fbpx

ବିଶ୍ୱକପ୍‌ ପରାଜୟକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଲେ ରୋହିତ: ଆମେ ଯେଉଁଭଳି ଭାବରେ ବିଶ୍ୱକପ୍‌ ଖେଳିଥିଲୁ…

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ୨ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌। ଏହାପୂର୍ବରୁ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପ୍ରେସ୍‌ କନଫରେନ୍ସ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଚଳିତ ବିଶ୍ୱକପ୍‌ ପରାଜୟକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି।

ସାମ୍ବାଦିକଙ୍କୁ ଉତ୍ତର ଦେବାକୁ ଯାଇ ରୋହିତ କହିଛନ୍ତି, ଆମେ ଯେଉଁଭଳି ଭାବରେ ବିଶ୍ୱକପ୍‌ ଖେଳିଥିଲୁ , ସେଠାରୁ ହାରିବା ବେଶ୍‌ କଠିନ ଥିଲା। ଆରମ୍ଭରୁ ୧୦ଟି ମ୍ୟାଚ୍‌ ଆମେ ଚମତ୍କାର ପ୍ରଦର୍ଶନ କରିଥିଲୁ। ମାତ୍ର ଫାଇନାଲ୍‌ରେ ସେମିତି ହୋଇପାରିଲା ନାହିଁ। ତେବେ ଏମିତି ପରାଜୟରୁ ବାହାରିବା କଷ୍ଟକର ହୋଇଥାଏ। କିନ୍ତୁ ଆଜିକାଲି ଅଧିକ କ୍ରିକେଟ୍‌ ଖେଳାଯାଉଛି, ଏଥିପାଇଁ ଆଗକୁ ବଢିବାକୁ ହେବ। ଏହା ମୋ ପାଇଁ ମଧ୍ୟ ଆଗକୁ ବଢିବା କଷ୍ଟକର। ଆମକୁ ବାହାରୁ ମଧ୍ୟ ବହୁତ ସମର୍ଥନ ମିଳିଛି। ତାହା ଆମକୁ ବହୁତ ପ୍ରେରଣା ଦେଇଛି। ତେବେ ଆସନ୍ତାକାଲିର ମ୍ୟାଚକୁ ନେଇ ରୋହିତ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକାରେ ଆମେ କେବେ ସିରିଜ୍‌ ଜିତିନାହୁଁ। ଆମେ ଯଦି ଏଠାରେ ସିରିଜ୍‌ ଜିତୁ ତେବେ ସବୁକିଛି ଭଲ ହେବ। ସମସ୍ତେ ପରିଶ୍ରମ କରୁଛୁ ବୋଲି ରୋହିତ କହିଛନ୍ତି।

ସୂଚନା ଥାଉକି, ଚଳିତ ବର୍ଷ ଭାରତରେ ଖେଳାଯାଇଥିବା ଆଇସିସି ODI ବିଶ୍ୱକପରେ ଭାରତୀୟ ଦଳ ଏକ ଚମତ୍କାର ପ୍ରଦର୍ଶନ ପ୍ରଦର୍ଶନ କରିଥିଲା। କ୍ରମାଗତ ୧୦ ଟି ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଥିଲା ଟିମ୍ ଇଣ୍ଡିଆ । ହେଲେ ଦୁର୍ଭାଗ୍ୟବଶତଃ ବିପକ୍ଷ ଅଷ୍ଟ୍ରେଲିଆ ଠାରୁ ପରାଜୟ ସାମ୍ନା କରିଥିଲା। ଯାହାର ଦୁଃଖ ଆଜି ବି ସମସ୍ତ ଭାରତୀୟଙ୍କ ମନରେ ଭରି ରହିଛି । ତେବେ ଏହି ଏହି ଦୁଃଖକୁ ସାମାନ୍ୟ ଦୂର କରିବା ପାଇଁ ଭାରତୀୟ ଦଳ ପାଖରେ ଏକ ବଡ଼ ସୁଯୋଗ ରହିଛି। କାରଣ ଆସନ୍ତାକାଲି ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ୨ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌। ବିଶେଷକରି ବିଶ୍ୱକପ ଫାଇନାଲ ହାରିବାର ଦୁଃଖ ରୋହିତ ଶର୍ମାଙ୍କର ମନରେ ଭରି ରହିଥିବା ବେଳେ ଏହାକୁ ଉପଶମ କରିବାକୁ ତାଙ୍କ ପାଖରେ ଏକ ସୁଯୋଗ ରହିଛି।

ତେବେ ବିଶ୍ୱକପ ଫାଇନାଲ ପରାଜୟ ପରେ ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମ୍ରା ବକ୍ସିଂ ଡେ’ ଟେଷ୍ଟରେ ଆକ୍ସନକୁ ଫେରିବେ। ଆଉ ୩୧ ବର୍ଷ ଧରି ଭାରତର ରହିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ରୋହିତ ଶର୍ମା ପ୍ରତିଶ୍ରୁତିବଦ୍ଧ ବୋଲି କୁହାଯାଉଛି। କାରଣ ୧୯୯୨ ପରଠାରୁ ଭାରତ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜ ଖେଳୁଛି। କିନ୍ତୁ ଏହି ୩୧ ବର୍ଷ ମଧ୍ୟରେ ଥରେ ହେଲେ ବି ଦଳ ଦକ୍ଷିଣ ଆଫ୍ରିକାକୁ ତା’ ମାଟିରେ ହରାଇ ପାରିନି। ତେଣୁ ୩୧ ବର୍ଷ ଧରି ରହିଥିବା ଅପେକ୍ଷାରେ ଅନ୍ତ ଘଟାଇବା ଲକ୍ଷ୍ୟରେ ରୋହିତ ଏବଂ ବିରାଟ କୋହଲି ରହିଛନ୍ତି।

 

Get real time updates directly on you device, subscribe now.