fbpx

ରାଜ୍ୟ ସରକାରଙ୍କ ପୂଜା ଭେଟି: ପୁନଃ ନିଯୁକ୍ତିରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳିବ ଅଧିକ ଦରମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅବରସରପ୍ରାପ୍ତ କର୍ମଚାରୀଙ୍କୁ ରାଜ୍ୟ ସରକାର ଦଶହରାରେ ଏକ ବଡ଼ ଉପହାର ଦେଇଛନ୍ତି । ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ଅବସର ପରେ ଯେଉଁ ବେତନ ପ୍ରଦାନ କରୁଥିଲେ ତାହାକୁ ଏବେ ସଂଶୋଧନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କର୍ମଚାରୀଙ୍କୁ ଅର୍ଥ ବିଭାଗର ୨୦୧୮ ମାର୍ଚ୍ଚ ୧୭ ତାରିଖର ମେମୋରାଣ୍ଡମ ସଂଖ୍ୟା ୭୦୨୨/ଏଫ ଅଧିନରେ ବେତନ ମିଳୁଥିଲା ।

ତେବେ ଓଡ଼ିଶା ରିଭାଇଜଡ ସ୍କେଲ ଅଫ୍ ପେ (ଓଆରଏସପି) ୨୦୧୭ ନିୟମର ପ୍ରଥମରୁ ସପ୍ତଦଶ ବେତନ ସ୍ତର ପର୍ଯ୍ୟନ୍ତ ଥିବା କର୍ମଚାରୀଙ୍କୁ ମାସକୁ ସର୍ବନିମ୍ନ ୧୦ ହଜାରରୁ ସର୍ବାଧିକ ୫୦ ହଜାର ପ୍ରଦାନ କରାଯିବ । ପ୍ରଥମରୁ ଚତୁର୍ଥ ପର୍ଯ୍ୟନ୍ତ ବେତନ ସ୍ତରର କର୍ମଚାରୀଙ୍କୁ ମାସକୁ ୧୦ ହଜାର ଓ ପଞ୍ଚମରୁ ଦଶମ ପର୍ଯ୍ୟନ୍ତ ସ୍ତରର କର୍ମଚାରୀଙ୍କୁ ମାସିକ ୨୦ ହଜାର ପ୍ରଦାନ ନେଇ ସ୍ଥିର ହୋଇଛି ।

ସେହିପରି ଏକାଦଶରୁ ତ୍ରୟୋଦଶ ପର୍ଯ୍ୟନ୍ତ ବେତନ ସ୍ତରର କର୍ମଚାରୀଙ୍କୁ ମାସକୁ ୩୫ ହଜାର, ପଞ୍ଚଦଶ ଓ ଷୋଡ଼ଶ ସ୍ତରର କର୍ମଚାରୀଙ୍କୁ ମାସକୁ ୪୬ ହଜାର, ସପ୍ତଦଶ ସ୍ତରର କର୍ମଚାରୀଙ୍କୁ ମାସକୁ ୫୦ ହଜାର ଟଙ୍କା ବେତନ ଦିଆଯିବ । ଆଜିଠାରୁ ଏହି ନୂଆ ନିୟମ ଲାଗୁ ହେବା ନେଇ ଅର୍ଥ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି । ତେବେ ସାମ୍ବିଧାନିକ, ବୈଧାନିକ, କମିସନ, ବୋର୍ଡ, ଏଲୋପାଥି ଡାକ୍ତର/ ମେଡିକାଲ କଲେଜର ଅଧ୍ୟାପକଙ୍କ ଅବସର କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ନାହିଁ ।

Get real time updates directly on you device, subscribe now.