ କରିବାକୁ କୁହାଯାଇଥିଲା । ଏହି ଟାସ୍କ ପୂର୍ବରୁ ଓ ପରେ ସେମାନଙ୍କର ଏଣ୍ଡୋଥେଲିଆଲ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତେବେ ଯେଉଁମାନେ ନିରପେକ୍ଷ ଗ୍ରୁପରେ ରହିଥିଲେ ସେମାନଙ୍କ ଅପେକ୍ଷା କ୍ରୋଧ ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ବୟସ୍କଙ୍କର ଇଣ୍ଡୋଥେଲିଆଲ କାର୍ଯ୍ୟପ୍ରଣାଳୀରେ ତାରତମ୍ୟ ଦେଖିବାକୁ ମିଳିଥିଲା ।
ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେତେବେଳେ କ୍ରୋଧର ନକାରାତ୍ମକ ପ୍ରଭାବ ସ୍ପଷ୍ଟ ରହିଥିଲା, ସେତେବେଳେ ଚିନ୍ତା ଓ ଦୁଃଖର ପ୍ରଭାବ ଏଣ୍ଡୋଥେଲିଆଲ କାର୍ଯ୍ୟପ୍ରଣାଳୀ ଉପରେ ସେତେଟା ଦେଖିବାକୁ ମିଳିନଥିଲା । ତେଣୁ ଯେତେେବେଳେ ହୃଦୟର ସ୍ୱାସ୍ଥ୍ୟ କଥା ଆସେ, ସେତେବେଳେ ସାଇକୋଲୋଜିକାଲ ପ୍ରଭାବ କ୍ଷେତ୍ରରେ ପ୍ରତ୍ୟେକ ନକାରାତ୍ମକ ଭାବନାଗୁଡ଼ିକ ସମାନ ନୁହନ୍ତି । ତେବେ ଭାସ୍କୁଲାର ସ୍ୱାସ୍ଥ୍ୟ ଉପରେ କ୍ରୋଧ ପ୍ରତିକୂଳ ପ୍ରଭାବ ପକାଉଥିବା ବେଳେ ଅନ୍ୟ ଭାବନାଗୁଡ଼ିକ ପକାଇ ନଥାନ୍ତି ବୋଲି ଏହି ଷ୍ଟଡିର ପ୍ରଥମ ଲେଖକ ତଥା ମେଡିସିନ ବିଭାଗର କାର୍ଡିଓଲୋଜି ଡିଭିଜନର କାର୍ଡିଓଲୋଜିଷ୍ଟ ଓ ପ୍ରଫେସର ଡାଇଚି ଶିମ୍ବୋ କହିଛନ୍ତି ।
ରାଗ ପଛରେ ଏକ ସମ୍ଭାବ୍ୟ ମେକାନିଜମ ରହିଥିବା ବେଳେ ତାହାକୁ ମୁଁ ‘କାର୍ଡିଓଟକ୍ସିକ’ କହିଥାଏ, ଯାହାକି ହାର୍ଟ ରୋଗର ଆଶଙ୍କାକୁ ବଢ଼ାଇଥାଏ ବୋଲି ଶ୍ରୀ ଶିମ୍ବୋ କହିଛନ୍ତି । କ୍ରୋଧର ଏକ ବାସ୍ତବ ଓ ତ୍ୱରିତ ପ୍ରଭାବ ଆମ ହାର୍ଟ ସ୍ୱାସ୍ଥ୍ୟ ଉପରେ ରହିଛି ବୋଲି ଆମକୁ ବୁଝିବାକୁ ହେବ । ତେଣୁ ଆମକୁ ସାଧାରଣ ଭାବନା ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ ବୋଲି ରିସର୍ଚ୍ଚରେ କୁହାଯାଇଛି । ଦୀର୍ଘଦିନର ସ୍ୱାସ୍ଥ୍ୟ କିପରି ଆମର ଦୈନିକ ଭାବନାକୁ ପ୍ରୋତ୍ସାହିତ କରିଥାଏ ଓ ସୁସ୍ଥ ଜୀବନଧାରଣରେ ଚାପର ଭୂମିକାକୁ ନେଇ ଏହି ରିସର୍ଚ୍ଚରୁ ଏକ ବଡ଼ ପ୍ରଶ୍ନ ଉଠିଛି ।
ଭାରତୀୟ ଡାକ୍ତରମାନେ କ’ଣ କହୁଛନ୍ତି?
ପଲ୍ସ ହାର୍ଟ ସେଣ୍ଟରର ପରିଚାଳନା ନିର୍ଦ୍ଦେଶକ ଓ ବରିଷ୍ଠ ଇଣ୍ଟରଭେନସନାଲ କାର୍ଡିଓଲୋଜିଷ୍ଟ ଡ. ମୁଖର୍ଜୀ ମେଡିଭାଡା କହିଛନ୍ତି, ଭାବନା ବିଶେଷ କରି କ୍ରୋଧ ସିଧାସଳଖ ଭାବେ କାର୍ଡିଓଭାସ୍କୁଲାର ଫଙ୍କସନ ଉପରେ ପ୍ରଭାବ ପକାଉଥିବା ନିକଟରେ କରାଯାଇଥିବା ରିସର୍ଚ୍ଚରୁ ଜଣାପଡ଼ିଛି । ଭାବପ୍ରବଣ ସ୍ୱାସ୍ଥ୍ୟ ସହ ଶାରୀରିକ ସ୍ୱାସ୍ଥ୍ୟର ନିବିଡ଼ ସମ୍ବନ୍ଧ ରହିଥିବା ବହୁ ରିସର୍ଚ୍ଚରୁ ଜଣାପଡ଼ିଛି । ଭାବନାକୁ ସଠିକ୍ ଭାବେ ନିୟନ୍ତ୍ରଣ କଲେ କେବଳ ସାଇକୋଲୋଜିକାଲ ଭାବେ ଫାଇଦା ମିଳିବ ନାହିଁ, କାର୍ଡିଓଭାସ୍କୁଲାର ରୋଗ ଆଶଙ୍କାକୁ କମ୍ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି ।