fbpx

ବିଧାନସଭାରେ ତେଜିଲା ସଂରକ୍ଷଣ ପ୍ରସଙ୍ଗ, ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଆଜି ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଶୂନ୍ୟକାଳ ପ୍ରାରମ୍ଭରୁ ବିରୋଧିଙ୍କ ହୋହାଲ୍ଲା ଦେଖିବାକୁ ମିଳିଥିଲା । କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡ଼ାମ ଏସସି, ଏସଟି ଓ ଓବିସି ସଂରକ୍ଷଣ ପ୍ରସଙ୍ଗକୁ ନେଇ ଗୃହରେ ଦାବି ଉଠାଇଥିଲେ । ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟ ମଧ୍ୟ ସମାନ ଦାବି ସହ ଗୃହର ମଧ୍ୟ ଭାଗରେ ନାରାବାଜି କରି ପ୍ରତିବାଦ କରିଥିଲେ । ଏପରିକି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିଯାଇଥିଲେ ବିଜେଡି ବିଧାୟକ ରୋମାଞ୍ଚ ବିଶ୍ୱାଳ ଓ ମାଧବ ଧଡ଼ା । ଏହି ପରିପ୍ରେକ୍ଷୀରେ ବିରୋଧୀ ସଦସ୍ୟମାନେ ଏଭଳି କାର୍ଯ୍ୟକୁ ମହିଳା ବାଚସ୍ପତିଙ୍କ ପ୍ରତି ଅସମ୍ମାନ ଦର୍ଶାଇ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ ଯାହାକୁ ବାଚସ୍ପତି ଗ୍ରହଣ କରିଛନ୍ତି । ତେବେ ସରକାରୀ ଦଳ ମୁଖ୍ୟ ସଚେତକ ଏହି ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ । ପରେ ଗୃହ କାର୍ଯ୍ୟ ଅଚଳ ହେବାରୁ ବାଚସ୍ପତି ୪ଟା ଯାଏ ଗୃହକୁ ମୁଲତବି ଘୋଷଣା କରିଛନ୍ତି । ଓବିସିଙ୍କୁ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ପାଇଁ ବିଜେଡି ଦାବି କରିଥିବା ବିଧାୟକ ଅରୁଣ ସାହୁ କହିଛନ୍ତି, ‘ଏସସି/ଏସଟିଙ୍କୁ ୩୮.୭୫ପ୍ରତିଶତ ସଂରକ୍ଷଣ, ମେଡିକାଲ ଓ ଇଞ୍ଜିନିୟରିଂରେ ୨୦ପ୍ରତିଶତ ହେଲେ ଓବିସିଙ୍କୁ ଶୂନ୍ୟ ପ୍ରତିଶତ । ଓବିସି ପିଲାମାନଙ୍କୁ ୨୭ପ୍ରତିଶତ ନହେଲେ ବି ୧୧.୨୫ ପ୍ରତିଶତ ସଂରକ୍ଷଣ ଲାଗୁ କରନ୍ତୁ ସରକାର ।’ ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେପର୍ଯ୍ୟନ୍ତ ରାଜ୍ୟରେ ଜାତିଭିତ୍ତିକ ଜନଗଣନା ହୋଇନି ସେପର୍ଯ୍ୟନ୍ତ ଏସମସ୍ୟା ଲାଗି ରହିବ। ସରକାର ଯାହା ସଂରକ୍ଷଣ ଦେଇଛନ୍ତି ତାହା ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି ।

 

Get real time updates directly on you device, subscribe now.