fbpx
BJD
BJD SKY
BJD SKY

ଆରଜେଡି ନେତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ସୁପ୍ରିମକୋର୍ଟ, ଡବଲ ମର୍ଡର ମାମଲାରେ ଆସିଲା କୋର୍ଟଙ୍କ ରାୟ

ନୂଆଦିଲ୍ଲୀ:ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ପୂର୍ବ ସାଂସଦ ପ୍ରଭୁନାଥ ସିଂହଙ୍କୁ ସୁପ୍ରିମ କୋର୍ଟରୁ ବଡ ଝଟକା ଲାଗିଛି । ୧୯୯୫ରେ ମଶରଖ ଡବଲ ମର୍ଡର ମାମଲାରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ କୋର୍ଟ ମୃତକ ପରିବାରକୁ ୧୦-୧୦ ଲକ୍ଷ ଟଙ୍କା ଓ ଆହତ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି ।
୧୯୯୫ରେ ବିହାରରେ ବିଧାନସଭା ନିର୍ବାଚନ ସମୟରେ ଛାପ୍ରାର ମଶରଖରେ ରାଜେନ୍ଦ୍ର ରାୟ ଓ ଦାରୋଗା ରାୟଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । ଅଭିଯୋଗ ହୋଇଥିଲା ଯେ, ଏହି ହତ୍ୟା ପ୍ରଭୁନାଥ ହିଁ କରାଇଛନ୍ତି । କାରଣ ଏ ଦୁଇଜଣ ପ୍ରଭୁନାଥଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇ ନଥିଲେ । ଏହି ନିର୍ବାଚନରେ ପ୍ରଭୁନାଥଙ୍କ ପରାଜୟ ହୋଇଥିଲା ଓ ସେ ବିଜେପିର ପ୍ରାର୍ଥୀ ଅଶୋକ ସିଂହଙ୍କୁ ୯୦ ଦିନ ମଧ୍ୟରେ ହତ୍ୟା କରିବାକୁ ଧମକ ଦେଇଥିଲେ । ଠିକ୍ ୯୦ ଦିନ ପରେ ଅଶୋକଙ୍କ ହତ୍ୟା କରାଯାଇଥିଲା ।

ସୁପ୍ରିମକୋର୍ଟରେ ବିଚାରପତି ସଂଜୟ କିଶନ କୌଲ, ବିକ୍ରମ ନାଥ ଓ ଏଏସ୍ ଔକାଙ୍କ ମିଳିତ ପୀଠ ଏହି ମାମଲାର ଶୁଣାଣୀ କରୁଥିଲେ । ଏହି ମାମଲାର ଶୁଣାଣୀ ସମୟରେ ବିଚାରପତି କହିଥିଲେ ସେ ପୂର୍ବରୁ ଏପରି ଏକ ମାମଲା କେବେ ଦେଖି ନ ଥିଲେ । ଶୁଣାଣୀ ସମୟରେ ପ୍ରଭୁନାଥ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ହୋଇଥିଲେ ।

୨୦୦୮ରେ ଏହି ମାମଲାରେ ପାଟନାର ଏକ କୋର୍ଟ ପ୍ରଭୁନାଥଙ୍କୁ ଏହି କେସ୍ରେ ନିର୍ଦ୍ଦୋଷ କହି ମୁକ୍ତ କରିଦେଇଥିଲା । ପରବର୍ତ୍ତୀ ସମୟରେ ତଳ କୋର୍ଟଙ୍କ ଏହି ରାୟ ବିରୋଧରେ ପାଟନା ହାଇକୋର୍ଟରେ ଆବେଦନ କରାଯାଇଥିଲା । କିନ୍ତୁ ପାଟନା ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ ଠିକ୍ ବୋଲି କହିଥିଲେ । ଏହାପରେ ମୃତକଙ୍କ ଭାଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ପ୍ରଭୁନାଥ ସିଂହ ପ୍ରଥମେ ନିର୍ଦ୍ଦଳୀୟ ନିର୍ବାଚନ ଲଢି ବିଧାୟକ ହୋଇଥିଲେ । ୧୯୯୦ରେ ଆରଜେଡିରେ ସାମିଲ ହୋଇ ବିଧାନସଭା ନିର୍ବାଚନ ଜିତିଥିଲେ । ଏହାପରେ ସେ ସେ ବହୁବାର ଆରଜେଡି ଓ ଜନତା ଦଳ(ୟୁ) ଟିକେଟରେ ମହାରାଜଗଞ୍ଜ ଆସନରୁ ସଂସଦ ନିର୍ବାଚନ ଲଢି ଲୋକସଭାରେ ପହଞ୍ଚିଥିଲେ । ଅଶୋକ ସିଂହଙ୍କ ହତ୍ୟା ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇଛି ଓ ଏବେ ସେ ହଜାରୀବାଗ ଜେଲରେ ଅଛନ୍ତି ।

Get real time updates directly on you device, subscribe now.