fbpx

Team Indiaରୁ ବାଦ୍ ପଡ଼ିବେ ଋଷଭ-ବୁମରାହ! ‘ସୂର୍ଯ୍ୟ’ ସେନାରେ ସାମିଲ ହେବେ ଏହି ଖେଳାଳି

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ମଧ୍ୟରେ ଜାରି ରହିଛି ଟେଷ୍ଟ ସିରିଜ । ସିରିଜର ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି । ଟେଷ୍ଟ ସିରିଜ ପରେ ଭାରତ-ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜ ଖେଳାଯିବ । ଏହି ସିରିଜରୁ ଷ୍ଟାର ୱିକେଟ କିପର ଋଷଭ ପନ୍ତ ଏବଂ ୟର୍କର କିଙ୍ଗ ଜଶପ୍ରୀତ ବୁମରାହଙ୍କୁ ଦଳରୁ ବାଦ୍ ଦିଆ ଯାଇପାରେ । ଋଷଭ ଏବଂ ବୁମରାହଙ୍କ ସ୍ଥାନରେ କିଛି ଅନ୍ୟ ଖେଳାଳି ଦଳରେ ସାମିଲ ହୋଇପାରନ୍ତି । ଖୁବଶୀଘ୍ର ଏହି ସିରିଜ ପାଇଁ ଦଳ ଘୋଷଣା କରିବ ଟିମ ଇଣ୍ଡିଆ ।

ଅକ୍ଟୋବର ୧୬ ତାରିଖର ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ । ଏହି ସିରିଜକୁ ଦୃଷ୍ଟିରେ ରଖି ଟିମ ଇଣ୍ଡିଆ ନିଜ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇପାରେ । ତେଣୁ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ଉଭୟ ଖେଳାଳିଙ୍କ ଚୟନ ହେବା କଷ୍ଟକର ବୋଲି ମନେ ହେଉଛି । ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ସଞ୍ଜୁ ସାମସନଙ୍କୁ ଚୟନ କରିପାରନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର । ଏହାବ୍ୟତୀତ ଦ୍ୱିତୀୟ ୱିକେଟ କିପର ଭାବରେ ଜିତେଶ ଶର୍ମା ଦଳରେ ସ୍ଥାନ ପାଇପାରନ୍ତି । ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରି ଇଶାନ୍ କିଶାନ୍ ଚୟନକର୍ତ୍ତାଙ୍କ ନଜରକୁ ଆସିଛନ୍ତି । ତେଣୁ ତାଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିବାର ସମ୍ଭାବନା ରହିଛି । କିନ୍ତୁ ଇରାନୀ କପ୍ ଟୁର୍ଣ୍ଣାମେଣ୍ଟରେ ତାଙ୍କ ନାମ ସାମିଲ ଥିବାରୁ ସେ ସମ୍ଭବତଃ ଦଳରେ ସାମିଲ ହୋଇ ନ ପାରନ୍ତି ।

ସେହିପରି ବୁମରାହ ଏବଂ ମହମ୍ମଦ ସିରାଜଙ୍କୁ ମଧ୍ୟ ଟି-୨୦ ସିରିଜରୁ ବାଦ୍ ଦେଇପାରେ ବୋର୍ଡ ଚୟନକର୍ତ୍ତା । ତାଙ୍କ ସ୍ଥାନରେ ହର୍ଷିତ ରାଣା ଏବଂ ଆଭେଶ ଖାନଙ୍କୁ ଦଳରେ ସୁଯୋଗ ମିଳିପାରେ । ଅନ୍ୟ ପକ୍ଷରେ ଶୁଭମନ ଗିଲ୍ ଏବଂ ଯଶସ୍ୱୀ ଜଏସ୍ୱାଲଙ୍କୁ ବିଶ୍ରାମ ଦେବାକୁ ଚିନ୍ତା କରିପାରେ ବିସିସିଆଇ । ବାଂଲାଦେଶ ବିପକ୍ଷରେ ଓପନର ଦାୟିତ୍ୱରେ ଋତୁରାଜ ଗାଏକ୍ୱାଡ ଏବଂ ଅଭିଷେକ ଶର୍ମାଙ୍କୁ ସାମିଲ କରାଯାଇପାରେ ।

ବାଂଲାଦେଶ ବିପକ୍ଷରେ ସମ୍ଭାବ୍ୟ ଟି-୨୦ ଦଳ: ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ଋତୁରାଜ ଗାଏକ୍ୱାଡ, ସଞ୍ଜୁ ସାମସନ, ଜିତେଶ ଶର୍ମା, ରିଙ୍କୁ ସିଂହ, ଶିବମ ଦୁବେ, ରିୟାନ ପରାଗ, ହାର୍ଦ୍ଦିକ ପାଣ୍ଡ୍ୟା, ରବି ବିଷ୍ଣୋଇ, ୱାଶିଂଟନ୍ ସୁନ୍ଦର, ହର୍ଷିତ ରାଣା, ଅର୍ଶଦୀପ ସିଂହ, ଆଭେଶ ଖାନ୍, ମୁକେଶ କୁମାର ।

Get real time updates directly on you device, subscribe now.