fbpx

Big Breaking… ପାକିସ୍ତାନକୁ ଚକମା ଦେଲା ରୋହିତ ସେନା: ବିଶ୍ୱକପ-୨୦୨୩ରେ ଭାରତର ହାଟ୍ରିକ ବିଜୟ

ଅହମ୍ମଦାବାଦ: ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ପରେ ପାକିସ୍ତାନକୁ ବି ମାତ୍ ଦେଇଛି ଟିମ ଇଣ୍ଡିଆ । ଭାରତୀୟ ବୋଲରଙ୍କ କମାଲ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ଅର୍ଦ୍ଧଶତକ ଭାରତକୁ ଏକ ସହଜ ବିଜୟ ଭେଟି ଦେଇଛି । ରୋହିତଙ୍କ ଏହି ରେକର୍ଡ ବ୍ରେକିଙ୍ଗ ଅର୍ଦ୍ଧଶତକ ଭାରତକୁ ବିଶ୍ୱକପର ତୃତୀୟ ଲଗାତାର ବିଜୟ ହାସଲ କରିଛି ଭାରତ । ପାକିସ୍ତାନର ୧୯୨ ରନ ଟାର୍ଗେଟକୁ ପିଛା କରି ମାତ୍ର ୩୦ ଓଭରରେ ବିଜୟ ହାସଲ କରିଛି ରୋହିତ ସେନା । ଅଧିନାୟକ ରୋହିତଙ୍କ ବ୍ୟତୀତ ଷ୍ଟାର ବ୍ୟାଟର ଶ୍ରେୟସ ଆୟର ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଆଜିର ମ୍ୟାଚରେ ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି ନିଜେ ଅଧିନାୟକ ରୋହିତ ଶର୍ମା । ମାତ୍ର ୬୩ ବଲରୁ ୮୬ ରନର ଏକ ଦ୍ରୁତ ପାଳି ଖେଳି ଭାରତକୁ ବିଜୟ ଲକ୍ଷ୍ୟର ଖୁବ ନିକଟରେ ପହଞ୍ଚାଇଛନ୍ତି ରୋହିତ । ରୋହିତଙ୍କ ଏହି ପାଳିରେ ୬ଟି ଲେଖାଏଁ ଚୌକା ଏବଂ ଛକା ସାମିଲ ରହିଛି । ରୋହିତଙ୍କ ଏହି ଇନିଂସରେ ସେ ଦିନିକିଆ କ୍ରିକେଟରେ ୩୦୦ ଛକା ପୂରଣ କରିବା ସହ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚି ଇତିହାସ ସୃଷ୍ଟି କରିଛନ୍ତି । ଏହାପରେ ଶ୍ରେୟସ ଆୟର ମଧ୍ୟ ଉଚିତ ସମୟରେ ପାଳିକୁ ସମ୍ଭାଳିବା ସହ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି । ୬୨ ବଲରୁ ୩ଟି ଚୌକା ଏବଂ ୨ଟି ଛକା ସହ ଶ୍ରେୟସ ୫୩ ରନ୍ କରିଛନ୍ତି । ଏହାବ୍ୟତୀତ କେ.ଏଲ ରାହୁଲ ୧୯ ଏବଂ ଗିଲ୍-ବିରାଟ ୧୬ ରନ୍ ଲେଖାଏଁ ସ୍କୋର କରିଛନ୍ତି ।

ତେବେ ଦିନିକିଆ ବିଶ୍ୱକପ-୨୦୨୩ରେ ହାଟ୍ରିକ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ରୋହିତ ଏବଂ ଶ୍ରେୟସଙ୍କ ଅର୍ଦ୍ଧଶତକ ସହ ଭାରତ ଏହି ମ୍ୟାଚରେ ଏକ ରେକର୍ଡ ବିଜୟର ଅଧିକାରୀ ହୋଇଛି । ୨୦ ଓଭର ବାକି ଥାଇ ପାକିସ୍ତାନର ଟାର୍ଗେଟକୁ ହାସଲ କରିବାରେ ସଫଳ ହୋଇଛି ରୋହିତ ସେନା । ଏହି ବିଜୟ ସହ ବିଶ୍ୱକପରେ ଭାରତ ହାଟ୍ରିକ ବିଜୟ ଆସଲ କରିବା ସହିତ ପଏଣ୍ଟ ଟେବୁଲର ଶୀର୍ଷକୁ ଲମ୍ଫ ଦେଇଛି । ଭାରତ ଏହାପରେ ଆସନ୍ତା ୧୭ ତାରିଖରେ ବାଂଲାଦେଶକୁ ଭେଟିବ । ଆସନ୍ତା ୧୭ ତାରିଖରେ ଏମସିଏ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ ।

Get real time updates directly on you device, subscribe now.