ଟ୍ରକ ଧକ୍କାରେ ଖଣ୍ଡ ବିଖଣ୍ଡିତ ହେଲା ଟ୍ରାକ୍ଟର, 2 ମୃତ

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଆଗ୍ରିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍ । 2 ମୃତ , 3 ଗୁରୁତର ।

ବେତନଟୀ: ମୟୂରଭଞ୍ଜ ଜିଲ୍ଲା 18 ନଂ ଜାତୀୟ ରାଜପଥ ବେତନଟୀ ଉପକଣ୍ଠ ବୈଶିଙ୍ଗା ଥାନା ଆଗ୍ରିଆ ବଡପୋଲଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ହୋଇଛନ୍ତି। ସମସ୍ତ ମୃତକ ହରିୟାଣାର ବୋଲି ସୂଚନା ମିଳିଛି । 3 ଗୁରୁତରଙ୍କୁ ବେତନଟୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଏପଟେ ଟ୍ରାକ୍ଟରକୁ ଧକ୍କା ଦେଇ ଟ୍ରକ ଫେରାର ହୋଇଯାଇଛି । ସୂଚନାନୁସାରେ ସମସ୍ତ ମୃତକ ଠିକାଦାରଙ୍କ ପାଖରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ ।

ତେବେ ମୃତକ ହେଲେ ଉତ୍ତରପ୍ରଦେଶ ମିରଟ ଅଞ୍ଚଳର ବିଜେନ୍ଦ୍ର ଭାରତୀଙ୍କ ପୁଅ ଅତୁଲ ଭାରତୀ ଏବଂ ହରିୟାଣାର କର୍ଣ୍ଣାଲ ଜିଲ୍ଲା ଅଧୀନ ପଡା ଗାଁର ଜଗଦେବ ଦୋଡ଼ଙ୍କ ପୁଅ ସୁନ୍ଦର ଦୋଡ଼ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ହରିୟାଣାର କର୍ଣ୍ଣାଲ ଜିଲ୍ଲା ଅଧୀନ ରାମଜୋର କଟାବାଗ ସେକ୍ଟର 32 ଥାନା ଅଞ୍ଚଳର ଚନ୍ଦ୍ରହାସଙ୍କ ପୁଅ ପ୍ରଦୀପ ରଞ୍ଜନ, ହେରିଟେଜ ଅଞ୍ଚଳର ବଲୱାନ କଲ୍ୟାଣଙ୍କ ପୁଅ ବିକାଶ କଲ୍ୟାଣ, ଇନ୍ଦିରା କଲୋନୀ ଜୁନ୍ଦାଲା ଗେଟ ସଦରଥାନା ଅଞ୍ଚଳର ସୁରେନ୍ଦ୍ର ଭଟନାଗରଙ୍କ ପୁଅ କରନ ଭଟନାଗରଙ୍କ ସମେତ ସୁନ୍ଦର ଦୋଡ଼ ଏବଂ ଅତୁଲ ଭାରତୀ ବାରିପଦାରୁ ଟ୍ରାକ୍ଟର ନେଇ ବାଲେଶ୍ୱର ଫେରୁଥିଲେ। ବୁଧବାର ଭୋର 5ଟା ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଉକ୍ତ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରାକ୍ଟର୍‌ଟି ଖଣ୍ଡ ବିଖଣ୍ଡିତ ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ହିଁ 2ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଆଉ 3 ଜଣ ଗୁରୁତର ହୋଇଥିଲେ । ଦୁର୍ଘଟଣାପରେ ଟ୍ରକ୍‌ ମାଲିକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।

ଖବର ପାଇ ପ୍ରଥମେ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ । ପୁଲିସ ଖଣ୍ଡ ବିଖଣ୍ଡିତ ଟ୍ରାକ୍ଟରକୁ ଜବତ କରିବା ସହିତ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିବା ଟ୍ରକ୍‌କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି ।