fbpx

ଆରଜେଡି ବିଧାୟକ ଭରତ ବିନ୍ଦ ଏନଡିଏରେ ସାମିଲ: ବର୍ତ୍ତମାନ ସୁଦ୍ଧା ୫ ଜଣ ବିଧାୟକ ଦଳ ଛାଡ଼ି ସାରିଲେଣି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ସ୍ଥିତି ସେତିକି ସରଗରମ୍ ହେବାରେ ଲାଗିଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୋଟିଏ ପଟେ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ ରହିଥିବା ବେଳେ ଅନ୍ୟପଟେ ନେତାମାନଙ୍କର ଦଳ ଡିଆଁ ଦେଖିବାକୁ ମିଳିଲାଣି । ତେବେ ଏହା ମଧ୍ୟରେ ବିହାର ରାଜନୀତିରୁ ଆସିଛି ଏକ ବଡ଼ ଖବର ।

ବିହାରରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ଲାଗିଛି ପୁଣି ଏକ ବଡ଼ ଝଟକା । ଗତ ମାସ ୨୭ ତାରିଖରେ ଆରଜେଡି ବିଧାୟିକା ସଙ୍ଗୀତା କୁମାରୀ ବିଜେପିରେ ସାମିଲ ହୋଇଥିବା ବେଳେ ଆଜି ଆଉ ଜଣେ ବିଧାୟକ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ରେ ସାମିଲ ହୋଇଛନ୍ତି । ଆରଜେଡି ବିଧାୟକ ଭରତ ବିନ୍ଦ ଏନଡିଏରେ ସାମିଲ ହେବା ଫଳରେ ଆରଜେଡି ଛାଡ଼ି ଏନଡିଏରେ ସାମିଲ ହୋଇଥିବା ମୋଟ ବିଧାୟକଙ୍କ ସଂଖ୍ୟା ୫ରେ ପହଞ୍ଚି ଯାଇଛି ।

ବିହାରରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ଆରଜେଡି ବିଧାୟକ ପ୍ରହଲାଦ ଯାଦବ, ଚେତନ ଆନନ୍ଦ, ବୀନା ଦେବୀ, ସଙ୍ଗୀତା ଦେବୀ, ଭରତ ବିନ୍ଦ ଏନଡିଏରେ ସାମିଲ ହୋଇସାରିଛନ୍ତି । ଏହା ପୂର୍ବରୁ ନିକଟରେ ଆରଜେଡି ଛାଡ଼ି ବିଜେପି ସହ ମିଶି ନୀତିଶ କୁମାର ରାଜ୍ୟରେ ସରକାର ଗଠନ କରିଥିଲେ । ଦଳର ଜଣଙ୍କ ପରେ ଜଣେ ବିଧାୟକ ଏନଡିଏ ମେଣ୍ଟକୁ ଲମ୍ଫ ପ୍ରଦାନ କରୁଥିବାରୁ ସେମାନଙ୍କୁ ରୋକିବା ତେଜସ୍ୱୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।

Get real time updates directly on you device, subscribe now.