ବିସିସିଆଇ ବୈଠକରେ ରୋହିତ ସିଧା ସଳଖ ଏପରି କହିଦେଲେ: ଗମ୍ଭୀର ଖପ୍ପା, ସମସ୍ତେ ଆଶ୍ଚର୍ଯ୍ୟ

ମୁମ୍ବାଇ: ନିକଟରେ ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଶନିବାର ବିସିସିଆଇର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ରୋହିତ ଶର୍ମା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଶୀର୍ଷ ଅଧିକାରୀ ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ବିସ୍ତାରିତ ଭାବରେ କଥା ହୋଇଥିଲେ।

ବିସିସିଆଇର ଶୀର୍ଷ ସ୍ତରୀୟ ଅଧିକାରୀମାନେ ଭାରତୀୟ ଦଳ ପରିଚାଳନା ଠାରୁ ସାମ୍ପ୍ରତିକ ଫଳାଫଳ, ବିଶେଷକରି ଅଷ୍ଟ୍ରେଲିଆ ବିପକ୍ଷରେ ୧-୩ ବର୍ଡର-ଗାଭାସ୍କର ସିରିଜ ପରାଜୟ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ୦-୩ ଘରୋଇ କ୍ଲିନ ସୁଇପ୍ ଉପରେ ପ୍ରତିକ୍ରିୟା ଲୋଡ଼ିଥିଲେ। ରିପୋର୍ଟ ଅନୁଯାୟୀ ରୋହିତ ଆଉ କିଛି ‘ମାସ’ ପାଇଁ ଦଳର ଅଧିନାୟକ ରହିବାକୁ ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି।

ତେବେ ଏବେଠାରୁ ନୂଆ ଅଧିନାୟକ ଖୋଜା ଆରମ୍ଭ କରିଦେବାକୁ ରୋହିତ ବୋର୍ଡ ଅଧିକାରୀଙ୍କୁ ସଙ୍କେତ ଦେଉଛନ୍ତି। ଦ୍ରୁତ ବୋଲର୍ ଯଶପ୍ରୀତ୍‌ ବୁମ୍‌ରାଙ୍କୁ ରୋହିତଙ୍କ ଉତ୍ତରାଧିକାରୀ ଭାବେ ବାଛିବାକୁ କିଛି ଅଧିକାରୀ କହିଥିଲେ ମଧ୍ୟ ଅନ୍ୟ ଅଧିକାରୀମାନେ ଏଥିରେ ରାଜି ହୋଇ ନଥିଲେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯଦିଓ ରୋହିତ ଟେଷ୍ଟ୍ ଦଳର ଅଧିନାୟକ ପଦ ଛାଡ଼ିବାକୁ ଏକପ୍ରକାର ନୀତିଗତ ନିଷ୍ପତ୍ତ ନେଇ ସାରିଛନ୍ତି। ହେଲେ ଦିନିକିଆ ଅଧିନାୟକ ପଦରେ ରହିବାକୁ ଚାହୁଛନ୍ତି।

ସୂଚନାଯୋଗ୍ୟ ଯେ ଭାରତ ଚଳିତମାସ ୨୨ ତାରିଖରୁ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ରେଣ୍ଟି-୨୦ ଶୃଙ୍ଖଳା ଖେଳିବା ପରେ ତିନି ଟିକିଆ ଦିନିକିଆ ଶୃଙ୍ଖଳା ଖେଳିବ। ଏହା ପରେ ଦିନିକିଆ ଫର୍ମାଟ୍‌ରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଦୁବାଇ ଯିବ।

ସେପଟେ ସିଡ୍‌ନି ଟେଷ୍ଟରୁ ଓହରିବା ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ମଧ୍ୟରେ ତାଙ୍କ ଅବସର ନେଇ ଚର୍ଚ୍ଚା ହୋଇଥିଲା। ଏହି ଟେଷ୍ଟ୍ ତାଙ୍କର ଶେଷ ଟେଷ୍ଟ୍ ହେବ ବୋଲି ମଧ୍ୟ ରୋହିତ ଡ୍ରେସିଂ ରୁମ୍‌ରେ ଏକପ୍ରକାର ସ୍ପଷ୍ଟ କରି ଦେଇଥିଲେ। ହେଲେ ପରବର୍ତ୍ତୀ ସାକ୍ଷାତକାରରେ ନିଜ ସ୍ଵର ବଦଳାଇ ଦେଇଥିଲେ। ଦଳର ଆବଶ୍ୟକତା ଦୃଷ୍ଟିରୁ କେବଳ ସିଡ୍‌ନି ଟେଷ୍ଟରୁ ଦୂରେଇଛି, ଅବସର ନେଇନି କିମ୍ବା କୁଆଡ଼େ ଯାଉନି ବୋଲି କହିଥିଲେ ସେ। ଯାହା ଗମ୍ଭୀରଙ୍କୁ ବିସ୍ମିତ କରିଥିଲା। ରୋହିତଙ୍କ ଏଭଳି ୟୁ-ଟର୍ଣ୍ଣ ତାଙ୍କୁ ବ୍ୟଥିତ କରିଥିଲା।