fbpx

ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେନି ରୋହିତ-ବିରାଟ: ସିରିଜରେ ଟିମ ଇଣ୍ଡିଆର ନେତୃତ୍ୱ ନେବେ ହାର୍ଦ୍ଦିକ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଭାରତକୁ ପ୍ରଥମ ପରାଜୟର ସାମନା କରିବାକୁ ପଡିଛି । ୫ ୱିକେଟରେ ଟିମ ଇଣ୍ଡିଆକୁ ହରାଇଛି ସାଉଥ ଆଫ୍ରିକା । ଏହାପରେ ଦଳର ବିଭିନ୍ନ ଦୁର୍ବଳତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଏହା ମଧ୍ୟରେ ଆଉ ଏକ ଆଲୋଚନା ହେଉଛି ଯେ, ନ୍ୟୁଜିଲାଣ୍ଡ ବିପକ୍ଷରେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ଦେଇପାରେ ଟିମ ମ୍ୟାନେଜମେଣ୍ଟ । ଏହାପରେ ଦଳର ନେତୃତ୍ୱ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିବ ବୋଲି କୁହାଯାଉଛି ।

ସୂଚନା ଥାଉ କି, ବିଶ୍ୱକପ ପରେ ଭାରତ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ । ସେଠାରେ ୩ଟି ଲେଖାଏଁ ଦିନିକିଆ ଏବଂ ଟି-୨୦ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ତେବେ ଏହି ଟି-୨୦ ସିରିଜରେ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ବିଶ୍ରାମ ନେଇ ପାରନ୍ତି । ତାଙ୍କ ବ୍ୟତୀତ କେ.ଏଲ ରାହୁଲ ମଧ୍ୟ ସିରିଜରେ ଭାଗ ନେବେ ନାହିଁ । ତେଣୁ ଏହି ପରିସ୍ଥିତିରେ ଦଳର ନେତୃତ୍ୱ ନେବେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଏହି ଟି-୨୦ ସିରିଜ ୧୮ ନଭେମ୍ବରରୁ ଆରମ୍ଭ ହେଉଥିବା ବେଳେ ୨୫ ତାରିଖରେ ପ୍ରଥମ ଦିନିକିଆ ଖେଳିବେ ଉଭୟ ଦଳ । ତେବେ ନଭେମ୍ବର ୩୦ ତାରିଖରେ ଭାରତର ନ୍ୟୁଜିଲାଣ୍ଡ ଗସ୍ତ ଶେଷ ହେବ ।

ଭାରତ ପାଇଁ ଆଜି ପର୍ଯ୍ୟନ୍ତ ମୋଟ ୩ଟି ମ୍ୟାଚରେ ନେତୃତ୍ୱ ନେଇଛନ୍ତି ହାର୍ଦ୍ଦିକ । ରୋହିତ ଶର୍ମା, ବିରାଟ କୋହଲି ଏବଂ ଭୁବନେଶ୍ୱର କୁମାରଙ୍କ ପରେ ପାଣ୍ଡ୍ୟା ହେଉଛନ୍ତି ଦଳର ସବୁଠୁ ଅନୁଭବୀ ଖେଳାଳି । ସେହିପରି ଦିନିକିଆ ସିରିଜରେ ରୋହିତ ଏବଂ ବିରାଟଙ୍କ ସହିତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବିଶ୍ରାମ ନେଇଛନ୍ତି । ତେଣୁ ଶିଖର ଧୱନଙ୍କୁ ଦଳର ନେତୃତ୍ୱଭାର ଦିଆଯାଇଛି । ଏହି ସିରିଜରେ ଇଶାନ କିଶାନ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, କୁଳଦୀପ ଯାଦବ ଏବଂ ଉମରାନ ମଲିକଙ୍କୁ ସୁଯୋଗ ଦେଇଛି ବିସିସିଆଇ । ଉଭୟ ସିରିଜ ପାଇଁ ଭାରତୀୟ ଦଳ ସହିତ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ ସ୍ପିଡ ଷ୍ଟାର ଉମରାନ ।

Get real time updates directly on you device, subscribe now.