fbpx
BJD SKY
BJD SKY

ରିଙ୍କୁ ସିଂହ ମାରିଲେ ଛକା, ଭାରତକୁ ମିଳିଲା ଶୂନ୍ ରନ୍: ICCର ଆଶ୍ଚର୍ଯ୍ୟଜନକ ନିୟମ ଜାଣନ୍ତୁ

BJD

ନୂଆଦିଲ୍ଲୀ: ଗତ ୧୯ ତାରିଖରେ ସମାପ୍ତ ହୋଇଥିବା ବିଶ୍ୱକପର ଫାଇନାଲ ମ୍ୟାଚର ପରାଜୟର ପ୍ରତିଶୋଧ ନେଇଛି ଭାରତ । ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ କଙ୍ଗାରୁକୁ ୨ ୱିକେଟରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ତେବେ ଏହି ମ୍ୟାଚ ଭାରତ ଜିତିଥିଲେ ହେଁ ଏକ ନୂଆ ଘଟଣା ଦେଖିବାକୁ ମିଳିଥିଲା । ଟିମ ଇଣ୍ଡିଆର ଜଣେ ଖେଳାଳି ଛକା ମାରିବା ପରେ ମଧ୍ୟ ଭାରତର ଖାତାରେ କୌଣସି ରନ୍ ଯୋଡ଼ି ହୋଇନଥିଲା ।

ଟସ୍ ଜିତି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୨୦୮ ରନର ପାହାଡ଼ ଛିଡ଼ା କରିଥିଲା । ଯୋଶ ଇଙ୍ଗଲିସ ୫୦ଟି ବଲରୁ ୧୧୦ ରନ୍ ସଂଗ୍ରହ କରିଥିବା ବେଳେ ଷ୍ଟିଭ ସ୍ମିଥ ୪୧ଟି ବଲରୁ ୫୨ ରନ୍ ସଂଗ୍ରହ କରିଥିଲେ । ଦଳ ମାତ୍ର ୩ଟି ୱିକେଟ ହରାଇ ଏହି ରନ୍ ସଂଗ୍ରହ କରିଥିବା ବେଳେ ଭାରତ ପକ୍ଷରୁ ରବି ବିଷ୍ଣୋଇ ଓ ପ୍ରସିଦ୍ଧ କ୍ରିଷ୍ଣା ୧ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ତେବେ ଜବାବରେ ଭାରତ ୧୯.୫ ଓଭରରେ ୮ ୱିକେଟ ହରାଇ ୨୦୯ ରନ୍ ସଂଗ୍ରହ କରି ବିଜୟ ହାସଲ କରିନେଇଥିଲା । ତେବେ ଏହି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ଶେଷ ବଲରେ ଏକ ଶାନଦାର ଛକା ମାରିଥିଲେ । ମାତ୍ର ଭାରତ ଖାତାରେ କୌଣସି ରନ୍ ଯୋଡ଼ି ହୋଇନଥିଲା । ଏହାକୁ ନେଇ ଅନେକ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ରିଙ୍କୁ ସିଂହ ୧୪ଟି ବଲରୁ ୨୨ ରନ୍ ସଂଗ୍ରହ କରିଥିଲେ । ବିଜୟ ପାଇଁ ଶେଷ ବଲରୁ ମାତ୍ର ୧ ରନର ଆବଶ୍ୟକତା ଥିବାବେଳେ ରିଙ୍କୁ ଏକ ଛକା ମାରିଥିଲେ । ତେବେ ଉକ୍ତ ବଲ ନୋ’ ବଲ ହେବା କାରଣରୁ ଭାରତ ମ୍ୟାଚ ଜିତିଯାଇଥିଲା । ତେଣୁ ଅନ୍ତିମ ବଲ ବୋଲିଂ କରିବାର କୌଣସି ଆବଶ୍ୟକତା ପଡ଼ିନଥିଲା । ସେଥିପାଇଁ ଆଇସିସିର ନିୟମ ଅନୁଯାୟୀ ରିଙ୍କୁଙ୍କ ଛକାକୁ ରନ୍ ଭାବେ ଗଣାଯାଇନଥିଲା । ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୮୦ ଓ ଇଶାନ କିଶାନ ୫୮ ରନ୍ ସଂଗ୍ରହ କରିଥିଲେ ।

Get real time updates directly on you device, subscribe now.