fbpx

ଜାପାନ ବିମାନ ବନ୍ଦରରେ ଫୁଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ପଡ଼ିଥିବା ବୋମା, ବାତିଲ ହେଲା ୮୦ ଟି ବିମାନ

ନୂଆଦିଲ୍ଲୀ: ବୁଧବାର ସକାଳେ ଦକ୍ଷିଣ-ପଶ୍ଚିମ ଜାପାନର ମିଆଜାକି ବିମାନବନ୍ଦରରେ ଏକ ଟ୍ୟାକ୍ସିୱେର କିଛି ଅଂଶ ରେ ବିସ୍ଫୋରଣ ଘଟିଥିଲା। ସରକାରୀ ପ୍ରସାରଣ ସଂସ୍ଥା ଏନଏଚକେ ମିଆଜାକି ବିମାନବନ୍ଦରରେ ଥିବା ପରିବହନ ମନ୍ତ୍ରଣାଳୟ କାର୍ଯ୍ୟାଳୟକୁ ଉଦ୍ଧୃତ କରି କହିଛି ଯେ ବୁଧବାର ସ୍ଥାନୀୟ ସମୟ ସକାଳ ୮ଟା ପୂର୍ବରୁ ଟ୍ୟାକ୍ସିୱେରେ ବିସ୍ଫୋରଣ ର ଶବ୍ଦ ଶୁଣିବାକୁ ମିଳିଥିଲା। ଏୟାର ଟ୍ରାଫିକ୍ କଣ୍ଟ୍ରୋଲରମାନେ ଘଟଣାସ୍ଥଳରୁ ଧୂଆଁ ବାହାରୁଥିବା ଦେଖିଥିଲେ।

ଏନଏଚକେ ଅନୁଯାୟୀ, ଭିଡିଓ ଫୁଟେଜରେ ଦେଖିବାକୁ ମିଳିଛି ଯେ ବିସ୍ଫୋରଣ ଯୋଗୁଁ ସେହି ସ୍ଥାନର ଅଂଶ ଏବଂ ଧୂଳି ଆକାଶରେ ଉଡୁଛି। ବିସ୍ଫୋରଣ ଯୋଗୁଁ ସୃଷ୍ଟି ହୋଇଥିବା ଖାଲଟି ପ୍ରାୟ ସାତ ମିଟର ଲମ୍ବ, ଚାରି ମିଟର ଚଉଡ଼ା ଏବଂ ଏକ ମିଟର ଗଭୀର । ଏଥିରେ କେହି ମୃତାହତ ହୋଇନଥିବା ଏନ୍ଏଚ୍କେ ସୂଚନା ଦେଇଛି। ସେପଟେ ଏନେଇ ଜାପାନ ଏୟାରଲାଇନ୍ସ କହିଛି ଯେ ସେମାନେ ବୁଧବାର ପାଇଁ ମୋଟ ୬୬ଟି ବିମାନ ବାତିଲ କରିଛନ୍ତି।

ଜାପାନର ମୁଖ୍ୟ କ୍ୟାବିନେଟ୍ ସଚିବ ହାୟାସି ୟୋସିମାସା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆମେରିକା ନିର୍ମିତ ବୋମା ଯୋଗୁଁ ଏହି ବିସ୍ଫୋରଣ ଘଟିଛି। ଦ୍ୱିତୀୟ ବିସ୍ଫୋରଣର କୌଣସି ବିପଦ ନାହିଁ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକୀୟ ସେନା ଫିଙ୍ଗିଥିବା ଅବିସ୍ଫୋରିତ ବୋମା ଅନେକ ସମୟରେ ବିମାନ ବନ୍ଦରରେ ଦେଖିବାକୁ ମିଳୁଛି। ଗୁରୁବାର ସକାଳୁ ବିମାନବନ୍ଦର କର୍ତ୍ତୃପକ୍ଷ ଖାଲ ଭର୍ତ୍ତି କାର୍ଯ୍ୟ ଚାଲିଥିବା ବେଳେ ଚଳାଚଳ ଆରମ୍ଭ କରିବାକୁ ଯୋଜନା କରିଛନ୍ତି।

Get real time updates directly on you device, subscribe now.