fbpx

IND vs ENG Semi Final; ଆଜି ପ୍ରତିଶୋଧର ଲଢେଇ… ଫାଇନାଲକୁ ଟାର୍ଗେଟ: ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ କରିବ କି ଟିମ୍ ଇଣ୍ଡିଆ?

Advertisement

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ-୨୦୨୪ର ପ୍ରଥମ ଫାଇନାଲିଷ୍ଟ ଦଳ ମିଳି ସାରିଛି । ଆଫଗାନିସ୍ତାନକୁ ହରାଇ ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରି ସାରିଛି । ବର୍ତ୍ତମାନ ଦ୍ୱିତୀୟ ଦଳ କିଏ ହେବ ତାହାକୁ ଅପେକ୍ଷା ରହିଛି । ଭାରତ ଏବଂ ଇଂଲଣ୍ଡ ମଧ୍ୟ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚ ଖୁବ ସଂଘର୍ଷପୂର୍ଣ୍ଣ ରହିବ ବୋଲି ଆଶା କରାଯାଉଛି । ତେବେ ଭାରତ ପାଇଁ ଏହି ମ୍ୟାଚ ୨୦୨୨ ସେମି ଫାଇନାଲର ପ୍ରତିଶୋଧ ମ୍ୟାଚ ସାବ୍ୟସ୍ତ ହେବ । ୨ ବର୍ଷର ତଳର ପ୍ରତିଶୋଧ ନେବା ସହିତ ଫାଇନାଲକୁ ପ୍ରବେଶ କରିବା ପାଇଁ ନୂଆ ରଣନୀତି କରିପାରନ୍ତି ଅଧିନାୟକ ରୋହିତ ଶର୍ମା । ପ୍ଲେଇଙ୍ଗ-୧୧ରେ ହେବ କି ବଡ଼ ପରିବର୍ତ୍ତନ?

ବର୍ତ୍ତମାନ ପର୍ଯ୍ୟନ୍ତ ରୋହିତ ସେନା ଚଳିତ ବିଶ୍ୱକପର ସମସ୍ତ ମ୍ୟାଚରେ ବିଜୟୀ ହୋଇଛି । ତେବେ କୋହଲିଙ୍କ ଫର୍ମ ଏବଂ ପୋଜିସନ୍ ଦଳ ପାଇଁ ସବୁଠୁ ବଡ଼ ସମସ୍ୟା ସାଜିଥିବା ବେଳେ ବିରାଟ ମଧ୍ୟ ଏହାକୁ ସୁଧାରିବାକୁ ଚେଷ୍ଟା ଜାରି ରଖିଛନ୍ତି । ତେବେ ଗୁୟାନା ଷ୍ଟାଡିୟମ ସ୍ପିନ ବୋଲରଙ୍କୁ ବେଶ୍ ସହାୟକ ହୋଇଥାଏ । ଟିମ ଇଣ୍ଡିଆର ଷ୍ଟାର ବୋଲର କୁଳଦୀପ ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଏହାବ୍ୟତୀତ ଇଂଲଣ୍ଡର ବୋଲର ଆଦିଲ ରାଶିଦ ମଧ୍ୟ ଭାରତ ଉପରେ ଭାରୀ ପଡ଼ିପାରନ୍ତି । ତେବେ ବର୍ତ୍ତମାନ ଏହି ମ୍ୟାଚରେ ବର୍ଷା ହେବା ନେଇ ଆଶଙ୍କା ଦେଖା ଦେଇଛି । ଏହାବ୍ୟତୀତ ଜୁନ୍ ୮ ତାରିଖ ପରେ ଏହି ଷ୍ଟାଡିୟମରେ କୌଣସି ମ୍ୟାଚ ଖେଳା ଯାଇନାହିଁ । ଫଳରେ ଏହି ହାଇ ଭୋଲଟେଜ ସେମି ଫାଇନାଲ ମ୍ୟାଚ ପାଇଁ ଉପଯୁକ୍ତ ପିଚ୍ ପ୍ରସ୍ତୁତ କରିବାକୁ ଯଥେଷ୍ଟ ସମୟ ମିଳିପାରିଛି ।

ସିରାଜଙ୍କୁ ମିଳିବ ସୁଯୋଗ?

ଇଂଲଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚରେ ରୋହିତ ଶର୍ମା ପରିବର୍ତ୍ତନ କରିବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ଏହି ମ୍ୟାଚ ପାଇଁ ଦଳରେ ଷ୍ଟାର ପେସ୍ ବୋଲର ମହମ୍ମଦ ସିରାଜଙ୍କୁ ସାମିଲ କରିପାରନ୍ତି ରୋହିତ । ବଲ ସ୍ୱିଙ୍ଗ କରିବା ଏବଂ ସଠିକ ଲାଇନ୍-ଲେନ୍ଥରେ ବୋଲିଂ କରିବାରେ ପାରଙ୍ଗମ ସିରାଜ । ତେବେ ଚଳିତ ଟି-୨୦ ବିଶ୍ୱକପରେ ସେ ମୋଟ ୩ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ସଫଳତା ହାସଲ କରି ଥିବା ବେଳେ ଖୁବ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ତେଣୁ ବିଜୟୀ ଦଳରେ ରୋହିତ ବିଶେଷ ପରିବର୍ତ୍ତନ କରିବାର ଆଶା ଖୁବ କମ୍ ରହିଛି ।

ଇଂଲଣ୍ଡ ବିପକ୍ଷରେ ଭାରତର ପ୍ଲେଇଙ୍ଗ-୧୧: ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଳଦୀପ ଯାଦବ, ଅର୍ଶଦୀପ ସିଂହ, ଜଶପ୍ରୀତ ବୁମରାହ ।

ଇଂଲଣ୍ଡର ପ୍ଲେଇଙ୍ଗ-୧୧: ଫିଲିପ୍ ସଲ୍ଟ, ଜୋସ ବଟଲର(ଅଧିନାୟକ), ଜନି ବେୟାରଷ୍ଟୋ, ହ୍ୟାରି ବ୍ରୁକ, ମୋଇନ୍ ଅଲୀ, ଲିୟାମ ଲିଭିଙ୍ଗଷ୍ଟୋନ୍, ସାମ୍ କରନ୍, କ୍ରିସ ଜୋର୍ଡାନ୍, ଜୋଫ୍ରା ଆର୍ଚର, ଆଦିଲ ରାଶିଦ, ରିସ ଟୋପଲୀ ।

Get real time updates directly on you device, subscribe now.