fbpx

Asia Cup-2023; ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚରେ ଲଢ଼ିଗଲେ କ୍ରିକେଟର: ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଗୁରୁବାର ଏସିଆ କପ୍-୨୦୨୩ର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଶ୍ରୀଲଙ୍କା ବାଂଲାଦେଶ । ଗତ କିଛି ଦିନରେ ଉଭୟ ଦଳ ମଧ୍ୟରେ ମ୍ୟାଚ ଖୁବ ସଂଘର୍ଷପୂର୍ଣ୍ଣ ହେଉଥିବା ଦେଖାଯାଇଛି । ପରସ୍ପରକୁ ମାତ୍ ଦେବା ପାଇଁ ଉଭୟ ଦଳ ଚେଷ୍ଟା କରୁଥିବା ବେଳେ ଅନେକ ସମୟରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଛି । ଏସିଆ କପ୍ ଦ୍ୱିତୀୟ ମ୍ୟାଚରେ ମଧ୍ୟ ଉଭୟ ଦଳର ଖେଳାଳିମାନଙ୍କ ମଧ୍ୟରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ମ୍ୟାଚ ମଝିରେ ଶ୍ରୀଲଙ୍କା ଏବଂ ବାଂଲାଦେଶର ଖେଳାଳିମାନଙ୍କ ମଧ୍ୟରେ ପାଟିତୁଣ୍ଡର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଶ୍ରୀଲଙ୍କା ପାଳିର ଚତୁର୍ଥ ଓଭରରେ ଘଟିଯାଇଛି ଏଭଳି ଏକ ଘଟଣା । ଓଭରର ଶେଷ ବଲ୍ ପକାଇବା ପରେ ବାଂଲାଦେଶୀ ବୋଲର ଶୋରିଫୁଲ ଇସଲାମ ଏବଂ ଶ୍ରୀଲଙ୍କାର କୁସଲ ମେଣ୍ଡିସଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା । ତେବେ ଏହି ମାମଲା ଜୋର ଧରିବା ପରେ ଦଳର ଅନ୍ୟାନ୍ୟ ଖେଳାଳି ଏବଂ ଅମ୍ପାୟାର ଘଟଣାସ୍ଥଳରେ ପହଞ୍ଚି ଇସଲାମ-ମେଣ୍ଡିସଙ୍କୁ ଦୂରକୁ ନେଇଯାଇଥିଲେ । ତେବେ ବୋଲିଂ ସମୟରେ ଇସଲାମ କିଛି କହିଥିବା ମେଣ୍ଡିସଙ୍କୁ ଅନୁଭବ ହୋଇଥିଲା । ଯାହାକୁ ନେଇ ସେ ଉତ୍ତେଜିତ ହୋଇଯାଇଥିଲେ । ତେବେ ପରେ ଏହା ଜାଣିବାକୁ ମିଳିଛି ଯେ, ମେଣ୍ଡିସ ନୁହେଁ, ବରଂ ୱିକେଟ କିପରଙ୍କ ସହ କଥା ହୋଇଥିଲେ ଇସଲାମ । କିନ୍ତୁ ସାମାନ୍ୟ ଭୁଲ ବୁଝାମଣା ଯୋଗୁଁ ଉଭୟ ଖେଳାଳିଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଯାଇଛି । ତେବେ ସାଥୀ ଖେଳାଳି ଏବଂ ଅଅମ୍ପାୟାର ଏହି ମାମଲାକୁ ସମ୍ଭାଳି ନେଇଛନ୍ତି ।
ସୂଚନା ଥାଉ କି, ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୬୫ ରନ ଲକ୍ଷ୍ୟ ଦେଇଥିଲା ବାଂଲାଦେଶ । ତେବେ ୩୯ ଓଭରରେ ହିଁ ଏହି ଲକ୍ଷ୍ୟକୁ ହାସଲ କରିବା ସହ ବାଂଲାଦେଶକୁ ହରାଇ ଏସିଆ କପ୍ ରେ ଅଭିଯାନ ଆରମ୍ଭ କରିଛି ଶ୍ରୀଲଙ୍କା । ମଥୀଶା ପଥିରାନାଙ୍କ ଦମଦାର ବୋଲିଂ ପରେ ଚରିତ ଅସଲଙ୍କା ଏବଂ ସଦୀରା ସମରବିକ୍ରମଙ୍କ ଅର୍ଦ୍ଧଶତକୀୟ ପାଳି ଶ୍ରୀଲଙ୍କାକୁ ଏହି ମ୍ୟାଚରେ ୫ ୱିକେଟରେ ବିଜୟୀ କରାଇଛି । ଦିନିକିଆ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଏହା ଶ୍ରୀଲଙ୍କା ଲଗାତାର ଏକାଦଶ ବିଜୟ ।

Get real time updates directly on you device, subscribe now.