fbpx

ରାଜ୍ୟର ଡିଗ୍ରୀ କଲେଜରେ ସେଲଫ ଫାଇନାନ୍ସିଂ ପାଠ୍ୟକ୍ରମରେ ଲାଗିବ କଟକଣା: ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ମନଇଚ୍ଛା ଖୋଲିପାରିବନି ସେଲଫ ଫାଇନାନ୍ସିଂ କୋର୍ସ । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲମାନଙ୍କରେ ଲାଗୁହେବ କଟକଣା । ରେଗୁଲାର କୋର୍ସ ସିଟର ସର୍ବାଧିକ ୨୦ ପ୍ରତିଶତ ପର୍ଯ୍ୟନ୍ତ ସେଲଫ ଫାଇନାନ୍ସ ସିଟ୍ ଖୋଲିବ । ସ୍କୁଲ ଭଳି ଡିଗ୍ରୀ କଲେଜମାନଙ୍କରେ ମଧ୍ୟ ଏହି ନିୟମ କଡ଼ାକଡ଼ି ହେବ । ଗୁଣାତ୍ମକ ଶିକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଭିନ୍ନ କ୍ଷେତ୍ରର ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ କାର୍ଯ୍ୟରେ ୫ଟି ଆଧାରକୁ ଗୁରୁତ୍ୱ ଦେବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ପୂର୍ବରୁ ବକେୟା ରହିଥିବା ପେନସନ ସମ୍ବନ୍ଧୀୟ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସେ ଗୁରୁତ୍ୱ ଦେବାକୁ କହିଥିଲେ । ଏଥିସହିତ କଲେଜ ସ୍ତରରେ ବକେୟା ରହିଥିବା ପାଣ୍ଠିର ତ୍ୱରିତ ବିନିଯୋଗ ପାଇଁ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ଉଚ୍ଚଶିକ୍ଷା ବିଭାଗରେ ଖାଲିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥିସହିତ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକରେ ଶୈକ୍ଷିକ ମାନ ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ଓ ସରକାରୀ ଅନୁଦାନର ସଠିକ୍ ବିନିଯୋଗ କରିବାକୁ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୯ ତାରିଖରେ ମନ୍ତ୍ରୀ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଥିଲେ । କର୍ମଚାରୀମାନେ ଅବସର ଗ୍ରହଣ କରିବା ଦିନ ଯେପରି ପେନସନ ପାଇପାରିବେ ସେନେଇ ଉଚ୍ଚଶିକ୍ଷା ବିଭାଗରେ ପେନସନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Get real time updates directly on you device, subscribe now.